ହସୁଛି ହକି କଂପ୍ଲେକ୍ସ, ନୂଆ ରୂପରେ କଳିଙ୍ଗ

ନୂଆ ରୂପରେ କଳିଙ୍ଗ

ଭୁବ‌େନଶ୍ବର: କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସ ହସୁଛି। ନୀଳ ରଙ୍ଗର ନୂଆ ଟର୍ଫ ସହ ଆଉ ଦୁଇଟି ନୂଆ ଗ୍ୟାଲେରି ଯୋଡ଼ି ହୋଇଛି ଏଥିରେ। ଓଡ଼ିଆ ଭାଷାକୁ ଅଗ୍ରାଧିକାର ଦିଆଯାଇ ପୂର୍ବ ଗ୍ୟାଲେରିରେ ଇଂରାଜୀ ସହ ପଶ୍ଚିମରେ ଓଡ଼ିଆରେ ‘ଓଡ଼ିଶା’ ଲେଖା ହୋଇଛି। ପ୍ରବେଶ ପଥକୁ ବି ପୂର୍ବାପେକ୍ଷା ଆକର୍ଷଣୀୟ ଏବଂ ସୌନ୍ଦର୍ଯ୍ୟମୟ କରାଯାଇଛି। ଚାରିଟି ଯାକ ଗ୍ୟାଲେରିରେ ଥିବା ଏକାମଛା ଲାଲ ଚୌକି ଏବଂ ଏଥିରେ ଧଳା ରଙ୍ଗରେ ଓଡ଼ିଶା ଲେଖା ହେବା କଂପ୍ଳେକ୍ସକୁ ପୂର୍ବାପେକ୍ଷା ଅଧିକ ମନଲୋଭା କରିଛି। କଂପ୍ଲେକ୍ସର ସବୁ ସୁବିଧା ସୁଯୋ‌ଗ ଏଫ୍‌ଆଇଏଚ୍ ମାନ୍ୟତା ଏବଂ ବିଶ୍ବକ୍‌ପକୁ ଆଖି ଆଗରେ ରଖି ପୁନଃନିର୍ମାଣ କରାଯାଇଛି। ଦଶର୍କ ବସିବା କ୍ଷମତା ୭,୫୦୦ରୁ ୧୫, ୦୦୦କୁ ବଢ଼ିଛି। ନୂଆ ଫ୍ଲଡ୍‌ ଲାଇଟ୍‌ରେ କଂପ୍ଲେକ୍ସ ଯେମିତି ଏକପ୍ରକାର ଦାଉ ଦାଉ ହୋଇ ଜଳୁଛି। ଚାରିଟି ଡ୍ରେସିଂ ରୁମ୍ ‌, ପ୍ରେସ୍ ବକ୍ସ ଏବଂ ଭିଆଇପି ବକ୍ସ ନିର୍ମାଣ ପରେ ଚତୁର୍ଦଶ ହକି ବିଶ୍ବକପ୍‌କୁ ସ୍ବାଗତ କରିବାକୁ କଳିଙ୍ଗ ଷ୍ଟାଡିୟମ ଏବେ ପ୍ରସ୍ତୁତ। କେବଳ ଯାହା ନଭେମ୍ବର ୨୭ର ଉଦ୍‌ଘାଟନକୁ ଅପେକ୍ଷା।

ପୁନଃ ନିର୍ମିତ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ନୂଆ ରୂପ ପାଇଥିବା ଅଭ୍ୟାସ ପଡ଼ିଆ ମଧ୍ୟ ସମାନ୍ତରାଳ ଭାବେ ଉ୍‌ଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ। ଭାରତକୁ କଳିଙ୍ଗ ଷ୍ଟାଡିୟମ ରୂପରେ ଏକ ବିଶ୍ବସ୍ତରୀୟ କ୍ରୀଡ଼ା କଂପ୍ଲେକ୍ସ ଦେଇ ଆମେ ଗର୍ବିତ। ଆସନ୍ତାମାସର ବିଶ୍ବକପ୍‌କୁ ଆୟୋଜନ କରିବାକୁ କଳିଙ୍ଗ ଷ୍ଟାଡିୟମ ପୂରା ପ୍ରସ୍ତୁତ। ଅଳ୍ପ କିଛି କାମ ବାକି ରହିଛି। ଯାହାକୁ ନିର୍ଧାରିତ ସମୟରେ ଶେଷ କରିଦିଆଯିବ ବୋଲି ଆମର ଆତ୍ମବିଶ୍ବାସ ରହିଛି। ସାଂସଦ ପ୍ରସନ୍ନ ପାଟଶାଣୀ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ , ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉନ୍ନୟନ କମିସନର ଆର ବାଲକ୍ରିଷ୍ଣନ୍, କ୍ରୀଡ଼ା ସଚିବ ବିଶାଳ ଦେବ, କ୍ରୀଡ଼ା ନିର୍ଦେଶକ ଭିନିଲକ୍ରିଷ୍ଣା ଏବଂ ହକି ଇଣ୍ଡିଆର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଗୌରବ କାପୁରଙ୍କ ମଜାଦାର ଉପସ୍ଥାପନା ଆଜିର ଉଦ୍‌ଘାଟନୀକୁ ମଜା‌ଦାର କରି ଦେଇଥିଲା।

ପ୍ରଦର୍ଶନୀ ମ୍ୟାଚ୍ ଜିତିଲେ ଦିଲୀପ
ଦୀର୍ଘ ୮ ବର୍ଷ ତଳେ ଅବସର ନେଇ ସାରିଥିଲେ ମଧ୍ୟ ଓଡ଼ିଶାର ସଫଳତମ ହକି ତାରକା ଦିଲୀପ ତିର୍କିଙ୍କ ‌ଷ୍ଟିକ୍‌ର ଚମକ ଆଦୌ ମଳିନ ପଡ଼ିନି। ବୁଧବାର ସେ ଏହା ପ୍ରମାଣିତ କରି ଦେଇଥିଲେ। କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସର ନୂଅ‌ା ରୂପ ଉଦ୍‌ଘାଟିତ ହେବା ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମ୍ୟାଚ୍‌ରେ ଦିଲୀପଙ୍କ ନେତୃତ୍ବାଧୀନ ଦଳ ଭାରତୀୟ ହକିର ଅନ୍ୟତମ କିମ୍ବଦନ୍ତୀ ପୁରୁଷ ଧନରାଜ ପିଲ୍ଲେଙ୍କ ଦଳକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ୧୫ ମିନିଟ୍‌ର ଦୁଇଟି ଅର୍ଧରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଧରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ଦିଲୀପଙ୍କ ଦଳ ଦୁଇଟି ପେନାଲ୍ଟି କର୍ନର ପାଇଥିଲା। ହେଲେ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲା। ଦ୍ବିତୀୟାର୍ଧରେ କିନ୍ତୁ ତିନିଟି ଗୋଲ୍ ଦେଖିବାକୁ ମିଳିଥିଲା। ଦିଲୀପ ଏକାଦଶ ପକ୍ଷରୁ ଦୀପକ ଠାକୁର ଦୁଇଟି ଯାକ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ଧନରାଜ ଏକାଦଶ ତରଫରୁ ଗୁରଜାନ୍ତ ସିଂହ ଏକମାତ୍ର ଗୋଲ୍ ଦେଇଥିଲେ। ଯିଏ ଜିତିଲେ ମଧ୍ୟ ହକିର ବିଜୟ ହେଲା ବୋଲି ଧନରାଜ କହିଥିଲେ। ଦିଲୀପ କହିଥିଲେ ଯେ କଳିଙ୍ଗ ଷ୍ଟାଡିୟମରେ ଖେଳିବା ମୋ‌େତ ବହୁତ ଆନନ୍ଦ ଦେଇଛି। ମୋ ଦଳ ଭଲ କରିଥିବାରୁ ବହୁତ ଖୁସି ଲାଗୁଛି। ପୂରା ଫିଟ୍ ନଥିବାରୁ ଅବଶ୍ୟ ଟିକିଏ ଦୁଃଖ ଲାଗୁଛି। ଭାରତକୁ ଏକ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ଉପହାର ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଦେଉଛି।

