ରାଉରକେଲା(ଦେବବ୍ରତ ଗଡ଼ତିଆ): ଲକ୍ଡାଉନ୍ ପାଇଁ ଏବେ ସବୁ ବନ୍ଦ। କ୍ରୀଡ଼ା ଛାତ୍ରାବାସ, କ୍ରୀଡ଼ାବିତ୍ଙ୍କ ନିତିଦିନିଆ ଅଭ୍ୟାସ ବି ବନ୍ଦ ହୋଇଯାଇଛି। ଫଳରେ କ୍ରୀଡ଼ାବିତ୍ ଓ ପ୍ରଶିକ୍ଷକମାନେ ଏବେ କେବଳ ଘରେ ବସି ରହିଛନ୍ତି। ଅବଶ୍ୟ ପ୍ରଶିକ୍ଷକମାନେ ସଂପ୍ରତି ଦିଆଯାଉଥିବା ଅନଲାଇନ ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳିଛି। ଏହାସହ ଖେଳାଳିମାନଙ୍କୁ ଫୋନ୍ରେ ଆବଶ୍ୟକ ଟିପ୍ସ ଦେବା ସହ ଘର କାମରେ ସହଯୋଗ କରୁଛନ୍ତି। ଲକ୍ଡାଉନ୍ ତଥା କରୋନା କୋଲପ ବେଳେ ଜିଲ୍ଲାର ପ୍ରଶିକ୍ଷକମାନେ କ’ଣ କରୁଛନ୍ତି, ସେନେଇ ଏକ ସ୍ବତନ୍ତ୍ର ରିପୋର୍ଟ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ଲାଇନ୍ ପ୍ରଶିକ୍ଷଣ କ୍ରୀଡ଼ା ସହ ଯୋଡ଼ି ରଖିଛି
‘ପିଲା ତ ନାହାନ୍ତି, ତଥାପି ପ୍ରତିଦିନ ଗ୍ରାଉଣ୍ଡ୍କୁ ଯିବାକୁ ପଡ଼ୁଛି। ଠିକ୍ଭାବେ ପାଣି ଦିଆଯାଉଛି ନା ନାହିଁ, ଆଷ୍ଟ୍ରୋଟର୍ଫ୍ର ସ୍ଥିତି ପରଖିବାକୁ ପଡ଼ୁଛି। ‘ସାଇ’ ପକ୍ଷରୁ ବର୍ତ୍ତମାନ ପ୍ରଶିକ୍ଷକମାନଙ୍କୁ ଅନ୍ଲାଇନ୍ରେ ପ୍ରଶିକ୍ଷଣ ଦିଆଯାଉଛି। ପୂର୍ବାହ୍ନ ୯ଟା ଓ ଅପରାହ୍ନ ଅଢ଼େଇଟାରେ ହକି ପ୍ରଶିକ୍ଷଣ ଦିଆଯାଉଛି। ସେହିଭଳି ଅପରାହ୍ନ ୫ଟାରେ ସ୍ପୋର୍ଟ୍ସ ସାଇନ୍ସ ଉପରେ ଶିକ୍ଷା ଦିଆଯାଉଛି। ଏହି ଅନ୍ଲାଇନ ଶିକ୍ଷା ବେଶ୍ ଉପାଦେୟ ହୋଇଛି। ସବୁ କିଛି ବନ୍ଦ ଥିବାବେଳେ ପ୍ରଶିକ୍ଷଣ ବିଷୟରେ ନୂଆ ନୀତିନିୟମ, ଜ୍ଞାନ ଆହରଣରେ ଦିନ ବିତୁଛି। ଏହାଦ୍ବାରା ଅଧିକ ସମୟ କ୍ରୀଡ଼ା ସହ ଯୋଡ଼ି ହୋଇ ରଖୁଛି। ଏହି ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରକୃତରେ ଲକ୍ଡାଉନ ବେଳର ସ୍ମୃତି ହୋଇ ରହିବ।
-ଅମୂଲ୍ୟାନନ୍ଦ ବିହାରୀ, ହକି ପ୍ରଶିକ୍ଷକ,
ପାନପୋଷ କ୍ରୀଡ଼ା ଛାତ୍ରାବାସ
ଟ୍ରେଡ୍ମିଲ୍ କରି ଫିଟ୍ନେସ୍ ବଜାୟ ରଖିଛି
‘ଲକଡାଉଡ଼୍ ପାଇଁ କୋଲକାତା ପୁଅ ପାଖକୁ ପଳାଇ ଆସିଛି। ରାଉରକେଲା ଭଳି ଏଠାରେ ନିଜସ୍ବ ଫିଟ୍ନେସ୍ ବଜାୟ ରଖିବାର ସୁଯୋଗ ନାହିଁ; ତଥାପି ଘରେ ଥିବା ଟ୍ରେଡ୍ମିଲ୍ରେ ଯାହାକିଛି ଫିଟ୍ନେସ୍ ବଜାୟ ରଖୁଛି। ପାଖରେ ପାର୍କ ଅଛି, ସେଠାରେ ମର୍ଣ୍ଣିଂ ୱାକ୍, ଇଭିନିଂ ୱାକ୍ କରୁଛି। ନିୟମିତ ଭାବେ ଯୋଗ, ପ୍ରାଣାୟମ କରୁଛି। ଏହି ଲକ୍ଡାଉନ୍କୁ ସିଡ୍ୟୁଲ୍ ଦେଲେ ବି ସେମାନେ ଏହାକୁ ଶତପ୍ରତିଶତ ପାଳନ କରିପାରିବେ ନାହିଁ। ତଥାପି ଫିଟ୍ନେସ୍ ପ୍ରତି ଧ୍ୟାନ ଦେବାକୁ କହୁଛି।
-ପଞ୍ଚାନନ ଗନ୍ତାୟତ, ଦୌଡ଼କୁଦ ପ୍ରଶିକ୍ଷକ
ଆଖି ଆଗରେ ପିଲା ନ ରହିଲେ ଭଲ ଲାଗୁନି
‘ଲକ୍ଡାଉନ ବେଳେ ସବୁ ବନ୍ଦ ରହିଥିଲା। ଏବେ କିନ୍ତୁ ସାମାନ୍ୟ କୋହଳ ହୋଇଥିବାରୁ ପିଲାମାନଙ୍କୁ ଅଭ୍ୟାସ ଆରମ୍ଭ କରିବାକୁ କୁହାଯାଉଛି। କିଛି ପିଲା ସକାଳୁ ରିଂ ରୋଡ୍ ଚାରିପଟେ ବୁଲାବୁଲି କରୁଛନ୍ତି। ସେମାନଙ୍କ ସହ ଯାଉଛି, ସେମାନଙ୍କୁ ଟିପ୍ସ ଦେଉଛି। ପିଲାମାନେ ଆଖି ଆଗରେ ନ ରହିଲେ ଭଲ ଲାଗୁନି। ଷ୍ଟାଡିୟମ ବି ବନ୍ଦ ରହୁଛି। ଏଣୁ ବାଧ୍ୟ ହୋଇ ଘରେ ରହୁଛି। ଟିଭି ଦେଖୁଛି, ନ୍ୟୁଜ୍ ଦେଖି ଦେଶ ଦୁନିଆର ଖବର ନେଉଛି। ପୁରୁଣା ମ୍ୟାଚ୍ଗୁଡ଼ିକର ହାଇଲାଇଟସ୍ ଦେଖୁଛି।
-ସୁଶୀଳ ଦାସ, ଓଡ଼ିଶା ସାଇକ୍ଲିଂ ସଂଘର ମୁଖ୍ୟ ପ୍ରଶିକ୍ଷକ
ବଗିଚା କାମ କରୁଛି, ଚାଷ କାମ ଦେଖୁଛି
‘ଡେଲି ରୁଟିନ୍ ତ ବଜାୟ ରଖିପାରୁନି, ତଥାପି ସ୍କିପିଂ, ରନିଂ କରୁଛି। ପୂର୍ବରୁ ଏସବୁ ଷ୍ଟାଡିୟମରେ ହେଉଥିଲା, ଏବେ କିନ୍ତୁ ଏହା ଘରେ ହେଉଛି। ଖାଦ୍ୟପେୟରେ ବି ନିୟନ୍ତ୍ରଣ ରଖିବାକୁ ପଡ଼ୁଛି। ଘରେ ବଗିଚାର ଯତ୍ନ ନେଉଛି। ବାଡିରେ ଭେଣ୍ଡି, ଶାଗ ଆଦି କିଛି ପନିପରିବା ଚାଷ କରିଛି। ଏଥିରେ ପାଣି ଦେବା, ସାର ଦେବାରେ ଦିନ ବିତୁଛି। ମୁଁ ଜୈବିକ ଚାଷକୁ ହିଁ ପ୍ରାଥମିକତା ଦେଇଥାଏ। ଏଣୁ ଖତ, ସାର ନିଜେ ହିଁ ତିଆରି କରି ବ୍ୟବହାର କରୁଛି। ଏହାବାଦ୍ ଆର୍ଏସ୍ପି ଡ୍ୟୁଟି ବି ଘରୁ ଥାଇ କରିବାକୁ ପଡ଼ୁଛି।
-ଶୁକ୍ରୁ ତନ୍ତୀ, ଓଡ଼ିଶା କନିଷ୍ଠ କବାଡ଼ି ଦଳ ପ୍ରଶିକ୍ଷକ
ପରିବାରକୁ ଅଧିକ ସମୟ ଦେଉଛି
‘ପରିବାର ସଦସ୍ୟ ଭୁବନେଶ୍ବରରେ ରହୁଥିବା ବେଳେ ମୁଁ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ରହୁଥିଲି। ଏଣୁ ପରିବାରକୁ ଆଦୌ ସମୟ ଦେଇ ହେଉନଥିଲା। ଏବେ କିନ୍ତୁ ପୁରା ସମୟ ଛୁଆ ପିଲାଙ୍କୁ ଦେଉଛି। ଯୋଗ, ପ୍ରାଣାୟାମ କରି ଫିଟ୍ ରହୁଛି। ଏହାବାଦ୍ ପିଲାମାନେ ଫିଟ୍ନେସ୍ ପାଇଁ ବ୍ୟାୟମ କରୁଛନ୍ତି ନା ନାହିଁ ସେଥିପ୍ରତି ମଧ୍ୟ ନଜର ରଖିଛି। ହ୍ବାଟ୍ସଆପ୍ ଓ ଫୋନ୍ ଜରିଆରେ ସେମାନଙ୍କୁ ଅଭ୍ୟାସ ବିଷୟରେ ନିତିଦିନ ଖବର ନେଉଛି। ଆବଶ୍ୟକୀୟ ପରାମର୍ଶ ଦେଉଛି।
-ମମତା ସାମନ୍ତ, ଫୁଟ୍ବଲ ପ୍ରଶିକ୍ଷକ, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ
ପୁରୁଣା ମ୍ୟାଚ୍ର ହାଇଲାଇଟ୍ସ ଦେଖୁଛି
‘ବ୍ୟକ୍ତିଗତ ଭାବେ ଏହି ଲକ୍ଡାଉନ୍ ବେଳେ ବହୁତ କିଛି ଶିକ୍ଷା ଲାଭ କରିଛି। କପଡ଼ା ସଫା କରିବା, ଘରେ ସଫେଇ କରିବା ସହ ଗାଡ଼ି, ଗ୍ୟାରେଜ୍ ଧୋଉଛି। ପୂର୍ବରୁ ସାଙ୍ଗସାଥୀଙ୍କୁ ବି ଅଧିକ ସମୟ ଦେଇ ହେଉନଥିଲା। ଏବେ କିନ୍ତୁ ପ୍ରତିଦିନ କଥାବାର୍ତ୍ତା ହେଉଛି। ଏହାବାଦ୍ ନିୟମିତ ଭାବେ ଭୋକିଲା ଲୋକଙ୍କୁ ବୁଲି ବୁଲି ଖାଦ୍ୟ ବାଣ୍ଟୁଛି। ଏବେ ପର୍ଯ୍ୟାପ୍ତ ସମୟ ମିଳୁଥିବାରୁ ଏହାର ସଦୁପଯୋଗ କରୁଛି। ପୁରୁଣା ମ୍ୟାଚ୍ର ହାଇଲାଇଟ୍ସ ଦେଖୁଛି। ପୁରୁଣା ସ୍ମୃତିକୁ ରୋମନ୍ଥନ କରୁଛି। ପିଲାମାନେ ଫୋନ୍ କରୁଛନ୍ତି, ସେମାନଙ୍କୁ ଟିପ୍ସ ଦେବାକୁ ପଡ଼ୁଛି।
-ନଟରାଜ ବେହେରା, କ୍ରିକେଟ ପ୍ରଶିକ୍ଷକ