ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୦-୩ରେ ହାରିଯିବା ପରେ ଭାରତୀୟ ମହିଳା ଦଳ ଶୁକ୍ରବାର ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଚମତ୍କାର ଆରମ୍ଭ କରିଛି। ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତୀୟ ମହିଳା ୯ ୱିକେଟ୍‌ରେ ଜିତି ୧-୦ରେ ଆଗୁଆ ହୋଇଛି। ଟିଟାସ ସାଦ୍ଧୁଙ୍କ ୪ ୱିକେଟ୍ ଦଖଲ ପରେ ସ୍ମୃତି ମନ୍ଧାନା-ଶେଫାଳି ବର୍ମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଓ ଶତକୀୟ ଭାଗୀଦାରି ବଳରେ ଭାରତ ଏକତରଫା ବିଜୟ ହାସଲ କରିଛି। ଟିଟାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Advertisment

ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୧୪୧ ରନ୍‌ରେ ରୋକି ଦେଇଥିଲା। ଟିଟାସ୍ ସାଦ୍ଧୁ ସବୁଠାରୁ ପ୍ରଭାବୀ ବୋଲିଂ କରି ୪-୦-୧୭-୪ ଚିତ୍ର ଅର୍ଜନ କରିଥିଲେ। ଫିଲଡିଂରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳ ପାଇଁ ଶ୍ରେୟଙ୍କା ପାଟିଲ୍‌-ଦୀପ୍ତି ଶର୍ମା ୨-୨ ଏବଂ ରେଣୁକା ସିଂହ-ଅମନଜୋତ କୌର ୧-୧ ୱିକେଟ୍ ବାଣ୍ଟି ନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଫୋଏବ ଲିଚଫିଲ୍ଡ ୪୯ ରନ୍‌ କରିଥିବାବେଳେ ଏଲିସ ପେରୀ ୩୭ ରନ୍‌ ଯୋଗଦାନ ରଖିଥିଲେ। ଆଲିସା ହିଲି, ବେଥ୍ ମୁନି, ତାହିଲା ମ୍ୟାକଗ୍ରା, ଆସଲେ ଗାର୍ଡନରଙ୍କୁ ଭାରତୀୟ ବୋଲର ଶସ୍ତାରେ ଆଉଟ୍ କରିବା ସୁଯୋଗ ଦେଇଥିଲା। ଜବାବରେ ସ୍ମୃତି ମନ୍ଧାନା (୫୨ ବଲ୍‌ରୁ ୫୪ ରନ୍) ଏବଂ ଶେଫାଳି ବର୍ମା (୪୪ ବଲ୍‌ରୁ ୬୪* ରନ୍‌) ପ୍ରଥମ ୱିକେଟ୍‌ ପାଇଁ ୯୩ ବଲ୍‌ରୁ ୧୩୭ ରନ୍ ସଂଗ୍ରହ କରି ମ୍ୟାଚ୍‌କୁ ସହଜ କରି ଦେଇଥିଲେ। ମନ୍ଧାନା ଏହି ଅବସରରେ ବିଶ୍ବର ଷଷ୍ଠ ଖେଳାଳି ଭାବେ ମହିଳା ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ୩୦୦୦ ରନ୍‌ ପୂର୍ଣ୍ଣ କରିଥିଲେ। ଭାରତ ୧୭.୪ ଓଭରରେ ୧ ୱିକେଟ୍ ହରାଇ ୧୪୫ ରନ୍ ସଂଗ୍ରହ କରି ନେଇଥିଲା। ଦ୍ବିତୀୟ ମ୍ୟାଚ୍‌ ରବିବାର ଖେଳାଯିବ।