ଶୃଙ୍ଖଳା ପୋଛିଲା ଭାରତ: କଡ଼ା ଟକ୍କର ଦେଇ ଦ୍ବିତୀୟ ‌ଟ୍ବେଣ୍ଟି-୨୦ ହାରିଲା ଆୟର୍ଲାଣ୍ଡ

ହୁଦାଙ୍କ କୀର୍ତ୍ତିମାନଭରା ଶତକ

ଡବଲିନ୍: ଅନଭିଜ୍ଞ ହୋଇଥିଲେ ବି ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼ିଲା ଆୟର୍ଲାଣ୍ଡ। ଶେଷ ଓଭରରୁ ବିଜୟ ପାଇଁ ୧୭ ରନ୍‌ର ଦରକାର ଥିଲା ବେଳେ ପ୍ରଥମ ତିନି ବଲ୍‌ରୁ ୯ ରନ୍ ନେଇ ଭାରତ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେବାର ଦ୍ବାର ଦେଶରେ ପହଞ୍ଚିଲା। ହେଲେ ମୂଳରୁ ମହଙ୍ଗା ସାବ୍ୟସ୍ତ ହୋଇଥିବା ନବାଗତ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ଶେଷ ୩ ବଲ୍‌ରେ ମାତ୍ର ୩ ରନ୍ ଦେବା ପରେ ଭାରତ ୪ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କଲା। ତା ସହ ଦୁଇ ଟିକିଆ ଶୃଙ୍ଖଳାକୁ ୨-୦ରେ ପୋଛିନେଲା। ଅନ୍ୟପକ୍ଷରେ ଲଢ଼ୁଆ ବ୍ୟାଟିଂ କରି ଅଜସ୍ର ପ୍ରଶଂସା ସାଉଣ୍ଟି ଥିଲେ ମଧ୍ୟ ଭାରତ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିବାରୁ ଆୟର୍ଲାଣ୍ଡ ବଞ୍ଚିତ ହେଲା। ଶତକୀୟ ପାଳି ଖେଳି ଏହି ମ୍ୟାଚ୍‌କୁ ସ୍ମରଣୀୟ କରିଥିବା ଦୀପକ ହୁଦା ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହା ପୂର୍ବରୁ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୭ ୱିକେଟ୍‌ରେ ଜିତି ନେଇଥିଲା।

