ସୁରେଶ ସ୍ବାଇଁ
ଭୁବନେଶ୍ବର: ଭାରତୀୟ ଟେବୁଲ୍ ଟେନିସ୍ର କିଂବଦନ୍ତି ପୁରୁଷ କମଲେଶ ମେହେଟା ସମ୍ପ୍ରତି ଭୁବନେଶ୍ବରରେ ସପ୍ତାହେ ଡେରା ପକାଇ ଫେରିଛନ୍ତି। ବୁଧବାର ରାତିରେ କଳିଙ୍ଗ ଷ୍ଟାଡିୟମ୍ରେ ସରିଥିବା ୨୮ତମ ଏସୀୟ ଦଳଗତ ଟେବୁଲ୍ ପ୍ରତିଯୋଗିତା ଆୟୋଜନରେ ବଡ଼ ଭୂମିକା ତୁଲାଇଥିଲେ ଏହି ମହାନ ଖେଳାଳି। ସଫଳ ଖେଳାଳିରୁ ସଫଳ ପ୍ରଶିକ୍ଷକ, ପ୍ରଶାସକ ପାଲଟିଥିବା କମଲେଶ ଭାରତୀୟ ଟେବୁଲ୍ ଟେନିସ୍ ସଂଘ (ଟିଟିଏଫ୍ଆଇ)ର ମହାସଚିବ ଭାବେ ଏହି ମହାଦେଶୀୟ ପ୍ରତିଯୋଗିତାର ସଫଳତା ବି ସାଉଣ୍ଟିଛନ୍ତି। ପ୍ରତିଯୋଗିତା ଶେଷରେ ‘ସମ୍ବାଦ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଥିଲେ ଅନେକ କଥା।
ଭୁବନେଶ୍ବରରେ ଶେଷ ହୋଇଥିବା ଏସୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ସୁଦୂର ପ୍ରସାରୀ ପ୍ରଭାବ ରହିବ। ଟେବୁଲ୍ ଟେନିସ୍ର ଗୁରୁତ୍ବ ବଢ଼ିଛି ଏବଂ ଏହାର ସୁନାମ ବି ଆଗକୁ ବଢ଼ିଛି। କେବଳ ଭାରତରେ ନୁହେଁ, ବିଶ୍ବରେ ମଧ୍ୟ ଓଡ଼ିଶାର ସୁଆୟୋଜନ ନେଇ ସୁଖ୍ୟାତି ରହିଛି। ପୂର୍ବରୁ ହକି ଓ ଆଥଲେଟିକ୍ସ ଭଳି ଟେବୁଲ୍ ଟେନିସ୍କୁ ବି ବଡ଼ ଲମ୍ଫ ମିଳିଯାଇଛି। ଓଡ଼ିଶା ସରକାରଙ୍କ ସମର୍ଥନ, ପ୍ରଶଂସାର ହକ୍ଦାର। ବିଶ୍ବ ଦରବାରରେ ବି ଭାରତର ପତିଆରା ବଢ଼ାଇବାରେ ଏହା ବଡ଼ ଯୋଗଦାନ ରଖୁଛି। ଏସୀୟ ପ୍ରତିଯୋଗିତା ଶେଷରେ ଟେବୁଲ୍ ଟେନିସ୍ ବି ଅଧିକ ଗତିଶୀଳ ହୋଇପାରିବ ବୋଲି ବିଶ୍ବାସ ଆସିଛି। ଏଥର ଏସୀୟ ପ୍ରତିଯୋଗିତା ବିଶେଷ ଗୁରୁତ୍ବ ରଖିଥିଲା ଆସନ୍ତା ବର୍ଷର ବିଶ୍ବ ଟିଟି ପ୍ରତିଯୋଗିତାର ଯୋଗ୍ୟତା ଦୃଷ୍ଟିରୁ। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଥିଲେ। କିନ୍ତୁ ଏଥର ଏଠାରେ ପଦକ ଜିତି ନପାରିବାରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। କିଛି ଖେଳାଳିଙ୍କ ଆହତ ସମସ୍ୟା ସହିତ ଭେଟେରାନ୍ ଶରତ କମଲଙ୍କ ଅବସର କାରଣରୁ ବହୁ ଯୁବ ଖେଳାଳିଙ୍କୁ ପ୍ରଥମ ଥର ଏସୀୟ ପଦାର୍ପଣ କରିବାକୁ ପଡ଼ିଥିଲା। ଭାରତୀୟ ଦଳ ପରିବର୍ତ୍ତନଶୀଳ ସମୟ ଦେଇ ଗତି କରୁଥିବାରୁ ଏଭଳି ଫଳ ମିଳିଛି। ତଥାପି ଯଶସ୍ବିନୀ ଘୋରପଡ଼େ, ସ୍ବସ୍ତିକା ଘୋଷ, ଦିୟା ଚିତାଲେ, ଅଙ୍କୁର ଭଟ୍ଟାଚାର୍ଯ୍ୟ ପ୍ରମୁଖ ପ୍ରଶଂସନୀୟ ଖେଳିଥିଲେ। ଏବେ ବିଶ୍ବ ପ୍ରତିଯୋଗିତା ଉପରେ ଆମ ଏକାଗ୍ରତା ରହିବ ବୋଲି କହିଥିଲେ ୬୫ ବର୍ଷୀୟ କମଲେଶ। ଟେବୁଲ୍ ଟେନିସ୍ ଭଳି ଖେଳରେ ରାତାରାତି କିଛି ସଫଳତା ମିଳିଯାଏନାହିଁ। ଓଡ଼ିଶା ଖେଳାଳିମାନେ ଆଗକୁ ବଢ଼ିବାକୁ ହେଲେ କଠିନ ପରିଶ୍ରମ ଓ ତ୍ୟାଗ କରିବା ଉଚିତ। ଲମ୍ବା ସମୟ ଧରି ପରିଶ୍ରମ କରିପାରିଲେ ହିଁ ସଫଳତା ମିଳିବ ବୋଲି ସେ କହିଥିଲେ।
