ଭୁବନେଶ୍ବର: ଏଫ୍‌ଆଇଏମ୍ ବିଶ୍ବ ଚାମ୍ପିଅନସିପ୍ ଗ୍ରାଁ ପ୍ରିରେ ହୋଣ୍ଡା ଦଳ ୮୦୦ତମ ବିଜୟ ହାସଲ କରିଛି। ସ୍ପେନ୍‌ର ମୋଟରଲାଣ୍ଡ ଆରାଗନରେ ଅନୁଷ୍ଠିତ ଚଳିତ ବର୍ଷର ଏଫ୍‌ଆଇଏମ୍ ବିଶ୍ବ ଚାମ୍ପିଅନସିପ୍‌ ଗ୍ରାଁ ପ୍ରିର ମୋଟୋ ୩ ଶ୍ରେଣୀର ରାଉଣ୍ଡ ୧୨ରେ ହୋଣ୍ଡା ଚାଳକ ଜଉମେ ମସିଆ‌ ବିଜୟୀ ହେବା ପରେ ଦଳ ଏହି ମାଇଲଖୁଣ୍ଟ ଛୁଇଁଛି। ସଂଯୋଗବଶତଃ ଦୀର୍ଘ ୫୯ ବର୍ଷ ତଳେ ଅର୍ଥାତ୍ ୧୯୬୧ ମସିହାରେ ସ୍ପାନିସ୍ ଗ୍ରାଁ ପ୍ରିର ୧୨୫ ବର୍ଗରେ ହୋଣ୍ଡା ତା’ର ଅଭିଯାନ ଆରମ୍ଭ କରିଥିଲା। ଏହାର ୭ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୫୪ ମସିହାରେ ହୋଣ୍ଡା କଂପାନିର ପ୍ରତିଷ୍ଠାତା ସୋଇଚିରୋ ହୋଣ୍ଡା ପ୍ରିମିୟର ମୋଟର ସ୍ପୋର୍ଟସରେ ପ୍ରବେଶ କରିବାର ଘୋଷଣା କରିଥିଲେ। ଏକ ରେସିଂ ମେସିନକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବିକଶିତ କରିବା ପରେ ଜାପାନର ପ୍ରଥମ ମୋଟର ସାଇକେଲ ନିର୍ମାତା ଭାବେ ହୋଣ୍ଡା ଆଇସଏଲ୍ ଅଫ୍ ମ୍ୟାନ୍ ଟିଟି ରେସ୍‌ରେ ଅଂଶଗ୍ରହଣ କରିଥିଲା।

Advertisment

୧୯୬୧ରେ ଏଫ୍‌ଆଇଏମ୍ ରୋଡ୍ ରେସିଂ ବିଶ୍ବ ଚାମ୍ପିଅନସିପ୍‌ର ୧୨୫ ସିସି ଓ ୨୫୦ ସିସି ବର୍ଗରେ ହୋଣ୍ଡା ରେସ୍ ଆରମ୍ଭ କରିଥିଲା। ୧୯୬୨ରେ ହୋଣ୍ଡା ୩୫୦ ସିସି, ୧୯୬୬ରେ ୫୦୦ ସିସି ଶ୍ରେଣୀରେ ହୋଣ୍ଡା ପ୍ରବେଶ କରିଥିଲା। ସେହି ବର୍ଷ ଦଳ ସମସ୍ତ ଶ୍ରେଣୀରେ ବିଜେତା ହୋଇଥିଲା। ଦଳର ଏହି ସଫଳ ଯାତ୍ରାକୁ ନେଇ ହୋଣ୍ଡା ମୋଟର କଂପାନି ଲିମିଟେଡ୍‌ର ସଭାପତି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି, ‘‘ହୋଣ୍ଡାର ୮୦୦ତମ ଏଫ୍‌ଆଇଏମ୍‌ ବିଶ୍ବ ଚାମ୍ପିଅନସିପ୍ ଗ୍ରାଁ ପ୍ରି ବିଜୟକୁ ନେଇ ମୁଁ ଗର୍ବିତ। ହୋଣ୍ଡା ରେସିଂ କାର୍ଯ୍ୟକ୍ରମକୁ ଜବରଦସ୍ତ ସମର୍ଥନ ଦେବା ଏବଂ ଯୋଗଦାନ କରିଥିବା ସାରା ବିଶ୍ବର ମୋଟର ସ୍ପୋର୍ଟସ ପ୍ରେମୀଙ୍କ ପ୍ରତି ହୋଣ୍ଡା କୃତଜ୍ଞ। ଅନେକ ଘାତ ପ୍ରତିଘାତକୁ ସାମ୍ନା କରି ଆଗକୁ ବଢ଼ିବା ଏବଂ ୧୯୫୯ରେ ଆମେ ଯେଉଁ ଆରମ୍ଭ କରିଥିଲୁ, ଏବେ ଆମେ ଯେଉଁଠାରେ ପହଞ୍ଚିଛୁ ସେଥିପାଇଁ ଆମେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। ହୋଣ୍ଡା ଏହି ମୁହୂର୍ତ୍ତକୁ ଏକ ପଥ ଭାବେ ଦେଖୁଛି ଏବଂ ବିଜୟ ପାଇଁ ଆଗକୁ ମଧ୍ୟ ଏହି ଲଢ଼େଇ ଜାରି ରହିବ। ଆମେ ଆପଣମାନଙ୍କର ନିରନ୍ତର ସହଯୋଗ କାମନା କରୁଛୁ’’।