ଶତକ ସଂଖ୍ୟା ୩୫* ସେଞ୍ଚୁରିଅନ୍‌ରେ କୋହଲି କିମିଆ, ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ

୮ ଓ୍ଵିକେଟ୍‌ରେ ହାରିଲା ଦ.ଆଫ୍ରିକା, ୫-୧ରେ ଶୃଙ୍ଖଳା ଜିତିଲା ଭାରତ

ସେଞ୍ଚୁରିଅନ୍‌: ସେଞ୍ଚୁରିଅନ୍‌ ଦିନିକିଆକୁ ଭାରତ ଅତି ସହଜରେ ୮ ଓ୍ଵିକେଟ୍‌ରେ ଜିତି ନେଲା। ତା’ ସହ ୬ ଟିକିଆ ଶୃଙ୍ଖଳାରେ ୫-୧ରେ ବିଜୟ ହାସଲ କଲା। ଦକ୍ଷିଣ ଆଫ୍ରିକାରେ ଅତୀତର କୌଣସି ଭାରତୀୟ ଦଳ ଯାହା କରି ନଥିଲା କୋହଲି ବାହିନୀ ତାହା କରି ଦେଖାଇଲା। ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ଅଭୁଲା ଦିନିକିଆ ଶୃଙ୍ଖଳାର ଶେଷ ମୁକାବିଲାରେ ମଧ୍ୟ ଜବରଦସ୍ତ ବିଜୟ ହାସଲ କଲା। ଅଧିନାୟକ ବିରାଟ କୋହଲି (୧୨୯* ରନ୍‌, ୯୬ ବଲ୍‌, ୧୯ ଚୌକା, ୨ ଛକା)ଙ୍କ ବିରାଟ ରୂପ ବି ଅପରିବର୍ତିତ ରହିଲା। ୩୫ତମ ଶତକ ହାସଲ କରି ସେଞ୍ଚୁରିଅନ୍‌ରେ ଭାରତକୁ ସେ ଶୃଙ୍ଖଳା ସହ ଲଗାତାର ଦ୍ୱିତୀୟ ବିଜୟ ଉପହାର ଦେଲେ। ଭାରତ ଏଠାରେ ଖେଳା ଯାଇଥିବା ଚଳିତ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାକୁ ମଧ୍ୟ ଜିତି ନେଇଥିଲା। କୋହଲିଙ୍କ ସହ ଭାରତର ଶୁକ୍ରବାର ବିଜୟରେ ଯୁବ ବୋଲର ସାର୍ଦୁଲ ଠାକୁର ମଧ୍ୟ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ୪ ଓ୍ଵିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାକୁ ସେ ହିଁ ୨୦୪ ରନ୍‌ରେ ଅଟକାଇ ଦେଇଥିଲେ। ତା’ ପରେ କୋହଲି ତାଙ୍କ ଯାଦୁ ଦେଖାଇଥିଲେ। ଚୌକା ମାରି ଶତକ ଏବଂ ଅର୍ଧଶତକ ପୂରଣ କରିବା ସହ ସେହି ଚୌକାରେ ସେ ବିଜୟ ସୂଚକ ରନ୍‌ ସଂଗ୍ରହ କରିଥିଲେ। ତାଙ୍କ ପାଇଁ ଭାରତ ୨୦୫ ରନ୍‌ର ବିଜୟ ଲକ୍ଷ୍ୟକୁ ୧୭.୫ ଓଭର ପୂର୍ବରୁ ହାସଲ କରି ନେଇଥିଲା। ସେପଟେ ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଧଶା ପୂର୍ବବତ୍‌ ଜାରି ରହିଥିଲା। ଶେଷ ମୁକାବିଲା ଜିତି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ଥିବା ଏହି ଦଳର ଆଶା ଆଶାରେ ରହି ଯାଇଥିଲା। ତିନିଟି ଶତକ ସହ କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ୫୦୦ରୁ ଅଧିକ ରନ୍‌ କରିବାରେ କୋହଲି ବି ପ୍ରଥମ ଖେଳାଳି ହୋଇଥିଲେ। ଭାରତ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୧୫ ଏବଂ ଶିଖର ଧାଓ୍ଵନ ୧୮ ରନ୍‌ କରିଥିଲେ। ଅଜିଙ୍କ୍ୟ ରାହାଣେ (୩୪*)ଙ୍କ ସହ ମିଶି କୋହଲି ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୧୨୬ ରନ୍‌ ଯୋଡ଼ିବା ସହ ୩୨.୧ ଓଭରରେ ଭାରତର ବିଜୟ ମୁଣ୍ଡି ମାରିଥିଲେ। ସମ୍ପୂର୍ଣ୍ଣ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଧୁମ୍‌ ପ୍ରହାର କରି ୫୫୮ ରନ୍‌ କରିବା ସହ ଶେଷ ଦିନିକିଆରେ ଅପରାଜିତ ଶତକ ପାଇଁ ତାଙ୍କୁ ଶୃଙ୍ଖଳା ଏବଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଏହା ପୂର୍ବରୁ ସାର୍ଦୁଲଙ୍କ ବୋଲିଂରେ ଘାଇଲା ହୋଇ ଦକ୍ଷିଣ ଆଫ୍ରିକା ୪୬.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ବିନିମୟରେ ମାତ୍ର ୨୦୪ ରନ୍‌ କରି ପାରିଥିଲା। ଭାରତର ଅନ୍ୟତମ ଦ୍ରୁତ ବୋଲର ଯସପ୍ରୀତ ବୁମରା (୨/୨୪) ମଧ୍ୟ ଦୁଇଟି ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ସେହିଭଳି ସ୍ପିନର ୟୁଜବେନ୍ଦ୍ର ଚହଲ (୨/୩୮) ତାଙ୍କ ସ୍ପିନ୍‌ ଜାଲରେ ଘାଇଲା କରି ଦକ୍ଷିଣ ଆଫ୍ରିକାର ଦୁଇଟି ଓ୍ଵିକେଟ୍‌ କରାୟତ କରିଥିଲେ।

ଦକ୍ଷିଣ ଆଫ୍ରିକା ତରଫରୁ କେବଳ ଖୟା ଜୋଣ୍ଡେ (୫୪) ଅର୍ଧଶତକ ଅର୍ଜନ କରିଥିଲେ। ବିପଜ୍ଜନକ ଏବି ଡିଭିଲିୟର୍ସ (୩୦)ଙ୍କ ସମେତ ଅନ୍ୟ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କ ଚକ୍ରବ୍ୟୁହରୁ ମୁକୁଳି ପାରି ନଥିଲେ। ଅଧିନାୟକ ଏଦେନ ମର୍କରାମ ୨୪, ହାସିମ ଆମଲା ୧୦, ହେନରିକ୍‌ କ୍ଲାସେନ ୨୨ ଏବଂ ଆନ୍ଦିଲ ଫେଲୁଖୋଓ୍ଵା ୩୪ ରନ୍‌ କରିଥିଲେ। ସ୍ପିନର କୁଲଦୀପ ଯାଦବ(୧/୫୧) ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା (୧/୩୯) ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଭାରତ ଆଜି ଟସ୍‌ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦିନିକିଆ ସିରିଜ୍‌ରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିବା ଉପରେ ଭାରତର ନଜର ଏବେ ୧୮ ତାରିଖରୁ ଜୋହାନେସ୍‌ବର୍ଗରେ ଆରମ୍ଭ ହେଉଥିବା ତିନିଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଉପରେ ରହିବ।

ସମ୍ବନ୍ଧିତ ଖବର