ବର୍ମିଂହାମ: ଭାରତର ବର୍ମିଂହାମ ବିଜୟରେ ନୂଆ ଦ୍ରୁତ ବୋଲର୍ ଯୋଡ଼ି ମହମ୍ମଦ ସିରାଜ ଓ ଆକାଶ ଦୀପ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ସିରାଜଙ୍କ ୬ ୱିକେଟ୍ ସଫଳତା ବଳରେ ପ୍ରଥମ ପାଳିରେ ଇଂଲଣ୍ଡକୁ ଭାରତକୁ ୪୦୭ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲା। ଦ୍ବିତୀୟ ପାଳିରେ ଆକାଶ ଦୀପଙ୍କ ୬ ୱିକେଟ୍ ସଫଳତା ବଳରେ ଏଠାରେ ପ୍ରଥମ ଥର ବିଜୟୀ ହୋଇଥିଲା। ପ୍ରଥମ ପାଳିରେ ୪ ୱିକେଟ୍ ନେଇଥିବା ଆକାଶ ଦୀପ ୧୮୭ ରନ୍ ଦେଇ ୧୦ ୱିକେଟ୍ ନେଇଥିଲେ। ଯାହା ତାଙ୍କ ଟେଷ୍ଟ୍ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ସିରାଜ ମଧ୍ୟ ନିଜ ଖେଳ ଜୀବନର ଚତୁର୍ଥ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ। ଉଭୟ ମିଶି ୭୨.୪ ଓଭର ବୋଲିଂ କରି ୩୧୪ ବିନିମୟରେ ଇଂଲଣ୍ଡର ୨୦ରୁ ୧୭ ୱିକେଟ୍ କରାୟତ୍ତ କରିଥିଲେ।
ପ୍ରଥମ ପାଳିରେ ଇଂଲଣ୍ଡର ସମସ୍ତ ୧୦ ୱିକେଟ୍ ଏହି ଦୁଇଜଣ ଅକ୍ତିଆର କରିଥିଲେ। ବୁମ୍ରାଙ୍କ ଅନୁପସ୍ଥିତିରେ ଏହି ଦୁଇ ଜଣ ହିଁ ଭାରତୀୟ ବୋଲିଂର ମଙ୍ଗ ସମ୍ଭାଳିଥିଲେ। ଏଣୁ ଲର୍ଡସରେ ଗୁରୁବାରଠାରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ରେ ଉଭୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଆଶା କରାଯାଇଛି। ଏହି ମ୍ୟାଚ୍ରେ ବୁମ୍ରା ଫେରିବେ ବୋଲି ଅଧିନାୟକ ଶୁବମନ ଗିଲ୍ ସୂଚନା ଦେଇଛନ୍ତି। ସେଥିପାଇଁ ସିରାଜ-ଆକାଶ ଦୀପ ଓ ବୁମ୍ରା ଇଂଲଣ୍ଡକୁ ପୁଣି ଥରେ ପରୀକ୍ଷାରେ ପକାଇବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।
ସିରାଜଙ୍କ କ୍ୟାଚ୍ ସବୁଠୁ ସ୍ମରଣୀୟ: ଗିଲ୍
ବର୍ମିଂହାମ ଟେଷ୍ଟ୍ ଜିତି ଭାରତୀୟ ଖେଳାଳିମାନେ ଐତିହାସିକ ସଫଳତା ହାସଲ କରିଛନ୍ତି। ୫୮ବର୍ଷର ପରାଜୟ ଧାରା ଭାଙ୍ଗି ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମ୍ରେ ବିଜୟର ବାନା ଉଡ଼ାଇବା ପରେ ସାରା ଜୀବନ ପାଇଁ ଅଭୁଲା ମୁହୂର୍ତ୍ତ ସାଉଣ୍ଟିଛନ୍ତି। ଅଧିନାୟକତ୍ବର ପ୍ରଥମ ବିଜୟ ପୁଣି ଏଥିରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ଅଧିନାୟକ ଶୁବମନ୍ ଗିଲ୍ଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ପାଲଟିଛି। ବ୍ୟକ୍ତିଗତ ଭାବେ ପ୍ରଥମ ପାଳିରେ ଦ୍ବିଶତକ ଏବଂ ଦ୍ବିତୀୟ ପାଳିରେ ଶତକ ସହ ମୋଟ ୪୩୦ ରନ୍ କରିଛନ୍ତି ଗିଲ୍। ସେହିଭଳି ଯୁବ ବୋଲର ଆକାଶ ଦୀପ ୧୦ ୱିକେଟ୍ ସଫଳତା ହାସଲ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେବେ ଏସବୁ ନୁହେଁ ବରଂ ଶେଷ ଦିନରେ ରବୀନ୍ଦ୍ର ଜାଡ଼େଜାଙ୍କ ବୋଲିଂରେ ମହମ୍ମଦ ସିରାଜ ବ୍ରାଏଡନ୍ କାର୍ସଙ୍କର ଗୋଟିଏ ହାତରେ ନେଇଥିବା କ୍ୟାଚ୍ ତାଙ୍କ ପାଇଁ ବର୍ମିଂହାମ ଟେଷ୍ଟ୍ର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି କହିଛନ୍ତି ଗିଲ୍।
