ଟୋକିଓ : ହ୍ୟାଟ୍ରିକ୍ ପରାଜୟ ପରେ ଭାରତୀୟ ମହିଳା ହକି ଦଳ ଶୁକ୍ରବାର ଆୟର୍ଲାଣ୍ଡ୍କୁ ୧-୦ ଗୋଲ୍ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍ ଆଶାକୁ ଉଜ୍ଜୀବିତ କରିଛି। ବିଶ୍ବର ଏକ ନମ୍ବର ନେଦରଲାଣ୍ଡ୍ ନିକଟରୁ ୧-୫ରେ, ଜର୍ମାନି ନିକଟରୁ ୦-୨ରେ ଏବଂ ଗତଥରର ସ୍ବର୍ଣ୍ଣ ବିଜେତା ଗ୍ରେଟ୍ ବ୍ରିଟେନ୍ ନିକଟରୁ ୧-୪ ଗୋଲ୍ରେ ହାରିଯିବା ପରେ ପ୍ରବଳ ଚାପରେ ଥିବା ରାଣୀ ରାମପଲଙ୍କ ଦଳ ଶୁକ୍ରବାର ଦୃଢ଼ ରକ୍ଷଣଭାଗ ସହ ୧-୦ରେ ବିଜୟୀ ହୋଇଥିଲା। ଏକମାତ୍ର ଗୋଲ୍ ୫୭ତମ ମିନିଟରେ ନଭଦୀପ କୌର୍ ସ୍କୋର୍ କରିଥିଲେ। ଭାରତକୁ ଏବେ କ୍ବାର୍ଟରଫାଇନାଲ୍ ଯିବା ପାଇଁ ଶନିବାର ଦକ୍ଷିଣ ଆଫ୍ରିକାଠୁ ବଡ଼ ବ୍ୟବଧାନରେ ଜିତିବାକୁ ହେବ ଏବଂ ଆଶା କରିବ ଅନ୍ୟ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ଗ୍ରେଟ୍ ବ୍ରିଟେନ୍ ପରାସ୍ତ କରୁ। ଉଭୟ ପୁଲ୍ରୁ ଶୀର୍ଷ ୪ ଲେଖାଏଁ ଦଳ କ୍ବାର୍ଟରଫାଇନାଲ୍ ଯିବାର ନିୟମ ରହିଛି।
ଶୁକ୍ରବାର ଓଇ ହକି ଷ୍ଟାଡିୟମ୍ରେ ଭାରି ମାନ୍ଦା ଖେଳିଥିଲେ ଉଭୟ ଭାରତ ଓ ଆୟର୍ଲାଣ୍ଡ୍ ଦଳ। ପ୍ରଥମ ୩ କ୍ବାର୍ଟର୍ ଗୋଲ୍ଶୂନ୍ୟ ରହିଥିଲା। ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲା କିନ୍ତୁ ଗୋଲ୍ ଦେବାରେ ବିଫଳ ହୋଇଥିଲା। ଗୋଲରକ୍ଷିକା ଆୟେଶା ମ୍ୟାକ୍ଫେରନ୍ଙ୍କ ନେତୃତ୍ବରେ ଆଇରିସ ରକ୍ଷଣଭାଗ ଭଲ ଲଢ଼ିଥିଲା। ମାତ୍ର ୪ ମିନିଟ୍ ଥିବାବେଳେ ନଭନୀତ ଗୋଲ୍ ଦେଇ ଭାରତୀୟଙ୍କ ମୁହଁରେ ହସ ଫେରାଇ ଆଣିଥିଲେ। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ଭାରତ ମୋଟ ୧୪ଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରିପାରିଥିଲେ ମଧ୍ୟ ଗୋଟିଏ ବି ଗୋଲ୍ କରିପାରିନଥିଲା। ଅଧିନାୟିକା ରାଣୀଙ୍କ ଚମତ୍କାର ପ୍ରୟାସ କାରଣରୁ ସୃଷ୍ଟି ହୋଇଥିବା ସୁଯୋଗରୁ ନଭନୀତ ଠିକଣା ସମୟରେ ଠିକଣା ସ୍ଥାନରେ ପହଞ୍ଚି ବଲ୍କୁ ଟାପ୍ କରିନେବାରେ ସଫଳ ହୋଇଥିଲେ। ଭାରତ ଚତୁର୍ଥ ମ୍ୟାଚ୍ରୁ ପ୍ରଥମ ବିଜୟ ସହ ୩ ପଏଣ୍ଟ ପାଇଥିବା ବେଳେ ଆୟର୍ଲାଣ୍ଡ୍ ତୃତୀୟ ପରାଜୟ ସହ ସମାନ ୩ ପଏଣ୍ଟ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/India-womens-edge-Ireland-keep-QF-hopes-alive.jpg)