ଭୁବନେଶ୍ବର: କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଥିବା ଅଗ୍ରଣୀ ରାଜ୍ୟ ଓଡ଼ିଶାରେ ଅଶ୍ବଚାଳନାର ଉତ୍କର୍ଷ କେନ୍ଦ୍ର ହେବାର ସମ୍ଭାବନା ଦେଖାଦେଇଛି। ଏହି କେନ୍ଦ୍ର କେବଳ ଅଶ୍ବାରୋହୀଙ୍କୁ ଅଭ୍ୟାସ ଓ ପ୍ରଶିକ୍ଷଣ ଦେବନି। ଅଶ୍ବଚାଳନା ଓ ପୋଲୋରେ ରାଜ୍ୟ ଓ ଦେଶ ପାଇଁ ଆଗାମୀ ଦିନରେ ଗୌରବ ଆଣିପାରିବ।
ନିକଟରେ ଜାତୀୟସ୍ତରରେ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିବା ରିଶିତା ସାମନ୍ତରାୟ ଏବଂ ତାଙ୍କ ପିତା କର୍ଣ୍ଣେଲ ଆଶିଷ ସାମନ୍ତରାୟ ଓ ମାତା ରୋହିନୀ ସିଂହଦେଓ ଗୁରୁବାର କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କୁ କଳିଙ୍ଗ ଷ୍ଟାଡିୟମରେ ସାକ୍ଷାତ କରିଥିଲେ। ଏହି ଅବସରରେ ଗତ ମାସରେ ଦିଲ୍ଲୀ ହର୍ସ ସୋ’ରେ ରୌପ୍ୟ ଓ କାଂସ୍ୟ ଜିତିଥିବା ରିଶିତାଙ୍କୁ କ୍ରୀଡ଼ା ସଚିବ ଅଭିନନ୍ଦନ ଜଣାଇବା ସହ ଉଦୀୟମାନ ଅଶ୍ବାରୋହୀଙ୍କୁ ସବୁପ୍ରକାର ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ଶ୍ରୀ ସାମନ୍ତରାୟ କ୍ରୀଡ଼ା ସଚିବଙ୍କୁ ଏହି ପ୍ରସ୍ତାବ ଦେଇଥିଲେ। ସଚିବ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ରଖିଥିବାରୁ ଏଭଳି ଆଶା ସଞ୍ଚାର ହୋଇଛି। ‘‘ଆଲୋଚନା ବେଳେ ଓଡ଼ିଶା ସରକାରଙ୍କୁ ଅଶ୍ବଚାଳନାର ଉତ୍କର୍ଷ କେନ୍ଦ୍ର କରିବା ଲାଗି ପ୍ରସ୍ତାବ ଦେଇଥିଲୁ। ଯଦି ଏହା ହୁଏ ଓଡ଼ିଶା କ୍ରୀଡ଼ା ଇତିହାସରେ ଆଉ ଏକ ଫର୍ଦ ଯୋଡ଼ି ହେବ। ଆମର ପ୍ରସ୍ତାବକୁ କ୍ରୀଡ଼ା ସଚିବ ଗ୍ରହଣ କରିଥିଲେ। କିନ୍ତୁ ଉପଯୁକ୍ତ ପ୍ରସ୍ତାବ ଦେବାକୁ କହିଥିଲେ। ଏଥିପାଇଁ ଅଶ୍ବଚାଳନାରେ କାର୍ଯ୍ୟ କରୁଥିବା ଭାରତୀୟ ସେନା ସହ ମୁଁ ଆଲୋଚନା କରିବି’’ ବୋଲି ଦେଶରେ ଅଶ୍ବଚାଳକଙ୍କୁ ପ୍ରଶିକ୍ଷଣ ଦେଉଥିବା ଶ୍ରୀ ସାମନ୍ତରାୟ କହିଛନ୍ତି।