ଏକ ସାକ୍ଷାତକାର ବେଳେ ୨୫ବର୍ଷୀୟ ଗିଲ୍ ନିଜ ମନର ଭାବନାକୁ ପରିପ୍ରକାଶ କରି କହିଛନ୍ତି, ଆଜି ଆମେ ଯେଉଁ ସ୍ଥିତିରେ ଅଛୁ, ସେଥିଲାଗି ଗତ ୬ରୁ ୮ ମାସ ହେବ କଠିନ ପରିଶ୍ରମ କରିଛୁ। ଦଳର ବିଜୟରେ ସବୁ ଖେଳାଳି ନିଜ ନିଜର ଯୋଗଦାନ ରଖିବା ଅଧିକ ଆନନ୍ଦଦାୟକ। ମ୍ୟାଚ୍ର ଶେଷ କ୍ୟାଚ୍ ନେବା ମୋ ଭାଗ୍ୟରେ ଥିଲା। ଏହି ବିଜୟ ନିଶ୍ଚିତ ଭାବେ ମୋ କ୍ରିକେଟ୍ ଯାତ୍ରାର ଅନ୍ୟତମ ମାଇଲ୍ଖୁଣ୍ଟ ହୋଇ ରହିବ। ଏହା ଏଭଳି ଏକ ସଫଳତା, ଯାହାକୁ ନେଇ ସାରା ଜୀବନ ମୁଁ ଉଲ୍ଲସିତ ହେବି। ଯେତେବେଳେ ଅବସର ନେବି, ଏହା ସମ୍ଭବତଃ ମୋ ଖେଳ ଜୀବନର ଅନ୍ୟତମ ସୁଖଦ ମୁହୂର୍ତ୍ତ ଭାବେ ମନେ ପକାଇବି। ମୋ ଯୁଗଳ ଶତକ ଏବଂ ଆକାଶ ଦୀପଙ୍କ ୧୦ ୱିକେଟ୍ ସବୁବେଳେ ମନେ ରହିବ। ମୋ ପାଇଁ କିନ୍ତୁ ଏହି ମ୍ୟାଚ୍ର ସବୁଠାରୁ ସ୍ମରଣୀୟ ମୁହୁର୍ତ୍ତ ସିରାଜଙ୍କ ସେହି ଅସାଧାରଣ କ୍ୟାଚ୍ ହୋଇ ରହିବ। ସମସ୍ତଙ୍କ ପାଇଁ ମୁଁ ବହୁତ ଗର୍ବିତ। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ଦ୍ବିତୀୟ ପାଳିର ୬୩.୫ ଓଭରରେ ଜାଡ଼େଜାଙ୍କ ଫୁଲ୍ ଲେନ୍ଥ ବଲ୍କୁ ବ୍ରାଏଡନ୍ କାର୍ସ ମିଡ୍ୱିକେଟ୍କୁ ଖେଳି ସିଙ୍ଗଲ ଚୋରାଇବା ଲକ୍ଷ୍ୟରେ ଥିଲେ। ବଲ୍ କିଛି ସମୟ ଉପରେ ରହିଥିଲା। ଏହି ସୁଯୋଗରେ ସିରାଜ ନିଜ ପୂରା ଶରୀରକୁ ଲମ୍ବାଇ ଡାହାଣ ପଟକୁ ଡାଇଭ୍ ମାରି ଏହାକୁ ଗୋଟିଏ ହାତରେ କ୍ୟାଚ୍ କରି ନେଇଥିଲେ। ଯାହା ଏହି ମ୍ୟାଚ୍ର ଅନ୍ୟତମ ଶ୍ରେଷ୍ଠ କ୍ୟାଚ୍ ଥିଲା।
ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍: ପଏଣ୍ଟ୍ ଖାତା ଖୋଲିଲା ଭାରତ
ଚଳିତ ଇଂଲଣ୍ଡ ବିପକ୍ଷ ପାଞ୍ଚଟିକିଆ ଶୃଙ୍ଖଳାରୁ ୨୦୨୫-୨୭ ଚକ୍ର ଲାଗି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡଠାରୁ ହାରିଥିବା ଭାରତ କିନ୍ତୁ ଦ୍ବିତୀୟ ଟେଷ୍ଟ୍ରୁ ପଏଣ୍ଟ୍ ଖାତା ଖୋଲିଛି। ଏଜବାଷ୍ଟନ୍ ଟେଷ୍ଟ୍କୁ ୩୩୬ ରନ୍ର ବଡ଼ ବ୍ୟବଧାନରେ ଜିତିବା ପରେ ଭାରତ ୧୨ ପଏଣ୍ଟ୍ ସହ ୫୦ ପର୍ସେଣ୍ଟେଜ୍ ଅଫ୍ ପଏଣ୍ଟ୍ ବା ପିସିଟି ହାସଲ କରିଛି। ସଂପ୍ରତି ଟିମ୍ ଇଣ୍ଡିଆ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ତାଲିକାରେ ଇଂଲଣ୍ଡ ସହ ଯୁଗ୍ମ ତୃତୀୟ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆ ୨୪ ପଏଣ୍ଟ୍ ଏବଂ ୧୦୦ ସିପିଟି ପାଇ ପ୍ରଥମ ସ୍ଥାନରେ ରହିଛି। ଶ୍ରୀଲଙ୍କା (୧୬ ପଏଣ୍ଟ, ୬୬.୭୭ ପିସିଟି) ଦ୍ବିତୀୟରେ ଥିଲା ବେଳେ ଭାରତ ଓ ଇଂଲଣ୍ଡ ପରବର୍ତ୍ତୀ ସ୍ଥାନ ଅଳଙ୍କୃତ କରିଛନ୍ତି। ବାଂଲାଦେଶ (୪ ପଏଣ୍ଟ୍, ୧୬.୬୭ ପିସିଟି) ପଞ୍ଚମ ସ୍ଥାନରେ ଅଛି। ୱେଷ୍ଟଇଣ୍ଡିଜ୍ ଖାତା ଖୋଲି ନଥିଲା ବେଳେ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରି ନାହାନ୍ତି।