ହଂକଂ ଓପନ୍‌ ମୁଖ୍ୟ ପର୍ଯ୍ୟାୟରେ କାଶ୍ୟପ

କୋଲୁନ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ପରୁପଲ୍ଲୀ କାଶ୍ୟପ ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟ ପାରି କରିଛନ୍ତି। ୪୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାର ମଙ୍ଗଳବାର ପୁରୁଷ ଏକକ ପ୍ରଥମ ମ୍ୟଚ୍‌ରେ କାଶ୍ୟପ ୨୧-୧୩, ୨୧-୧୯ରେ ସ୍ଥାନୀୟ ଖେଳାଳି ଲି ଚିଉକ୍‌ ୟିଉଙ୍କୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ୨୧-୧୨, ୨୧-୧୦ରେ ଚାଇନିଜ୍‌ ତାଇପେର କାନ୍‌ ଚାଓ ୟୁଙ୍କୁ ପରାସ୍ତ କରି ମୁଖ୍ୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେ କୋରିଆର ଲି ଡଙ୍ଗ୍‌ କିଉନ୍‌ଙ୍କୁ ଭେଟିବେ। ପୁରୁଷ ଯୁଗଳରେ ଅର୍ଜୁନ ଏମ୍‌ଆର୍‌-ରାମଚନ୍ଦ୍ରନ୍‌ ଶ୍ଲୋକ ହଂକଂର ଲି କୁଏନ୍‌ ହୋ-ୟିଙ୍ଗ୍‌ ଶିଙ୍ଗ୍‌ ଚୋଇଙ୍କୁ ୨୧-୧୪, ୨୧-୧୮ରେ ହରାଇ ଥିଲା ବେଳେ କୋରିଆର କିମ୍‌ ଓ୍ଵନ୍‌ ହୋ-ସିଓଙ୍ଗ୍‌ ଜାଏ ସିଓଙ୍କଠୁ ୧୯-୨୧, ୧୭-୨୧ରେ ହାରି ବିଦାୟ ନେଇଥିଲେ। ମିଶ୍ରତ ଯୁଗଳରେ ଜାତୀୟ ବିଜେତା ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୁନ୍ନାପ୍ପା ୧୮-୨୧, ୧୧-୨୧ରେ ଇଣ୍ଡୋନେସିଆର ହାଫିଜ୍‌ ଫୈଜାଲ-ଗ୍ଲୋରିଆ ଏମାନୁଏଲ୍‌ଙ୍କଠୁ ହାରି ମୁଖ୍ୟ ପର୍ଯ୍ୟାୟ ପୂର୍ବରୁ ସ୍ୱଦେଶ ଫେରିଛନ୍ତି।

ସମ୍ବନ୍ଧିତ ଖବର