ମଙ୍ଗଳବାରର ଶୃଙ୍ଖଳା ନିର୍ଣ୍ଣାୟକ ମୁକାବିଲାରେ ଭାରତ ୨୨୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଆୟର୍ଲାଣ୍ଡ ୫ ୱିକେଟ୍ ବିନିମୟରେ ୨୨୧ ରନ୍‌ରେ ସୀମିତ ରହିଥିଲା। ଅଧିନାୟକ ଆଣ୍ଡ୍ରିୟୁ ବଲବରିନ୍ (୬୦), ଅଭିଜ୍ଞ ପଲ୍ ଷ୍ଟ୍ରିଙ୍ଗ୍ (୪୦) ଓ ଜର୍ଜ ଡକରେଲ୍ (୩୪*)ଙ୍କ ବିସ୍ଫୋରକ ବ୍ୟାଟିଂ ଶେଷରେ ବେକାର ଯାଇଥିଲା। ଏହି ହାଇସ୍କୋରିଂ ମୁକାବିଲାରେ ଭାରତ ସ୍କୋରକୁ ପ୍ରଥମେ ୨୨୭ ରନ୍ ବୋଲି ଦର୍ଶାଯାଇଥିଲା। ହେଲେ ୧୯.୧ ଓଭରରେ ଭାରତୀୟ ଅଧିନାୟକ ହାର୍ଦିକ ପାଣ୍ଡ୍ୟା କୌଣସି ରନ୍ ନେଇ ନଥିଲା ବେଳେ ସ୍କୋରର୍ ତ୍ରୁଟପୂର୍ଣ୍ଣ ଭାବେ ୨ ରନ୍ ଯୋଡ଼ି ‌ଦେଇଥିବାରୁ ପରବର୍ତ୍ତୀ ସମୟରେ ଏହାକୁ ୨୨୫କୁ କମାଇ ଦିଆଯାଇଥିଲା। ଫଳରେ ଆୟର୍ଲାଣ୍ଡ ସମ୍ମୁଖରେ ୨୨୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ଭାରତ ଆଜି ତା’ର ଓପନିଂ ଯୋଡ଼ିକୁ ବଦଳାଇଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଈଶାନ କିଶନ (୩)ଙ୍କ ସହ ସଞ୍ଜୁ ସାମସନ୍ (୭୭) ପାଳି ଆରମ୍ଭ କରିଥିଲେ। ଈଶାନ କିନ୍ତୁ ନିରାଶ କରିଥିଲେ। ମାତ୍ର ୩ ରନ୍‌ର ବ୍ୟକ୍ତିଗତ ସ୍କୋରରେ ମାର୍କ ଏଦେରଙ୍କ ବଲ୍‌କୁ ମିସ୍ ଟାଇମ୍ କରି ଆୟର୍ଲାଣ୍ଡ ୱିକେଟ୍ ରକ୍ଷକ ଲୋର୍କାନ୍ ଟକ୍କରଙ୍କ ହାତରେ ଧରାପଡ଼ିଥିଲେ ସେ। ୧୩ ରନ୍‌ରେ ଈଶାନଙ୍କ ରୂପରେ ଭାରତ ତାର ପ୍ରଥମ ୱିକେଟ୍ ହରାଇଥିଲା। ଏହା ପରେ କିନ୍ତୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଦା‌ (୧୦୪) ସାମସନଙ୍କ ସହ ମିଶି ସ୍ଥାନୀୟ ମାଲହାଦେ ପଡ଼ିଆରେ ମାଇଲଖୁଣ୍ଟ ଭାଗୀଦାରି କରିଥିଲେ। ଉଭୟ ଛକା,ଚୌକା ବର୍ଷା କରି ଦ୍ବିତୀୟ ୱିକେଟ୍‌ରେ ୧୭୬ ରନ୍ (୮୬ ବଲ୍) ଯୋଡ଼ିଥିଲେ। ସାମସନ୍ ତାଙ୍କ ପ୍ରଥମ ଅନ୍ତର୍ଜା‌ତୀୟ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ହୁଦା ନିଜ ପ୍ରଥମ ଅର୍ଦ୍ଧଶତକକୁ ଶତକରେ ରୂପାନ୍ତର କରି ଭାରତୀୟ ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇଥିଲେ। ସେହିଭଳି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଶତକ ଅର୍ଜନ କରିବାରେ ଚତୁର୍ଥ ଭାରତୀୟ ହୋଇଥିଲେ ସେ। ଟ୍ବେଣ୍ଟି-୨୦ରେ ଏହା ମଧ୍ୟ ଭାରତ ପାଇଁ ଯେ କୌଣସି ୱିକେଟ୍ ଲାଗି ସର୍ବବୃହତ୍ ଭାଗୀଦାରି ଥିଲା। ଏହା ପୂର୍ବରୁ ଏହି କୀର୍ତ୍ତିମାନ ରୋହିତ ଶର୍ମା ଓ କେଏଲ୍ ରାହୁଲ ( ପ୍ରଥମ ୱିକେଟ୍, ୧୬୫ ରନ୍, ବନାମ ଶ୍ରୀଲଙ୍କା, ୨୦୧୭)ଙ୍କ ନାମରେ ଥିଲା। ତେବେ ଶେଷ ୩ ଓଭରରେ ୫ ୱିକେଟ୍ ହରାଇବା ପରେ ୨୨୭ (୭ ୱିକେଟ୍) ରନ୍‌ରେ ଅଟକି ଯାଇଥିଲା ଭାରତ। ସାମସନ୍ ଓ ହୁଦା ଥିଲା ବେଳେ କିନ୍ତୁ ଭାରତ ୨୫୦ ରନ୍ କରିନେବ ବୋଲି ଆଶା କରାଯାଉଥିଲା। ଶେଷ ୫ ଓଭରରେ ପ୍ରତ୍ୟାବର୍ତ୍ତନ କରି ଆୟର୍ଲାଣ୍ଡ ବୋଲର ୫୦ ରନ୍ ‌ଦେଇ ଭାରତର ୬ ୱିକେଟ୍ ଝାଡ଼ିଥିଲେ।

ସମ୍ବନ୍ଧିତ ଖବର