ଅହମଦାବାଦ : ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ପୁରୁଷ ବିଶ୍ବକପ୍‌ ପାଇଁ ଖେଳସୂଚୀ ଘୋଷଣା ହେବା ପରେ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ଅହେତୁକ ବୃଦ୍ଧି ପାଇଛି। ସବୁଠୁ ଅଧିକ ଚାହିଦା ରହୁଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ପ୍ରସାରଣକାରୀ ସଂସ୍ଥା ବିଜ୍ଞାପନ ସୂତ୍ରରୁ ଅଧିକ ଆୟ କରିବା ଲକ୍ଷ୍ୟରେ ଥିବା ବେଳେ ସ୍ଥାନୀୟ ହୋଟେଲ୍‌ମାନେ ଏହି କ୍ରେଜ୍‌ର ଫାଇଦା ନେବା ପାଇଁ ଏବେଠାରୁ ଉଦ୍ୟମ ଆରମ୍ଭ କରିଦେଲେଣି। ଅକ୍ଟୋବର ୧୫ରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ପାଇଁ ଅହମଦାବାଦର ହୋଟେଲ୍‌ଗୁଡ଼ିକରେ ରୁମ୍‌ ବୁକିଂ ଦରରେ ପାଖାପାଖି ୧୦ ଗୁଣା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ହୋଟେଲ୍‌ ରୁମ୍‌ ବୁକ୍‌ କରୁଥିବା ୱେବସାଇଟ୍‌ ଗୁଡ଼ିକରେ ଏହି ଦିନ ପାଇଁ ଅଧିକ ଆଗ୍ରହ ବଢୁଥିବା ଲକ୍ଷ୍ୟ କରାଯାଇଛି।

Advertisment

publive-image

ଅନ୍ୟ ସମୟଗୁଡ଼ିକରେ ଯେଉଁଠାରେ ହୋଟେଲ୍‌ ରୁମ୍‌ର ଦର ରାତି ପିଛା ୫ ହଜାରରୁ ୮ ହଜାର ଟଙ୍କା ରହୁଥିଲା, ସେଠାରେ ଅକ୍ଟୋବର ୧୫ ତାରିଖ ପାଇଁ ୪୦ ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି। ଅହମଦାବାଦରେ ଆଇଟିସି ହୋଟେଲ୍‌ ଗ୍ରୁପ୍‌ର ୱେଲ‌କମ୍‌ ହୋଟେଲ୍‌ରେ ଚଳିତ ମାସ ପ୍ରଥମ ସପ୍ତାହରେ ଡିଲକ୍ସ ରୁମ୍‌ ଦର ୫୬୯୯ ଟଙ୍କା ରହିଥିଲା। କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍‌ ଦିନକୁ ଏହାର ଦର ୭୧,୯୯୯ ଟଙ୍କା ଦର୍ଶାଯାଇଛି। ସେହିପରି ଏସ୍‌ଜି ହାଇୱେରେ ଥିବା ରେନାସାନ୍ସ ଅହମଦାବାଦ ହୋଟେଲ୍‌ ଓ ପ୍ରାଇଡ୍‌ ପ୍ଲାଜା ହୋଟେଲ୍‌ର ଦର ୯୦,୬୭୯ ଟଙ୍କା ଓ ୩୬,୧୮୦ ଟଙ୍କାକୁ ବଢ଼ିଯାଇଛି। ସାବରମତୀ ନଦୀକୂଳସ୍ଥିତ କାମା ହୋଟେଲ୍‌ ଏହାର ରୁମ୍‌ ଦର ୨୭,୨୩୩ ଟଙ୍କାକୁ ବଢ଼ାଇଛି। ସାଧାରଣ ସମୟରେ ଏହାର ଦର ୩୦୦୦ ଟଙ୍କା ରହୁଥିଲା।
କେବଳ ଏତିକି ନୁହେଁ, ସହରର ପଞ୍ଚତାରକା ହୋଟେଲ୍‌ଗୁଡ଼ିକ ମଧ୍ୟରୁ ଆଇଟିସି ନର୍ମଦା, କୋର୍ଟୟାର୍ଡ ବାଏ ମାରିଅଟ୍‌, ହାୟଟ୍‌, ତାଜ୍‌ ସ୍କାଏଲାଇନ୍‌ ଅହମଦାବାଦ ଇତ୍ୟାଦି ଗୁଡ଼ିକରେ ବୁକିଂ ଶେଷ ହୋଇଯାଇଥିବା ଜଣାପଡ଼ିଛି।

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ହୋଟେଲ୍‌ ରୁମ୍‌ର ଚାହିଦା ବହୁତ ବଢ଼ିଯାଇଛି। ସେଥିପାଇଁ ‌ଅକ୍ଟୋବର ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ବୁକିଂ ନିଆଯାଇଥିବା ଆଇଟିସି ନର୍ମଦାର ମହାପ୍ରବନ୍ଧକ କିନନ୍‌ ମ୍ୟାକେଞ୍ଜି ସୂଚନା ଦେଇଛନ୍ତି। ରୁମ୍‌ ବୁକ୍‌ ପାଇଁ ଆନ୍ତର୍ଜାତିକ କ୍ରିକେଟ୍‌ ଗ୍ରୁପ୍‌ଗୁଡ଼ିକଙ୍କଠୁ ଆରମ୍ଭ କରି ପ୍ରଶଂସକ, ପ୍ରାୟୋଜକ, ଭିଭିଆଇପି ଇତ୍ୟାଦିଙ୍କଠୁ ଇନ୍‌କ୍ବାରି ଆସୁଛି। ସେହିପରି ଅଧିକ ଚାହିଦା ରହୁଥିବା ମ୍ୟାଚ୍‌ଗୁଡ଼ିକ ପାଇଁ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ କ୍ରିକେଟ୍‌ ପ୍ରଶଂସକମାନେ ବିଭନ୍ନ ରାଜ୍ୟ ଭ୍ରମଣ କରିବେ। ତାହାକୁ ଦେଖି ହୋଟେଲ୍‌ ଦର ବଢ଼ାଯାଇଛି ଏବଂ ଏହି ସମୟରେ ହୋଟେଲ୍‌ ବ୍ୟବସାୟୀମାନେ ଅଧିକ ଆୟ କରିବାକୁ ଲକ୍ଷ୍ୟ ରଖିଥିବା ଗୁଜରାଟର ହୋଟେଲ୍‌ ଓ ରେସ୍ତୋରାଁ ସଂଘର ପ୍ରବକ୍ତା ଅଭିଜିତ ଦେଶମୁଖ କହିଛନ୍ତି।