ମାଞ୍ଚେଷ୍ଟର୍: ଟେଷ୍ଟ୍ କ୍ରିକେଟ୍ ଦେଖିଛି ଓ ଦେଖାଇଛି ଆଉ ଏକ ଚମତ୍କାର ମ୍ୟାଚ୍। ପ୍ରଥମ ପାଳିରେ ୩୧୧ ରନ୍ ପଛୁଆ ରହିବା ପରେ ଭାରତ ୫ଟି ଅଧିବେଶନରେ ମାତ୍ର ୨ ୱିକେଟ୍ ହରାଇ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍ ମ୍ୟାଚ୍କୁ ଡ୍ର’ ରଖିଦେଇଛି। ଏଥି ସହ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାକୁ ବି ଜୀବନ୍ତ କରି ଦେଇଛି। ଶୁବମନ ଗିଲ୍ (୧୦୩), ରବୀନ୍ଦ୍ର ଜାଡ଼େଜା (୧୦୭*) ଓ ୱାସିଂଟନ୍ ସୁନ୍ଦର (୧୦୧*)ଙ୍କ ଶତକ ବଳରେ ଭାରତ ଏହି କଷ୍ଟକର ‘ଡ୍ର’କୁ ସହଜରେ ତୁଲାଇ ନେଇଛି। ଦ୍ବିତୀୟ ପାଳିର ଆହ୍ବାନ ଏବଂ ୧୪୨ ଓଭର ଭିତରେ ମାତ୍ର ୨ ୱିକେଟ୍ ହରାଇବା ଭାରତର ବ୍ୟାଟିଂ କ୍ଷମତା ଓ ସାହସିକ ସଂଜମତାକୁ ବି ପ୍ରତିଫଳିତ କରିଛି। ତଥାପି ୫ ମ୍ୟାଚ୍ ଶୃଙ୍ଖଳାରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ଜୁଲାଇ ୩୧ ତାରିଖରୁ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ ଦ ଓଭାଲରେ ଖେଳାଯିବ। ଭାରତ କେବଳ ଶୃଙ୍ଖଳା ବରାବର କରିବାର ସୁଯୋଗ ପାଇବ।
ରେକର୍ଡ...ରେକର୍ଡ...
ମାଞ୍ଚେଷ୍ଟର୍ ଟେଷ୍ଟ୍ ଅବସରରେ ଏକାଧିକ ଦଳଗତ ଓ ବ୍ୟକ୍ତିଗତ ରେକର୍ଡ ସୃଷ୍ଟି ହୋଇଛି। ବେନ୍ ଷ୍ଟୋକ୍ସ ନିଜ ୧୨ତମ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ସହ ଦେଶ ପାଇଁ ଯୁଗ୍ମ ଦ୍ବିତୀୟ ସର୍ବାଧିକ ଏହି ସମ୍ମାନ ପାଇଛନ୍ତି। ଇଅନ୍ ବୋଥାମ ମଧ୍ୟ ୧୨ ଥର ଏହି ପୁରସ୍କାର ପାଇଥିଲେ। ଜୋ ରୁଟ୍ ସର୍ବାଧିକ ୧୩ ଥର ଏହି ସମ୍ମାନ ପାଇ ଶୀର୍ଷରେ ଅଛନ୍ତି। ଚଳିତ ଗସ୍ତରେ ପ୍ରଥମ ଥର ପାଇଁ ୪ ଜଣ ବ୍ୟାଟର୍ ମୋଟ ୪୦୦+ ରନ୍ ସଂଗ୍ରହ କରିଛନ୍ତି। ସେମାନେ ହେଲେ ଶୁବମନ ଗିଲ୍ (୭୨୨), କେଏଲ୍ ରାହୁଲ୍ (୫୧୧), ଋଷଭ ପନ୍ତ୍ (୪୭୯) ଓ ରବୀନ୍ଦ୍ର ଜାଡ଼େଜା (୪୫୪)। ବିଶ୍ବର ପ୍ରଥମ ଦଳ ଭାବେ ଭାରତ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ୭ ଥର ୩୫୦+ ସ୍କୋର୍ କରି ରେକର୍ଡ କରିଛି। ସୁନ୍ଦରଙ୍କ ଶତକ ସହିତ ଭାରତ ମଧ୍ୟ ଚଳିତ ଗସ୍ତରେ ଏକାଦଶ ବ୍ୟକ୍ତିଗତ ଶତକ ପାଇଛି। ଯାହା ଯୁଗ୍ମ ସର୍ବାଧିକ। ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ମଧ୍ୟ ୧୧ ଶତକ ପାଇଥିଲା। ତୃତୀୟ କିମ୍ବା ଚତୁର୍ଥ ପାଳିରେ ଭାରତ ପ୍ରଥମ ଥର ପାଇଁ ୩ଟି ଶତକ ମଧ୍ୟ ପାଇଛି।
ଶନିବାର ଭାରତ ଖାତା ଖୋଲିବା ପୂର୍ବରୁ ୨ ୱିକେଟ୍ (ଜୟସ୍ବାଲ ଓ ସୁଦର୍ଶନ)ଙ୍କୁ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ତେବେ ୩୧୧ ରନ୍ ପଛୁଆ ରହିବାର ଚାପରେ ନ ପଡ଼ି କେଏଲ୍ ରାହୁଲ୍ ଓ ଶୁବମନ ଗିଲ୍ ୧୮୮ ରନ୍ ଭାଗୀଦାରି କରିବା ଆଶା ସଂଚାର କରିଥିଲା। ରବିବାର ରାହୁଲ ମାତ୍ର ୧୦ ରନ୍ ପାଇଁ ଚଳିତ ଗସ୍ତର ତୃତୀୟ ଶତକ ହରାଇଥିଲେ। ଗିଲ୍ କିନ୍ତୁ ଶୃଙ୍ଖଳାର ଚତୁର୍ଥ ଓ କ୍ୟାରିୟରର୍ ଅଷ୍ଟମ ଶତକ ହାସଲ କରି ନେଇଥିଲେ। ଗିଲ୍ଙ୍କ ୱିକେଟ୍ ସହ ଭାରତ ୨୨୨/୪ରେ ଥିବାରୁ ବିପଦ ସମ୍ପୂର୍ଣ୍ଣ ଭାବେ ଭାରତ ଉପରେ ଥିଲା। ଏହି ସମୟରେ ଦୁଇ ବାମହାତୀ ବ୍ୟାଟର୍ ୱାସିଂଟନ୍ ସୁନ୍ଦର ଓ ରବୀନ୍ଦ୍ର ଜାଡ଼େଜା ଇଂଲିସ୍ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନଥିଲେ। ଅସୀମ ଧୈର୍ଯ୍ୟ ଓ ସଂଜମତା ଦେଖାଇ ଦ୍ବିଶତକ (୬୫.୨ ଓଭରରେ ୨୦୩ ରନ୍) ଭାଗୀଦାରି କରି ଇଂଲଣ୍ଡ ଆଶାରେ ପାଣି ଭରି ଦେଇଥିଲେ। ଉଭୟ ନିଜ ଖେଳ ଜୀବନର ବହୁ ପ୍ରତୀକ୍ଷିତ ଶତକ ଅର୍ଜନ କରିବା ମାତ୍ରେ ଆଉ ଫଳାଫଳ ମିଳିବା ସମ୍ଭାବନା ନ ଥିବାରୁ ମ୍ୟାଚ୍କୁ ଡ୍ର’ ପାଇଁ ସହମତ ହୋଇଯାଇଥିଲେ। ଚଳିତ ଗସ୍ତରେ ପଞ୍ଚମ ଥର ପାଇଁ ୫୦ ଅତିକ୍ରମ କରିଥିବା ଜାଡ଼େଜା ଦେଢ଼ବର୍ଷ ପରେ ଶତକ (୧୦୭*, ୧୮୫ ବଲ୍, ୧୩ ଚୌକା, ୧ ଛକା) ହାସଲ କରିଥିଲେ। ଏହା ଥିଲା ତାଙ୍କ କ୍ୟାରିୟର୍ର ପଞ୍ଚମ ଏବଂ ଇଂଲଣ୍ଡ ବିପକ୍ଷରେ ତୃତୀୟ ଶତକ। ପରିସ୍ଥିତି ଦୃଷ୍ଟିରୁ ତଥା ନୂଆ ବଲ୍ ଖେଳିବା ଦକ୍ଷତା ରଖିଥିବାରୁ ରବିବାର ବ୍ୟାଟିଂ ପଦୋନ୍ନତି ପାଇଥିବା ୱାସିଂଟନ୍ ସୁନ୍ଦର (୧୦୧* ରନ୍, ୨୦୬ ବଲ୍, ୯ ଚୌକା, ୧ ଛକା) ସମ୍ପୂର୍ଣ୍ଣ ଫାଇଦା ଉଠାଇ ପ୍ରଥମ ଟେଷ୍ଟ୍ ଶତକ ସ୍ବପ୍ନକୁ ସାକାର କରି ନେଇଥିଲେ। ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ଷ୍ଟୋକ୍ସ ଏକ ଶୃଙ୍ଖଳାରେ ୩୦୦+ ରନ୍ ଓ ୧୫+ ୱିକେଟ୍ ଅକ୍ତିଆର କରିବା ସହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର:ଭାରତ ପ୍ରଥମ ପାଳି: ୩୫୮ (ସାଇ ସୁଦର୍ଶନ-୬୧, ଯଶସ୍ବୀ ଜୟସ୍ବାଲ-୫୮, ଋଷଭ ପନ୍ତ୍-୫୪, ବେନ୍ ଷ୍ଟୋକ୍ସ-୫/୭୨, ଜୋଫ୍ରା ଆର୍ଚର-୩/୭୩)। ଇଂଲଣ୍ଡ ପ୍ରଥମ ପାଳି: ୬୬୯ (ଜୋ ରୁଟ୍-୧୫୦, ବେନ୍ ଷ୍ଟୋକ୍ସ-୧୪୧, ବେନ୍ ଡକେଟ୍-୯୪, ଜ୍ୟାକ୍ କ୍ରଲି-୮୪, ଓଲି ପୋପ୍-୭୧, ବ୍ରାଏଡନ୍ କାର୍ସ-୪୭, ରବୀନ୍ଦ୍ର ଜାଡ଼େଜା-୪/୧୪୩, ୱାସିଂଟନ୍ ସୁନ୍ଦର-୨/୧୦୭, ଯଶପ୍ରୀତ୍ ବୁମ୍ରା-୨/୧୧୨, ଅଂଶୁଲ କମ୍ବୋଜ-୧/୮୯, ମହମ୍ମଦ ସିରାଜ-୧/୧୪୦)। ଭାରତ ଦ୍ବିତୀୟ ପାଳି: ୧୪୩ ଓଭରରେ ୪୨୫/୪ (ରବୀନ୍ଦ୍ର ଜାଡ଼େଜା-୧୦୭*, ଶୁବମନ ଗିଲ୍-୧୦୩, ୱାସିଂଟନ୍ ସୁନ୍ଦର-୧୦୧*, କେଏଲ୍ ରାହୁଲ-୯୦, କ୍ରିସ୍ ୱକ୍ସ-୨/୬୭, ବେନ୍ ଷ୍ଟୋକ୍ସ-୧/୩୩, ଜୋଫ୍ରା ଆର୍ଚର-୧/୭୮)।
କିଂବଦନ୍ତିଙ୍କ କ୍ଲବ୍ରେ ଗିଲ୍
ଭାରତୀୟ ଟେଷ୍ଟ୍ ଦଳର ଯୁବ ଅଧିନାୟକ ଶୁବମନ ଗିଲ୍ ଏବେ ଦୁଇ ବ୍ୟାଟିଂ କିଂବଦନ୍ତି ସୁନୀଲ ଗାଭାସ୍କର ଓ ସାର୍ ଡନ୍ ବ୍ରାଡ୍ମ୍ୟାନ୍ଙ୍କ ରେକର୍ଡର ସମକକ୍ଷ ହୋଇ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଏପରିକି ଉଭୟଙ୍କୁ ପଛରେ ପକାଇଦେବାର ସମ୍ଭାବନା ସୃଷ୍ଟି କରିଛନ୍ତି। ଗୋଟିଏ ଶୃଙ୍ଖଳାରେ ଅଧିନାୟକ ଭାବେ ୪ ଶତକ ହାସଲ କରିଛନ୍ତି। ଯାହାକି ପୂର୍ବରୁ କେବଳ ଗାଭାସ୍କର ଓ ବ୍ରାଡ୍ମ୍ୟାନ୍ କରିଥିଲେ। ଭାରତୀୟ ପାଳିର ୮୩ତମ ଓଭରରେ କ୍ରିସ୍ ୱକ୍ସଙ୍କଠାରୁ ଏକ ରନ୍ ନେଇ ସେ ଏହି ମାଇଲ୍ଖୁଣ୍ଟ ଛୁଇଁଥିଲେ। ବ୍ରାଡ୍ମ୍ୟାନ୍ ୧୯୪୭-୪୮ରେ ଭାରତ ବିପକ୍ଷ ଘରୋଇ ଶୃଙ୍ଖଳାରେ ୪ ଶତକ ମାରିଥିବା ବେଳେ ଗାଭାସ୍କର ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ମଧ୍ୟ ୪ ଥର ତିନି ଅଙ୍କ ଛୁଇଁଥିଲେ। ଗିଲ୍ କିନ୍ତୁ ତୃତୀୟ ଭାରତୀୟ ଭାବେ ଗୋଟିଏ ଶୃଙ୍ଖଳାରେ ୪ ଶତକ ହାସଲ କରିଛନ୍ତି। ଗାଭାସ୍କର ୧୯୭୧ ୱେଷ୍ଟଇଣ୍ଡିଜ୍ ଗସ୍ତ ଏବଂ ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ୍ର ଭାରତ ଗସ୍ତ ବେଳେ ଦୁଇ ଥର ଏହା କରିପାରିଥିଲେ। ୨୦୧୪-୧୫ ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲି ମଧ୍ୟ ୪ ଶତକ ହାସଲ କରିଥିଲେ। ଏହି ଗସ୍ତ ଅଧାରୁ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ସେ ମଧ୍ୟ ନେତୃତ୍ବ ଭାର ସମ୍ଭାଳିଥିଲେ।
ଗିଲ୍ ହେଡିଂଲେରେ ତାଙ୍କ ନେତୃତ୍ବର ପ୍ରଥମ ଟେଷ୍ଟ୍ରେ ୧୪୭ ରନ୍ କରିଥିବା ବେଳେ ଲିଡ୍ସରେ ଉଭୟ ପାଳିରେ ଶତକ (୨୬୯ ଓ ୧୬୧) ହାସଲ କରିଥିଲେ। ରବିବାର ୧୦୩ ରନ୍ କରି ଜୋଫ୍ରା ଆର୍ଚରଙ୍କ ଅଫଷ୍ଟମ୍ପ୍ ବାହାର ବଲ୍କୁ ଛାଡ଼ି ନାପାରି ୱିକେଟ୍ରକ୍ଷକ ଜାମି ସ୍ମିଥ୍ଙ୍କ ଗ୍ଲୋଭ୍ସରେ ଧରାପଡ଼ିଯାଇଥିଲେ। ଗୋଟିଏ ଶୃଙ୍ଖଳାରେ ୭୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିବାରେ ମଧ୍ୟ ଗିଲ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଭୟ ଥର (୭୭୪ ରନ୍, ୧୯୭୧ ଏବଂ ୭୩୨ ରନ୍, ୧୯୭୮-୭୯) ଏହା ହାସଲ କରିଥିଲେ। ଆଉ ଗୋଟିଏ ଟେଷ୍ଟ୍ ଥିବାରୁ ଗାଭାସ୍କରଙ୍କ ୭୭୪ ରନ୍ ରେକର୍ଡକୁ ଟପିବା ଲାଗି ଗିଲ୍ଙ୍କୁ ଆଉ ୫୩ ରନ୍ ଆବଶ୍ୟକ ରହିଛି। ପଞ୍ଚମ ତଥା ଶେଷ ଟେଷ୍ଟ୍ ଜୁଲାଇ ୩୧ ତାରିଖରୁ ଦ ଓଭାଲ୍ରେ ଖେଳାଯିବ।