ବ୍ୟକ୍ତିଗତ ଭାବେ ଟିଟି ମୋତେ ବହୁତ କିଛି ଦେଇଛି। ସୁନାମ, ସ୍ବୀକୃତି, ପ୍ରସିଦ୍ଧି ମୁଁ ଟିଟିରୁ ପାଇଛି। ଏତେ ଦେଶ ବୁଲିଛି, ଏତେ ବନ୍ଧୁତା ପାଇଛି ସବୁକିଛି ଏହି ଖେଳ ପାଇଁ। ପରିବାର ଓ ସରକାରଙ୍କୁ ତ ନିଶ୍ଚିତ ଶ୍ରେୟ ଯିବ। ସମାନ ସମୟରେ ମାତ୍ର ୧୦ ବର୍ଷ ବୟସରେ ଖେଳକୁ ଆସିଥିବା ବେଳେ ମୋ ବିଦ୍ୟାଳୟର ସମର୍ଥନ ପାଇଁ ବି କୃତଜ୍ଞତା ଜଣାଇବି ବୋଲି ଗର୍ବର ସହ କହିଥିଲେ ଅର୍ଜୁନ ପୁରସ୍କାର ବିଜେତା ଏହି ମହାନ ଖେଳାଳି। ନିଜର ସ୍ବର୍ଣ୍ଣିମ ସମୟ କି ଅବସୋସର ପ୍ରଶ୍ନ ବେଳକୁ କମଲେଶ କହିଥିଲେ ‘ମୁଁ ଶୁଣିଛି ସ୍ବର୍ଣ୍ଣିମ ମୁହୂର୍ତ୍ତ ସବୁ ଆଗକୁ ଆସିବାର ଥାଏ। ଆଶା କରିବି ଏହା ଦିନେ ଆସିବ’।
ଟିଟି ଜୀବନ ଓ ଟିଟି ଦମ୍ପତି
ଅଶି ଓ ନବେ ଦଶକରେ ପ୍ରାୟ ଦୁଇ ଦଶନ୍ଧି ଧରି ଭାରତୀୟ ଟେବୁଲ୍ ଟେନିସ୍କୁ ରୁଦ୍ଧିମନ୍ତ କରିଥିବା କମଲେଶ ମେହେଟା ଅନେକ ବର୍ଷ ଯାଏ ସର୍ବାଧିକ ୮ ଥର ଜାତୀୟ ବିଜେତା ରେକର୍ଡକୁ ନିଜ ନାମରେ ରଖିଥିଲେ। ତାଙ୍କୁ ପରବର୍ତ୍ତୀ କିଂବଦନ୍ତି ଅଚନ୍ତ ଶରତ କମଲ (୧୦ ଥର) ଅତିକ୍ରମ କରିଥିଲେ। ତେବେ ଯେଉଁ ସମୟରେ ଭାରତୀୟ ଖେଳ ଏତେ ସୁଖ୍ୟାତି ଅର୍ଜନ କରି ନଥିଲା ସେତେବେଳେ କମଲେଶ ଟିଟିକୁ ନୂଆ ଦିଶା ଦେଖାଇଥିଲେ। ୧୯୮୨ରୁ ୧୯୮୯ ପର୍ଯ୍ୟନ୍ତ ଭାରତୀୟ ଦଳର ନେତୃତ୍ବ ନେବା ସହ ଦେଶର ସର୍ବୋଚ୍ଚ ମାନ୍ୟତା ଟିଟି ଖେଳାଳି ଭାବେ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ବିଶ୍ବ ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ବ କରିଥିଲେ। ୭ ଥର ବିଶ୍ବ ପ୍ରତିଯୋଗିତା, ୮ ଥର ଏସୀୟ ପ୍ରତିଯୋଗିତା, ୨ ଥର ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିଛନ୍ତି। ୧୯୯୧ କଲମ୍ବୋ ସାଫ୍ ଗେମ୍ସରେ କମଲେଶ ୭ ସ୍ବର୍ଣ୍ଣ ଓ ୪ ରୌପ୍ୟ ପଦକ ଜିତିବା ଶ୍ରେଷ୍ଠ ହୋଇ ରହିଛି। ୧୯୮୫ରେ ସେ ଅର୍ଜୁନ ପୁରସ୍କାର ଏବଂ ପ୍ରଥମ ଭାରତୀୟ ଭାବେ ୧୯୮୯ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଫେୟାର ପ୍ଲେ ପୁରସ୍କାର ଜିତିଥିଲେ। ୧୯୯୮ଠାରୁ ଆରମ୍ଭ କରି ଏକାଧିକ ଥର ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ମଧ୍ୟ କାମ କରିଥିଲେ। କମଲେଶଙ୍କ ଜୀବନ ଓ ଜୀବନସାଥୀ ବି ଟେବୁଲ୍ ଟେନିସ୍ମୟ ହୋଇ ରହିଛି। ପୂର୍ବତନ ଟିଟି ଖେଳାଳି ମୋନାଲିସା ବରୁଆଙ୍କୁ ସେ ବିବାହ କରିଛନ୍ତି। ୧୯୮୭ରେ ମଧ୍ୟ ମୋନାଲିସାଙ୍କୁ ଟିଟି ପାଇଁ ଅର୍ଜୁନ ପୁରସ୍କାର ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/17/sdggddgg-2025-10-17-02-12-46.jpg)