ନୂଆଦିଲ୍ଲୀ: ପୁରୁଷ ଦିନିକିଆ କ୍ରିକେଟ ବିଶ୍ବକପ୍‌ର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୪୯ତମ ଶତକ ହାସଲ କରି ବିଶ୍ବବ୍ୟାପୀ ଚର୍ଚ୍ଚା ପାଲଟିଥିବା ତାରକା ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ବିଜ୍ଞାପନ ଜଗତର ମଧ୍ୟ ବାଦଶାହ। ତାଙ୍କ ବ୍ରାଣ୍ଡ୍‌ ମୂଲ୍ୟ ୨୦୨୨ରେ ୧୭୬.୯ ନିୟୁତ ଡଲାର ରହିଥିଲା। ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଲଗାତାର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେ କ୍ରୋଲ୍‌ ତରଫରୁ ପ୍ରସ୍ତୁତ କରାଯାଉଥିବା ସେଲିବ୍ରିଟି ମୂଲ୍ୟାୟନ ତାଲିକାର ଶୀର୍ଷ ସ୍ଥାନରେ ରହିଥିଲେ। ୨୦୨୨ରେ ସେ ଦ୍ବିତୀୟ ସ୍ଥାନକୁ ଖସିଆସିଛନ୍ତି। ପ୍ରଥମ ସ୍ଥାନରେ ରହିଛନ୍ତି ବଲିଉଡ୍‌ ତାରକା ରଣବୀର ସିଂହ।

Advertisment

publive-image

କ୍ରୋଲ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅବିରଳ ଜୈନ କହିଛନ୍ତି ଯେ ନିଜ ଫର୍ମ ଫେରିବାକୁ ସଂଘର୍ଷ କରୁଥିବା ସମୟରେ କୋହଲିଙ୍କ ବ୍ରାଣ୍ଡ୍‌ ମୂଲ୍ୟ ପ୍ରଭାବିତ ହୋଇଥିଲା। ଏବେ କିନ୍ତୁ ସେ ଜବରଦସ୍ତ ଫର୍ମରେ ରହିଛନ୍ତି। ଚଳିତ ଦିନିକିଆ ବିଶ୍ବକପ୍‌ରେ ତାଙ୍କର ଅସାଧାରଣ ଓ ଅବିଶ୍ବସନୀୟ ପ୍ରଦର୍ଶନ ଜାରି ରହିଛି। ସେହିପରି, ଆଲ୍‌କେମିଷ୍ଟ ବ୍ରାଣ୍ଡ୍‌ କନ୍‌ସଲ୍‌ଟିଂର ପ୍ରତିଷ୍ଠାତା ସମିତ ସିହ୍ନା କହିଛନ୍ତି ଯେ ନିଜ ପ୍ରଦର୍ଶନ ଲାଗି କୋହଲି ସର୍ବଦା ଏକ ସମ୍ପୂର୍ଣ୍ଣ ଅଲଗା ସ୍ତରରେ ରହିଛନ୍ତି। ତାଙ୍କ ପ୍ରଦର୍ଶନଗୁଡ଼ିକ ଟିମ୍ ପାଇଁ ଯେଉଁଭଳି ଫଳାଫଳ ଆଣିଥିଲା ତାହା ବେଶ ଚମତ୍କାର ଥିଲା। ଦଳ ସଂଘର୍ଷ କରୁଥିବା ସମୟରେ ସେ ଆସି ସଙ୍କଟରୁ ଉଦ୍ଧାର କରିଥାନ୍ତି। କୋହଲିଙ୍କ ଆକର୍ଷଣୀୟ ତଥା ବିରଳ ବ୍ୟକ୍ତିତ୍ବ ପାଇଁ ବହୁ ବ୍ରାଣ୍ଡ୍‌ ତାଙ୍କ ଜରିଆରେ ନିଜ ଉତ୍ପାଦ ଓ ସେବାର ପ୍ରଚାର କରିବାକୁ ଆଗେଇ ଆସିଥିଲେ। ବର୍ତ୍ତମାନ ସେ ୪୦ରୁ ଅଧିକ ବ୍ରାଣ୍ଡ୍‌ର ବିଜ୍ଞାପନ ପ୍ରଚାର କରୁଛନ୍ତି। ସେଥିରେ ମିନ୍ତ୍ରା, ପୁମା, ଏମ୍‌ଆର୍‌ଏଫ୍‌, ବ୍ଲୁଷ୍ଟାର୍‌ ଏବଂ ଭଲ୍‌ଭୋଲିନ୍ ଭଳି ଲୋକପ୍ରିୟ ବ୍ରାଣ୍ଡ୍‌ ରହିଛି। ଯଦି ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖି ବିଶ୍ବକପ୍ ଜିତିବ ତେବେ ବ୍ରାଣ୍ଡ୍‌ କୋହଲି ମୂଲ୍ୟ ଆକାଶଛୁଆଁ ହେବ ବୋଲି ‌ସେ ଆକଳନ କରିଛନ୍ତି।