ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ ସେମିରେ ଶ୍ରୀକାନ୍ତ

ହଂକଂ: ଏଠାରେ ଚାଲିଥିବା ୪୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ଅନ୍ୟ ସବୁ ଭାରତୀୟ ଖେଳାଳି ବିଦାୟ ନେଇ ସାରିଥିଲା ବେଳେ ପୁରୁଷ ଏକକ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ହିଁ ତିଷ୍ଠି ରହିଛନ୍ତି। ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ତାଙ୍କ ଚୀନ୍‌ ପ୍ରତିଦ୍ବନ୍ଦୀ ତଥା ଅଲିମ୍ପିକ୍‌ ବିଜେତା ଚେନ୍‌ ଲଙ୍ଗ୍‌ ଆହତ ଯୋଗୁଁ ମ୍ୟାଚ୍‌ ଅଧାରୁ ଓହରିଯିବାରୁ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତଙ୍କୁ ସେମିଫାଇନାଲ୍‌ ପ୍ରବେଶ ସହଜ ହୋଇଯାଇଥିଲା। ତଥାପି ଅଲିମ୍ପିକ୍‌ ବିଜେତାଙ୍କ ବିପକ୍ଷ ପ୍ରଥମ ଗେମ୍‌କୁ ବିଶ୍ବର ତ୍ରୟୋଦଶ ମାନ୍ୟତା ଶ୍ରୀକାନ୍ତ ମାତ୍ର ୧୫ ମିନିଟ୍‌ ମଧ୍ୟରେ ୨୧-୧୩ରେ ଜିତି ନେଇଥିଲେ। ଏହାପରେ ବିଶ୍ବ ମାନ୍ୟତାର ଚତୁର୍ଥ ଲଙ୍ଗ୍‌ ଆହତ କାରଣରୁ ଆଉ ଖେଳିବାକୁ ଚାହିଁନଥିଲେ। ଫଳରେ ଶ୍ରୀକାନ୍ତ ବିଜୟୀ ହୋଇଥିଲେ। ଏଥି ସହିତ ଲଙ୍ଗ୍‌ଙ୍କ ବିପକ୍ଷରେ ଶ୍ରୀକାନ୍ତ ତାଙ୍କ ଜୀବନର ଦ୍ବିତୀୟ ବିଜୟ ପାଇଲେ। ଅନ୍ୟପକ୍ଷରେ ପରସ୍ପର ୮ ଥର ମୁହାଁମୁହିଁ ହୋଇଥିଲା ବେଳେ ଲଙ୍ଗ୍‌ ୬ ଥର ଜିତିଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ଗୋଟିଏ ଥର ପାଇଁ ଦୁହେଁ ମାଲେସିଆ ଓପନ୍‌ କ୍ବାର୍ଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ସେଥିରେ ଲଙ୍ଗ୍‌ ସିଧାସଳଖ ଗେମ୍‌ରେ ଶ୍ରୀକାନ୍ତଙ୍କୁ ହରାଇଥିଲେ। ହେଲେ ଜୀବନରେ ପ୍ରଥମ ଥର ପାଇଁ ଶ୍ରୀକାନ୍ତ ୨୦୧୭ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ହିଁ ଲଙ୍ଗ୍‌ଙ୍କୁ ସିଧାସଳଖ ୨୨-୨୦ ଓ ୨୧-୧୬ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର