ହଂକଂ ପାଣି ପିଆଇଦେଲା:ପ୍ରଭାବହୀନ ବିଜୟ

ଦୁବାଇ: ହଂକଂ ବିପକ୍ଷ ପ୍ରଭାବହୀନ ବିଜୟ ସହିତ ଭାରତର ଏସିଆ କପ୍‌ ଅଭିଯାନ ଆରମ୍ଭ ହୋଇଛି। ଶିଖର ଧାଓ୍ଵନଙ୍କ ଧମାକାଦାର ଶତକ ବଳରେ ଭାରତ ୨୮୫ ରନ୍‌ କରିଥିଲା। କିନ୍ତୁ ହଂକଂ ବିନା ଓ୍ଵିକେଟ୍‌ରେ ୧୭୪ ରନ୍‌ ସଂଗ୍ରହ କରି ସାହସିକ ବ୍ୟାଟିଂ ସହ ଡରାଇଥିଲା। ଭାରତୀୟ ସ୍ପିନର କିନ୍ତୁ ଚମତ୍କାର ପ୍ରତ୍ୟାବର୍ତନ କରି ହଂକଂକୁ ୨୫୯/୮ରେ ସୀମିତ ରଖି ନେବାରୁ ଭାରତ ଅପ୍ରତ୍ୟାଶିତ ଭାବେ ୨୬ ରନ୍‌ରେ ଜିତିଯାଇଥିଲା। ଆକର୍ଷଣୀୟ ଶତକ ହାସଲ କରିଥିବା ଶିଖର ଧାଓ୍ଵନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବୁଧବାରର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ନିଜ ଆତ୍ମବିଶ୍ୱାସ ବଢ଼ାଇଛନ୍ତି।
୨୮୬ ରନ୍‌କୁ ପିଛା କରିଥିବା ହଂକଂ ପାଇଁ ଓଡ଼ିଆ ଅଧିନାୟକ ଅଂଶୁମାନ ରଥ (୭୩, ୯୭ ବଲ୍‌, ୪ ଚୌକା, ୧ ଛକା) ଏବଂ ନିଜାକତ ଖାନ୍‌ (୯୨, ୧୧୫ ବଲ୍‌, ୧୨ ଚୌକା, ୧ ଛକା) ପ୍ରଥମ ଓ୍ଵିକେଟ୍‌ ପାଇଁ ୧୭୪ ରନ୍‌ ଯୋଡ଼ିଥିଲେ। ତୃତୀୟ ଥର ପାଇଁ ଭାରତ ୩୩ ଓଭର ଭିତରେ ଗୋଟିଏ ବି ଓ୍ଵିକେଟ୍‌ ପାଇନଥିଲା। ଅଂଶୁମାନଙ୍କୁ ଆଉଟ୍‌ କରି କୁଲଦୀପ ଯାଦବ ହଂକଂକୁ ପ୍ରଥମ ଝଟ୍‌କା ଦେବା ପରେ ପ୍ରଥମ ପଦାର୍ପଣ କରିଥିବା ୨୦ ବର୍ଷୀୟ ଖଲିଲ୍‌ ଅହମ୍ମଦ ୨ ଓ୍ଵିକେଟ୍‌ ନେଇ ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଏହା ପରେ ଗୋଟିଏ ଓଭରରେ ୟୁଜବେନ୍ଦ୍ର ଚହଲ ଯୁଗଳ ଓ୍ଵିକେଟ୍‌ ନେଇ ଭାରତକୁ ବିଜୟ ମୁହାଁ କରିଥିଲେ। ଶେଷ ଭାଗରେ ହଂକଂ ସେଭଳି କିଛି କରିସ୍ମା କରି ନପାରି ପରାଜୟ ବରଣ କରିଥିଲା। ପ୍ରଥମ ପଦାର୍ପଣରେ ବାମହାତୀ ଦ୍ରୁତ ବୋଲର ଖଲିଲ୍‌ ଅହମ୍ମଦ ପ୍ରଭାବୀ (୩/୪୮) ବୋଲିଂ କରିଥିଲେ। ଚହଲ ଓ କୁଲଦୀପ ମିଳିଭାବେ ୫ ଓ୍ଵିକେଟ୍‌ ନେବା ନିର୍ଣ୍ଣାୟକ ହୋଇଥିଲା।
ମଙ୍ଗଳବାର ହଂକଂର ଓଡ଼ିଆ ଅଧିନାୟକ ଅଂଶୁମାନ ରଥ ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ରୋହିତ ଶର୍ମା (୨୩, ୨୨ ବଲ୍‌, ୪ ଚୌକା)ଙ୍କୁ ଏହସାନ୍‌ ଖାନ୍‌ ଆଉଟ୍‌ କରି ହଂକଂକୁ ପ୍ରଥମ ସଫଳତା ଦେଇଥିଲେ। କିନ୍ତୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାଓ୍ଵନ ଏବଂ ଅମ୍ବାତି ରାୟୁଡୁ ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ୧୧୬ ରନ୍‌ ଯୋଡ଼ି ଦଳ ପାଇଁ ବଡ଼ ସ୍କୋର୍‌ ଲାଗି ମୂଳଦୁଆ ପକାଇଥିଲେ। ରାୟୁଡୁ (୬୦, ୭୦ ବଲ୍‌, ୩ ଚୌକା, ୨ ଛକା) ଏହସାନ୍‌ ନଓ୍ଵାଜଙ୍କ ଦ୍ୱାରା କଟ୍‌ ବିହାଇଣ୍ଡ୍‌ ହୋଇ ଯାଇଥିଲେ। ଏହାପରେ ଦୀନେଶ କାର୍ତିକ (୩୩, ୩୮ ବଲ୍‌, ୩ ଚୌକା)ଙ୍କୁ ସାଥି କରି ଶିଖର ଧାଓ୍ଵନ ଆଉ ଏକ ମୂଲ୍ୟବାନ ଭାଗୀଦାରି (୭୯ ରନ୍‌) କରିଥିଲେ। ଶିଖର ଧାଓ୍ଵନ (୧୨୭, ୧୨୦ ବଲ୍‌, ୧୫ ଚୌକା, ୨ ଛକା) ନିଜ ୧୪ତମ ଦିନିକିଆ ଶତକ ହାସଲ କରିଥିଲେ। ରାୟୁଡୁ ନିଜର ୭ ଅର୍ଧଶତକ ମଧ୍ୟରୁ ୫ଟି ଦେଶ ବାହାରେ ମାରିଥିବାରୁ ମଧ୍ୟ ପ୍ରଶଂସିତ ହୋଇଥିଲେ। ଶେଷ ୧୦ ଓଭରରେ ଭାରତ ୫ ଓ୍ଵିକେଟ୍‌ ହରାଇ ମାତ୍ର ୪୮ ରନ୍‌ ଯୋଡ଼ିବାରୁ ସମ୍ଭାବ୍ୟ ୩୦୦ ଅତିକ୍ରମ କରିବା ସମ୍ଭବ ହୋଇନଥିଲା। ମହେନ୍ଦ୍ର ସିଂହ ଧୋନି ୩ ବଲ୍‌ ଖେଳି ଖାତା ଖୋଲିବା ପୂର୍ବରୁ ସ୍ପିନର୍‌ ଏହସାନ୍‌ ଖାନ୍‌ଙ୍କ ଶିକାର ହୋଇଥିଲେ। ନିମ୍ନକ୍ରମରେ କେବଳ କେଦାର ଯାଦବ (୨୮*, ୨୭ ବଲ୍‌, ୧ ଛକା) ଦୁଇ ଅଙ୍କରେ ପହଞ୍ଚିପାରିଥିଲେ। ଭାରତ ୨୮୫/୭ରେ ସୀମିତ ରହିଥିଲା। ମଙ୍ଗଳବାର ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ରାୟୁଡୁ ଏବଂ ଧାଓ୍ଵନ ୧୧୬ ରନ୍‌ ଯୋଡ଼ିବା ଉଭୟଙ୍କ ଲାଗି ଦ୍ୱିତୀୟ ଥର ଶତକୀୟ ଭାଗୀଦାରି ଥିଲା। ୨୦୧୪ରେ ଉଭୟ ଅହମ୍ମଦାବାଦରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଶତକୀୟ ଭାଗୀଦାରି କରିଥିଲେ। ୟୁଏଇରେ କିନ୍ତୁ ଭାରତ ପାଇଁ ଏହା ଅଷ୍ଟମ ଶତକୀୟ ଭାଗୀଦାରି ହୋଇଥିଲା। ତେବେ ୧୯୯୯ ମସିହା ପରେ ଏହା ପ୍ରଥମ ହୋଇଥିଲା। ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ଦୁବାଇରେ ଏହା ଥିଲା ଚତୁର୍ଥ ଶତକୀୟ ଭଗୀଦାରି। ଶେଷ ଥର ପାଇଁ ୨୦୧୫ ମସିହାରେ ଜୋ ରୁଟ୍‌ ଓ ଜାସନ୍‌ ରୟ ୧୪୦ ରନ୍‌ କରିଥିଲେ। ରାୟୁଡୁଙ୍କ ସପ୍ତମ ଅର୍ଧଶତକ କିନ୍ତୁ ଥିଲା ପଞ୍ଚମ ଦେଶ ବିପକ୍ଷରେ। ପୂର୍ବରୁ ସେ ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ଜିମ୍ବାେଓ୍ଵ ବିପକ୍ଷରେ ୫୦ ଅତିକ୍ରମ କରିଥିଲେ।
ଭାରତ-ହଂକଂ ସ୍କୋର୍‌ କାର୍ଡ
ଭାରତ ପାଳି: ୨୮୫/୭
ରୋହିତ ଶର୍ମା-କ-ନିଜାକତ୍‌-ବୋ-ଏହସାନ୍‌-୨୩
ଶିଖର ଧାଓ୍ଵନ୍‌-କ-ତନ୍‌ଓ୍ଵିର୍‌-ବୋ-ସାହା-୧୨୭
ରାୟୁଡୁ-କ-ମ୍ୟାକେନି-ବୋ-ନଓ୍ଵାଜ୍‌-୬୦
ଦୀନେଶ କାର୍ତିକ-କ-ବାବର-ବୋ-ସାହା-୩୩
ଧୋନି-କ-ମ୍ୟାକେନି-ବୋ-ଏହସାନ୍‌-୦୦
କେଦାର ଯାଦବ-ଅପରାଜିତ-୨୮
ଭୁବନେଶ୍ୱର-କ-ଅଂଶୁମାନ-ବୋ-ସାହା-୦୯
ସାର୍ଦୁଲ-କ-କାର୍ଟର-ବୋ-ଆଇଜାଜ୍‌-୦୦
କୁଲ୍‌ଦୀପ୍‌ ଯାଦବ-ଅପରାଜିତ-୦୦
ଅତିରିକ୍ତ: (ବା-୨, ନୋ-୧, ଓ୍ଵା-୨)୦୫
ମୋଟ-(୫୦ ଓଭର, ୭ ଓ୍ଵିକେଟ୍‌)-୨୮୫
ଓ୍ଵିକେଟ୍‌ ପତନ-୧/୪୫, ୨/୧୬୧, ୩/୨୪୦, ୪/୨୪୨, ୫/୨୪୮, ୬/୨୭୭, ୭/୨୮୨।
ବୋଲିଂ: ତନ୍‌ଓ୍ଵିର୍‌ ଅଫ୍‌ଜଲ୍‌ ୪-୦-୩୪-୦, ଏହସାନ୍‌ ନଓ୍ଵାଜ୍‌ ୮-୦-୫୦-୧, ଆଇଜାଜ୍‌ ଖାନ୍‌ ୮-୦-୪୧-୧, ଏହସାନ୍‌ ଖାନ୍‌ ୧୦-୦-୬୫-୨, ନଦୀମ୍‌ ଅହମ୍ମଦ ୧୦-୦-୩୯-୦, ନିଜାକତ୍‌ ଖାନ୍‌ ୧-୦-୧୫-୦, କିଞ୍ଚିତ ସାହା ୯-୦-୩୯-୩।
ହଂକଂ ପାଳି: ୨୫୯/୮
ନିଜାକତ ଖାନ୍‌୍‌-ଏଲ୍‌ବି-ବୋ-ଖଲିଲ୍‌-୯୨
ଅଂଶୁମାନ ରଥ-କ-ରୋହିତ-ବୋ-କୁଲଦୀପ- ୭୩
ବାବର ହାୟତ୍‌-କ-ଧୋନି-ବୋ-ଚହଲ-୧୮
ସି କାର୍ଟର-କ-ଧୋନି-ଖଲିଲ୍‌-୦୩
କିଞ୍ଚିତ ସାହା-କ-ଧାଓ୍ଵନ-ଚହଲ-୧୭
ଏହସାନ୍‌ ଖାନ-କ ଆଣ୍ଡ୍‌ ବୋ-ଖଲିଲ- ୨୨
ଏଜାଜ୍‌ ଖାନ୍‌-ଏଲ୍‌ବି-ବୋ-ଚହଲ- ୦୦
ସ୍କଟ୍‌ ମ୍ୟାକେନି-କ-ଧୋନି-ବୋ-କୁଲଦୀପ- ୦୭
ତନଭୀର ଅଫଜଲ-ଅପରାଜିତ- ୧୨
ଏହସାନ୍‌ ନଓ୍ଵାଜ-ଅପରାଜିତ- ୦୨
ଅତିରିକ୍ତ: (ଏଲ୍‌ବି-୪, ନୋ-୩, ଓ୍ଵା-୬)୧୩
ମୋଟ-(୫୦ ଓଭର, ୮ ଓ୍ଵିକେଟ୍‌)-୨୫୯
ଓ୍ଵିକେଟ୍‌ ପତନ: ୧/୧୭୪, ୨/୧୭୫, ୩/୧୯୧, ୪/୧୯୯, ୫/୨୨୭, ୬/୨୨୮, ୭/୨୪୦, ୮/୨୫୬।
ବୋଲିଂ: ଭୁବନେଶ୍ୱର କୁମାର ୯-୦-୫୦-୦, ଖଲିଲ ଅହମ୍ମଦ ୧୦-୦-୪୮-୩, ସାର୍ଦୁଲ ଠାକୁର ୪-୦-୪୧-୦, ୟୁଜ୍‌ବେନ୍ଦର ଚହଲ୍‌ ୧୦-୦-୪୬-୩, କୁଲ୍‌ଦୀପ ଯାଦବ ୧୦-୨-୪୨-୨, କେଦାର ଯାଦବ ୭-୦-୨୮-୦।

ସମ୍ବନ୍ଧିତ ଖବର