‘ତିତଲି’କୁ ଚକ୍‌ମା ଦେଲା ହକି
ଘୂଣ୍ଣିଝଡ଼ ‘ତିତଲି’ର ପ୍ରଭାବରେ ବୁଧବାର ସଂଧ୍ୟାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିଲା। ସକାଳୁ ବର୍ଷା ଆରମ୍ଭ ହୋଇଯିବା ପରେ ସଂଧ୍ୟାରେ ଏହାର ମାତ୍ରା ପ୍ରବଳ ହେବ ବୋଲି ପୂର୍ବାନୁମାନ ଥିଲା। ଅପରାହ୍ନ ୫ଟା ବେଳକୁ ଏହି ପୂର୍ବାନୁମାନ ସତ ହୋଇଥିଲା। ପ୍ରଦର୍ଶନୀ ମ୍ୟାଚ୍ ପାଇଁ ଖେଳାଳିମାନେ ଭିଜି ଭିଜି ଅଭ୍ୟାସ କରିଥିଲେ। ହେଲେ ଉଦଘାଟନୀ ପର୍ବ ବେଳକୁ ବର୍ଷା ଢେର ମାତ୍ରାରେ କମି ଯାଇଥିଲା। ମ୍ୟାଚ୍‌ର ପ୍ରଥମାର୍ଧରେ କେବଳ ଯାହା ଗୁଣ୍ଡି ଝାଡ଼ିଥିଲା। ‘ତିତଲି’ ଭୟରେ ଯେକିତି ଦର୍ଶକ ଆସିବା କଥା ସେତିକି ଦୁର୍ଭାଗ୍ୟଜନକ ଭାବେ ଆଥି ପାରି ନଥିଲେ। ତଥାପି ବାତିଲ ହେବା ଦ୍ବାର ଦେଶରେ ଥିବା ପ୍ରଦର୍ଶନୀ ମ୍ୟାଚ୍‌ ସୁରୁଖୁରୁରେ ଶେଷ ହୋଇଥିଲା। ସେଥିପାଇଁ ହକି ‘ତିତଲି’କୁ ଚକ୍‌ମା ଦେଲା ବୋଲି କେହି କେହି କହୁଥିଲେ।

ବିଶ୍ବକପ୍‌ରୁ ସୁନୀଲ ବାଦ୍

ଭୁବନେଶ୍ବର ହକି ବିଶ୍ବକପରୁ ଭାରତୀୟ ହକି ଦଳର ଅଭିଜ୍ଞ ଷ୍ଟ୍ରାଇକର ଏସି ଭି ସୁନୀଲ ବାଦ୍‌ ପଡ଼ିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ହକି ଶିବିରରେ ଆହତ ହେବା ପରେ ତାଙ୍କ ବିଶ୍ବକପ୍‌ ଖେଳିବା ଆଶା ପୂରା ମଉଳି ଯାଇଛି। ତାଙ୍କ ଆଣ୍ଠୁରେ ଜୋରଦାର ଆଘାତ ଲାଗିଛି। ରିଭର୍ସ ହିଟ୍ ନେଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଆସନ୍ତା ଦିନେ ଦୁଇ ଦିନ ଭିତରେ ‌େସ ଦିଲ୍ଲୀ ଫେରିଯିବାର ଅଛି। ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ସୁନୀଲ ମା‌ସ୍କଟରେ ଖେଳାଯିବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଦଳରେ ସ୍ଥାନ ପାଇ ନଥିଲେ।

ସମ୍ବନ୍ଧିତ ଖବର