ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ନେଇଥିବା ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦୁବାଇରୁ ଭାରତ ଫେରିଆସିବା ଘଟଣାର ସତ୍ୟାସତ୍ୟ ଧୀରେଧୀରେ ପଦାକୁ ଆସିବାରେ ଲାଗିଛି। ଯଦିଓ ସେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ୍ରୁ ଓହରିଯାଇଥିବା ଚେନ୍ନାଇ ସୁପରକିଙ୍ଗ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ କେ.ଏସ୍. ବିଶ୍ବନାଥନ୍ ଟ୍ବିଟର ଯୋଗେ ସୂଚନା ଦେଇଥିଲେ। କିନ୍ତୁ ବାସ୍ତବରେ ଦୁବାଇରେ ରାଇନାକୁ ଦିଆଯାଇଥିବା ହୋଟେଲ ରୁମ୍ର ବ୍ୟବସ୍ଥାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏହା ହିଁ ସେ ହଠାତ୍ ଆଇପିଏଲ୍ରୁ ଓହରିବା ଏବଂ ସ୍ବଦେଶ ଫେରି ଆସିବାର କାରଣ ବୋଲି ଜଣାପଡ଼ିଛି।
ସିଏସ୍କେ ନିୟମ ଅନୁଯାୟୀ, ପ୍ରଶିକ୍ଷକ, ଅଧିନାୟକ ଓ ଦଳୀୟ ପ୍ରବନ୍ଧକଙ୍କୁ ହୋଟେଲ୍ରେ ବ୍ୟକ୍ତିଗତ ସୁଇଟ୍ ଦିଆଯାଇଥାଏ। ଯଦିଓ ରାଇନାଙ୍କୁ ପ୍ରତ୍ୟେକ ହୋଟେଲ୍ରେ ସୁଇଟ୍ ଦିଆଯାଉଥିଲା, କିନ୍ତୁ ଦୁବାଇରେ ମିଳିଥିବା ହୋଟେଲ ବ୍ୟକ୍ତିଗତ ରୁମ୍ରେ ବାଲ୍କୋନି ନଥିବାରୁ ରାଇନା ଉତ୍ୟକ୍ତ ହୋଇଯାଇଥିଲେ। ଧୋନିଙ୍କୁ ଯେଉଁଭଳି ରୁମ୍ ଦିଆଯାଇଥିଲା, ତାଙ୍କୁ ମଧ୍ୟ ସେହିପରି ରୁମ୍ ଦିଆଯାଉ ବୋଲି ରାଇନା ଦାବି କରିଆସୁଥିଲେ। ହେଲେ ରାଇନାଙ୍କ ବ୍ୟବହାରରେ ଦଳର ମାଲିକ ତଥା ବିସିସିଆଇର ପୂର୍ବତନ ସଭାପତି ଏନ୍.ଶ୍ରୀନିବାସନ୍ଙ୍କ ସହ ଦଳୀୟ ପରିଚାଳନା ଅଧିକାରୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିଯୋଗୁଁ ଭାରତ ଫେରିଯିବାର କୌଣସି ଅର୍ଥ ନାହିଁ। ଚେନ୍ନାଇରେ ବଢୁଥିବା କରୋନାର କରାଳ ରୂପଠୁ ଏହି ଘଟଣା ଆହୁରି ଭୟଙ୍କର ବୋଲି ଦଳ ପକ୍ଷରୁ କୁହାଯାଇଛି।
ରାଇନା ଚଳିତ ସଂସ୍କରଣକୁ ଯଦି ଏଡ଼ାଇ ଯାଆନ୍ତି, ତାହେଲେ ୨୦୨୧ ସଂସ୍କରଣ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଏପରିକି ତାଙ୍କୁ ଚେନ୍ନାଇ ନିଜ ଦଳରେ ନେବାକୁ ମଧ୍ୟ ଅଗ୍ରାହ୍ୟ କରିପାରେ। ତେଣୁ ଯଦି ରାଇନା ଆସନ୍ତା ବର୍ଷ ସଂସ୍କରଣରେ ଆଇପିଏଲ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହାନ୍ତି, ତାହେଲେ ପୁଣି ଥରେ ତାଙ୍କୁ ନିଲାମ ପ୍ରକ୍ରିୟାରେ ଯିବାକୁ ହେବ ଏବଂ ଅନ୍ୟକୌଣସି ଦଳ ତାଙ୍କୁ କିଣି ପାରନ୍ତି। ଅନ୍ୟପକ୍ଷରେ ରାଇନାଙ୍କ ବଦଳଖେଳାଳି ଭାବେ ଏବେ ଯୁବ କ୍ରିକେଟର ଋତୁରାଜ ଗାଏକ୍ବାଡ୍ଙ୍କ ଉପରେ ଦଳ ଆସ୍ଥାପ୍ରକଟ କରିଛି। ଖୁବ୍ଶୀଘ୍ର ସେ ସଙ୍ଗରୋଧ ଅବଧି ପୂରଣ କରି ଦଳର ଅଭ୍ୟାସ ଶିବିରରେ ଯୋଗଦେବେ ବୋଲି ଆଶାବ୍ୟକ୍ତ କରାଯାଇଛି। ତଥାପି ସିଏସ୍କେ ପକ୍ଷରୁ ଏନେଇ କୌଣସି ଔପଚାରିକ ସୂଚନା ଦିଆଯାଇନାହିଁ। କିନ୍ତୁ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯଦି ରାଇନା ଦଳ ପାଖରେ କ୍ଷମାପ୍ରାର୍ଥନା କରନ୍ତି, ତାହେଲେ ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯିବାକୁ ବିଚାର କରାଯାଇପାରେ। ସିଏସ୍କେର ସର୍ବାଧିକ ରନ୍ ସଂଗ୍ରହକାରୀ ରାଇନା ମୋଟ ୧୬୪ ମ୍ୟାଚ୍ରୁ ୪୫୨୭ରନ୍ ସଂଗ୍ରହ କରିଛନ୍ତି। ଉତ୍ତରପ୍ରଦେଶର ଏହି ବାମହାତୀ ଖେଳାଳି ବିରାଟ କୋହଲି (୫୪୧୨)ଙ୍କ ପଛକୁ ଆଇପିଏଲ୍ରେ ଦ୍ବିତୀୟ ସର୍ବାଧକ ରନ୍ ସଂଗ୍ରହକାରୀ (୫୩୬୮) ହୋଇପାରିଛନ୍ତି।
ଋତୁରାଜ ନେଇ ପାରନ୍ତି ରାଇନାଙ୍କ ସ୍ଥାନ
ସୁରେଶ ରାଇନା ଅଚାନକ ସ୍ବଦେଶ ଫେରି ଆସିଥିଲେ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍ସ ଏ ପର୍ଯ୍ୟନ୍ତ ତାଙ୍କ ବଦଳ ଖେଳାଳି ଘୋଷଣା କରି ନାହିଁ। ତେବେ ରାଇନା ବ୍ୟାଟିଂ କରୁଥିବା ସ୍ଥାନରେ ମହାରାଷ୍ଟ୍ରର ଯୁବ ତାରକା ଋତୁରାଜ ଗାଏକ୍ବାଡ୍ ଖେଳିବେ ବୋଲି ଏହି ଦଳର ମାଲିକ ତଥା ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀବିନାସନ୍ ଘୋଷଣା କରିଛନ୍ତି। ପୁନେର ୨୩ ବର୍ଷୀୟ ତାରକା ଋତୁରାଜ ୫୦ ଲିଷ୍ଟ ଏ’ ମ୍ୟାଚ୍ ଖେଳି ସାରିଥିଲା ବେଳେ ୨୦୧୬ରେ ମହାରାଷ୍ଟ୍ର ପକ୍ଷରୁ ରଣଜୀ ପଦାର୍ପଣ କରିଥିଲେ। ୨୦୧୭ରେ ମହାରାଷ୍ଟ୍ର ପକ୍ଷରୁ ହିଁ ବିଜୟ ହଜାରେ ଟ୍ରଫି ଖେଳି ଲିଷ୍ଟ ଏ’ ପଦାର୍ପଣ କରିଥିଲେ। ଗତ ୪ ବର୍ଷ ମଧ୍ୟରେ ୨୧ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ସେ ୩୯ ହାରରେ ରନ୍ କରିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କୁ ୨୦୧୯ ଖେଳାଳି ନିଲାମରେ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ୟୁଏଇ ଯିବା ପୂର୍ବରୁ ଚେନ୍ନାଇରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ସେ ମଧ୍ୟ ନିଜ ବଡ଼ ସଟ୍ ଖେଳିବା ଦକ୍ଷତା ଲାଗି ଧୋନିଙ୍କ ଧ୍ୟାନ ଆକର୍ଷଣ କରି ପାରିଥିଲେ। କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ସଂପ୍ରତି ସେ କିନ୍ତୁ ସଙ୍ଗରୋଧରେ ରହିଛନ୍ତି। ଆଗାମୀ ପରୀକ୍ଷାର ରିପୋର୍ଟ ନେଗେଟିଭ୍ ଆସିଲେ ସେପ୍ଟେମ୍ବର ୧୦ ସୁଦ୍ଧା ଋତୁରାଜ ଦଳ ସହ ଯୋଗଦେଇ ପାରନ୍ତି।
୧୧କୋଟି ହରାଇବେ
ସିଏସ୍କେ ମାଲିକ ଏନ୍. ଶ୍ରୀନିବାସନ୍ ଏକ ସାକ୍ଷତକାରରେ କହିଛନ୍ତି ଯେ, ରାଇନାଙ୍କ ଏଭଳି ନିଷ୍ପତ୍ତି ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଅଧିନାୟକ ଧୋନି ଏବିଷୟରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଦଳକୁ ନିୟନ୍ତ୍ରଣରେ ରଖିବା କୌଶଳ ତାଙ୍କୁ ବେଶ୍ ଭଲ ଭାବରେ ଜଣା। ଚେନ୍ନାଇ ସୁପରକିଙ୍ଗ୍ସ ସବୁବେଳେ ଏକ ପରିବାର ଭଳି ରହିଥାଏ। ଏକାଠି ହୋଇ କେମିତି ରହିହେବ ସବୁ ବରିଷ୍ଠ ଖେଳାଳିମାନେ ତାହା ଜାଣିଛନ୍ତି। ହେଲେ ଯଦି ତୁମେ ଅସନ୍ତୁଷ୍ଟ ହୁଅ କିମ୍ବା ରହିବାକୁ ଆଗ୍ରହ ନାହିଁ, ତାହେଲେ ତୁମେ ଛାଡ଼ିକି ଯାଇପାର। କାହାକୁ କିଛି କରିବା ପାଇଁ ବାଧ୍ୟ କରାଯାଏ ନାହିଁ। ବେଳେବେଳେ ସଫଳତା ଆପଣଙ୍କ ମୁଣ୍ଡଉପରକୁ ଚଢିଯାଇଥାଏ। ରାଇନାଙ୍କ ବିଷୟରେ ଧୋନିଙ୍କ ସହ ଆଲୋଚନା କରାଯାଇଥିଲାବେଳେ ଏଥିପାଇଁ ଅଧିକ ଚିନ୍ତା ନକରିବାକୁ ସେ ଆଶ୍ବାସନା ଦେଇଛନ୍ତି। ଧୋନି ଖେଳାଳିମାନଙ୍କ ସହ ଅନ୍ଲାଇନ୍ରେ ବାର୍ତ୍ତାଳାପ କରିଥିଲାବେଳେ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ଯଦିଓ ଆଇପିଏଲ୍ ଋତୁ ଆରମ୍ଭ ହୋଇନାହିଁ, ଏହି ସମୟରେ ରାଇନା କେବଳ ଯେ ପ୍ରତିଯୋଗିତାକୁ ଛାଡ଼ିନାହାନ୍ତି ତାହା ନୁହେଁ, ବରଂ ପାଖାପାଖି ୧୧କୋଟି ଟଙ୍କାକୁ ମଧ୍ୟ ହାତଛଡ଼ା କରିବେ ବୋଲି ଶ୍ରୀନିବାସନ କହିଛନ୍ତି। ଆଇପିଏଲ୍ ଆରମ୍ଭ ହେବା ଦିନଠୁ ରାଇନା ସିଏସ୍କେ ପାଇଁ ଖେଳିଆସୁଛନ୍ତି। ୨୦୧୮ରେ ସିଏସ୍କେ ପକ୍ଷରୁ ତିନି ଜଣ ଖେଳାଳିଙ୍କୁ ପାଖରେ ରଖିଥିଲାବେଳେ ଅନ୍ୟମାନଙ୍କୁ ନିଲାମ ମାଧ୍ୟମରେ ଦଳରେ ସାମିଲ କରାଯାଇଛି। ଧୋନିଙ୍କୁ ୧୫କୋଟି, ରାଇନାଙ୍କୁ ୧୧କୋଟି ଓ ରବୀନ୍ଦ୍ର ଜାଦେଜାଙ୍କୁ ୭କୋଟିରେ ସିଏସ୍କେ ନିଜ ପାଖରେ ରଖିଥିଲା।