ଚେନ୍ନାଇ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍‌ର ବହୁଚର୍ଚ୍ଚିତ ମହୋତ୍ସବ। ଚେନ୍ନାଇରେ ବାଜିବ ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’ର ସପ୍ତଦଶ ସଂସ୍କରଣ ବିଗୁଲ। ରଙ୍ଗାରଙ୍ଗ ପରିବେଶ ଭିତରେ ପ୍ରଥମ ଲଢ଼େଇରେ ମୁହାଁମୁହିଁ ହେବେ ଗତବର୍ଷ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଓ ନୂଆ ନାଁରେ ଖେଳିବାକୁ ଯାଉଥିବା ଆର୍‌ସିବି (ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)। ‘କ୍ୟାପ୍‌ଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନିଙ୍କ ଇସ୍ତଫା ପରେ ଯୁବ ତାରକା ଋତୁରାଜ ଗାଏକ୍ବାଡ ଏହି ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ବ ନେବେ।

Advertisment

ତେବେ ଆଇପିଏଲ ଆରମ୍ଭ ହେବାର ଖୁସି ଲୋକଙ୍କ ମନରେ ଥିଲେ ବି ଧୋନିଙ୍କ ଇସ୍ତଫା କ୍ରିକେଟ ପ୍ରେମୀଙ୍କୁ ଦୁଃଖିତ କରିଛି। ପୂର୍ବରୁ କୁହାଯାଉଥିଲା ଯେ, ଚଳିତ ଆଇପିଏଲ ଧୋନିଙ୍କର ଅଧିନାୟକ ଭାବେ ଶେଷ ଆଇପିଏଲ ହେବ। ହେଲେ ଆଇପିଏଲ ଆରମ୍ଭ ହେବାର ଗୋଟାଏ ଦିନ ପୂର୍ବରୁ ଧୋନି ନିଜ ଇସ୍ତଫା ଘୋଷଣା କରିଥିଲେ। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପ‌ରେ ସମସ୍ତଙ୍କୁ ଧକ୍କା ଲାଗିଥିଲା।

ତେବେ ଧୋନି ପ୍ରଥମେ ଡ୍ରେସିଂ ରୁମ‌ରେ ନିଜ ଟିମ୍ ଆଗରେ ଏହି ଘୋଷଣା କରିଥିବା ବେଳେ ଭିତରେ କିଭଳି ମାହୋଲ ଥିଲା ତାହା ଜଣାଇଛନ୍ତି ସିଏସକେର ମୁଖ୍ୟ କୋଚ୍ ଷ୍ଟେଫେନ ଫ୍ଲେମିଂ। ସେ କହିଛନ୍ତି ଯେ, ଯେତେବେଳେ ଧୋନି ଏହି ଘୋଷଣା କରିଥିଲେ, ସେତେବେଳେ ଟିମର ସବୁ ସଦସ୍ୟଙ୍କ ମନରେ ଏକାଧିକ ଭାବନା ଆସିଥିଲା। ସମସ୍ତଙ୍କ ଆଖିରେ ଲୁହ ଥିଲା।