ହଂକଂ ଓପନ୍‌: ଫାଇନାଲ୍‌ରେ ସିନ୍ଧୁ

ନୂଆଦିଲ୍ଲୀ: ଅନ୍ୟ ସମସ୍ତ ଭାରତୀୟ ଖେଳାଳି କ୍ୱାର୍ଟର ଫାଇନାଲ୍‌ ପୂର୍ବରୁ ବିଦାୟ ନେଇ ସାରିଥିଲା ବେଳେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ଏକମାତ୍ର ଭାରତୀୟ ଭାବେ ଚଳିତ ହଂ କଂ ଓପନ୍‌ ସୁପର୍‌ ସିରିଜ୍‌ ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। ଶୁକ୍ରବାର କ୍ୱାର୍ଟର ଫାଇନାଲ୍‌ରେ ପଞ୍ଚମ ମାନ୍ୟତା ଜାପାନ୍‌ର ଅକାନେ ୟାମାଗୁଚିଙ୍କୁ ୨୧-୧୨, ୨୧-୧୯ରେ ପରାସ୍ତ କରିଥିବା ସିନ୍ଧୁ ଆଉ ଏକ ଏକପାଖିଆ ବିଜୟ ସହ ମହିଳା ଏକକ ଟ୍ରଫି ମୁକାବିଲାରେ ପହଞ୍ଚି ଯାଇଛନ୍ତି। ଶନିବାର ସେମିଫାଇନାଲ୍‌ରେ ସିନ୍ଧୁ ସିଧାସଳଖ ୨୧-୧୭ ଓ ୨୧-୧୭ ଗେମ୍‌ରେ ଥାଇଲାଣ୍ଡ୍‌ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଟାନନ୍‌ ରାଚାନକ୍‌ଙ୍କୁ ପରାସ୍ତ କରି ଫାଇନାଲ୍‌ ପ୍ରବେଶ କରିଛନ୍ତି। ଟ୍ରଫି ପାଇଁ ସିନ୍ଧୁ ତାଇଓ୍ଵାନ୍‌ର ଜୁ ୟିଙ୍ଗ୍‌ ତାଇଙ୍କ ସହ ମୁକାବିଲା କରିବେ। ଉଭୟ ସିନ୍ଧୁ ଓ ଜୁ ୟିଙ୍ଗ୍‌ ଗତବର୍ଷ ମଧ୍ୟ ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ। ଫଳରେ ଏଥର ଗତବର୍ଷର ପୁନରାବୃତ୍ତି ଘଟିବାକୁ ଯାଉଛି। ଶନିବାର ଅନ୍ୟ ସେମିଫାଇନାଲ୍‌ରେ ଜୁ ୟିଙ୍ଗ୍‌ ୨-୧ (୨୧-୯, ୧୮-୨୧ ଓ ୨୧-୭)ରେ କୋରିଆର ଜି ହ୍ୟୁନ୍‌ ସୁଙ୍ଗ୍‌ଙ୍କୁ ପରାସ୍ତ କରି ଫାଇନାଲ୍‌ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର