ହୃଦାନନ୍ଦ ସ୍ମାରକୀ କ୍ରିକେଟ୍‌, ଫାଇନାଲରେ ପୋଷ୍ଟାଲ ଏକାଦଶ-ରାଇଜିଂ ଷ୍ଟୁଡେଣ୍ଟ୍‌ସ

ଭଦ୍ରକ: ଭଦ୍ରକ ନେହେରୁ ଷ୍ଟାଡିୟମ୍‌ରେ ଚାଲିଥିବା ବିଂଶତମ ସର୍ବଭାରତୀୟ ହୃଦାନନ୍ଦ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପୋଷ୍ଟାଲ ଏକାଦଶ ଓ ରାଇଜିଂ ଷ୍ଟୁଡେଣ୍ଟ୍‌ସ ସାମ୍ନାସାମ୍ନି ହେ‌େବ। ବୁଧବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପୋଷ୍ଟାଲ ଏକାଦଶ ୧୬ ରନ୍‌ରେ ରାଞ୍ଚି ସେର୍ସାକୁ ହରାଇ ଫାଇନାଲକୁ ଯାଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ସ ନିଜ ସହରର ୟୁନିୟନ ସ୍ପୋର୍ଟିଂକୁ ହରାଇ ଫାଇନାଲ୍‌ ପହଞ୍ଚିଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ପୋଷ୍ଟାଲ ଦଳ ୧୮ ଓଭରରେ ୧୬୯ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଅନୁରାଗ ଷଡ଼ଙ୍ଗୀ ୫୬ ଓ ଆଲୋକ ସାହୁ ୪୧ ରନ୍‌ କରିଥିବା ବେଳେ ସେର୍ସା ପକ୍ଷରୁ ପୱନ କୁମାର ୩ ଓ ସୟଦ ଜାକି ୨ ୱିକେଟ୍‌ ନେଇଥିଲେ। ଜବାବରେ ସେର୍ସା ୧୭.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା। ପୱନ କୁମାର ୩୯ ଓ ମଧୁକର ୨୫ ରନ୍‌ କରିଥିଲେ। ଆଲୋକ ସାହୁ ଓ ମୋସ୍କିର ଅଲୀ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଅନୁରାଗ ଷଡ଼ଙ୍ଗୀଙ୍କୁ ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ସଂଜୀବ ବେହେରା ଓ ତପନ ମିଶ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ଦ୍ୱିତୀୟ ସେମିଫାଇନାଲରେ ୟୁନିୟନ ସ୍ପୋର୍ଟିଂ ସର୍ବେଶ୍ୱର ମହାନ୍ତିଙ୍କ ୨୨ ଓ ସୌରଭ କନୌଜଙ୍କ ୨୦ ରନ୍‌ ସହାୟତାରେ ୧୭.୨ ଓଭରରେ ୯୦ ରନ୍‌ କରିଥିଲା। ଦୁଇ ରଣଜୀ ତାରକା ବିପ୍ଳବ ସାମନ୍ତରାୟ (୪/୭) ଓ ସୂର୍ଯ୍ୟକାନ୍ତ ପ୍ରଧାନ (୩/୧୬) ୭ ୱିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ରାଇଜିଂ ଦଳ ୧୪.୧ ଓଭରରେ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିପ୍ଳବ ସାମନ୍ତରାୟ ୩୨ ଓ ମିତ୍ରଭାନୁ ପଣ୍ଡା ୨୯ ରନ୍‌ କରିଥିଲେ। ୟୁନିୟନ ସ୍ପୋର୍ଟିଂ ପକ୍ଷରୁ ଆଶିଷ ରାୟ ଓ ସର୍ବେଶ୍ୱର ମହାନ୍ତି ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ବିପ୍ଳବ ସାମନ୍ତରାୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଲଲାଟ କେଶରୀ ନନ୍ଦ ଓ ଶରତ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର