ପର୍ଚମେଣ୍ଟଙ୍କ ବାଧାଦୌଡ଼ ସ୍ବର୍ଣ୍ଣ ପଛରେ ରହିଥିଲା ବାଧା

ଟୋକିଓ: ଜାମାଇକା ସ୍ପ୍ରିଣ୍ଟର ହାନ୍‌ସଲେ ପର୍ଚମେଣ୍ଟ ଟୋକିଓ ଅଲିମ୍ପିକ୍‌ ପୁରୁଷ ୧୧୦ ମିଟର ବାଧାଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ହେଲେ ଏହି ସ୍ବର୍ଣ୍ଣ ପଦକ ଜିତିବା ପୂର୍ବରୁ ତାଙ୍କୁ ବହୁ ବାଧା ଅତିକ୍ରମ କରିବାକୁ ପଡ଼ିଥିଲା। କିଭଳି ଅସୁବିଧାରେ ପଡ଼ିଥିଲେ ତାହାର ରୋଚକ କାହାଣୀ ‌ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ପର୍ଚମେଣ୍ଟ। ଶେଷ ଦିନରେ ଟୋକିଓ କ୍ରୀଡ଼ା ଗ୍ରାମରୁ ଇଭେଣ୍ଟସ୍ଥଳକୁ ଆସିବା ବଦଳରେ ପର୍ଚମେଣ୍ଟ୍‌ ଭୁଲ୍‌ ଯାଗ‌ାରେ ପହଞ୍ଚି ଯାଇଥିଲେ। ଫଳରେ ସେମି‌ଫାଇନାଲ୍‌ରେ ଭାଗ ନେବା ନେଇ ଆଶା ଛାଡ଼ି ଦେଇଥିଲେ ଏବଂ ତାଙ୍କୁ ଅଯୋଗ୍ୟ ହେବାର ‌ଭୟ ଘାରିଥିଲା। ହେଲେ ଏହି ସମୟରେ ଜଣେ ସ୍ବେଚ୍ଛାସେବୀ ଦେବଦୂତ ସାଜି ତାଙ୍କୁ ଉଦ୍ଧାର କରିଥିଲେ। ଟ୍ୟାକ୍ସିରେ ଯିବା ପାଇଁ ଖର୍ଚ୍ଚ ଦେଇଥିଲେ। ଅପରିଚିତ ବ୍ୟକ୍ତିଙ୍କ ସହଯୋଗରେ ସେ ପ୍ରତିଯୋଗିତା ଆରମ୍ଭ ହେବାର ଟିକେ ପୂର୍ବରୁ ଇଭେଣ୍ଟ ସ୍ଥଳରେ ପହଞ୍ଚି ଭାଗ ନେବାକୁ ସକ୍ଷମ ହୋଇଥିଲେ ଏବଂ ପଦକ ଜିତିଥିଲେ।

‘‘ସେମିଫାଇନାଲ୍‌ ବେଳେ ମୁଁ ଭୁଲ୍‌ ବସ୍‌ରେ ଭୁଲ୍‌ ସ୍ଥାନକୁ ଚାଲିଯାଇଥିଲି। ମୁଁ ଇୟର ଫୋନ୍‌ରେ ଗୀତ ଶୁଣୁଥିବାରୁ ମୋତେ ବସ୍‌ରେ ଥିବା ଲୋକମାନେ କ’ଣ କହୁଥିଲେ ଶୁଣା ଯାଉନଥିଲା। କିନ୍ତୁ ଆଥ୍‌ଲେଟିକ୍‌ ଟ୍ରାକ୍‌ର ଚିହ୍ନ କେଉଁଠି ଅଛି ତାକୁ ନଜର ରଖିଥିଲି। ଆଉ କିଛି ନଭାବି ମୁଁ ଗୀତ ଶୁଣିବାରେ ବ୍ୟସ୍ତ ଥିଲି। ଏହି ସମୟରେ ଅନୁଭବ କଲି‌ ଯେ ବସ୍‌ ଭୁଲ୍‌ ରାସ୍ତାରେ ଯାଉଛି। ଏହି ବସ୍‌ରେ ‌କେହି ପରିଚିତ ବ୍ୟକ୍ତି ନଥିଲେ। ବସ୍‌ରେ ସମସ୍ତେ କହିଲେ ଏଠାରୁ କ୍ରୀଡ଼ା ଗ୍ରାମକୁ ଫେରିଯାଅ, ଆଉ ଏକ ବସ୍‌ରେ ‌ଆଥ୍‌ଲେଟିକ୍‌ ଷ୍ଟାଡିୟମକୁ ଆସିବ। ଯଦି ବି ତାହା କରିଥା’ନ୍ତି ତେବେ ମୁଁ ଠିକ୍‌ ସମୟରେ ପହଞ୍ଚିପାରି ନଥା’ନ୍ତି। ଯଦି ବି ଇଭେଣ୍ଟସ୍ଥଳରେ ପହଞ୍ଚିଯାଏ କିନ୍ତୁ ଭାଗ ନେବା ନେଇ ନିଶ୍ଚିତ ହୋଇ ପାରୁନଥିଲି। ସେଠାରେ ମୁଁ ଗୋଟିଏ ଟୋକିଓ ୨୦୨୦ ଲେଖା ଥିବା ଏକ କାର୍‌କୁ ‌ଦେଖି ଅଟକାଇ କହିଲି ମୋତେ ଅନ୍ୟ ଆଥ୍‌ଲେଟିକ୍‌ ହେଉଥିବା ସ୍ଥାନକୁ ନେଇଯାଅ। ସେମାନେ ବହୁତ କଠୋର ବ୍ୟକ୍ତି ଥିଲେ। ତେଣୁ ଶୁଣିଲେନି। ତାଙ୍କ ମଧ୍ୟରେ ଜଣେ ମହିଳା ସ୍ବେଚ୍ଛାସେବୀ ଥିଲେ। ତାଙ୍କୁ ମୁଁ ଅନେଇ ରହିଲି। ମହିଳା ଜଣଙ୍କ କିଛି ସମୟ ପରେ ଟୋକିଓ ଅଲିମ୍ପିକ୍ସ ସହ ଅନୁବନ୍ଧିତ ଏକ ଟ୍ୟାକ୍ସିରେ ଯିବା ପାଇଁ ମୋତେ କିଛି ଅର୍ଥ ସାହାଯ୍ୟ କଲେ। ତାଙ୍କର ଏହି ସହଯୋଗ ବଳରେ ମୁଁ ୱାର୍ମ ଅପ୍‌ ଟ୍ରାକ୍‌ରେ ପହଞ୍ଚିଗଲି। ଦେଖିଲା ବେଳକୁ ପ୍ରତିଯୋଗିତା ଆରମ୍ଭ ଲାଗି ଆଉ କିଛି ସମୟ ବାକି ରହିଛି। ୱାର୍ମ ଅପ୍‌ କରି ଟ୍ରାକ୍‌କୁ ଓହ୍ଲାଇବାକୁ ସମୟ ପାଇଯାଇଥିଲି। ଜିତିବା ପରେ ସେହି ମହିଳା ଜଣଙ୍କୁ ଖୋଜିଥିଲି ଏବଂ ତାଙ୍କ ପାଖକୁ ଯାଇ ମୋ ସ୍ବର୍ଣ୍ଣ ପଦକ ଦେଖାଇଥିଲି। ତାଙ୍କ ସହଯୋଗ ଯୋଗୁଁ ହିଁ ଏହି ପଦକ ଜିତିପାରିଥିଲି।’’ ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟରେ ପର୍ଚମେଣ୍ଟ ପ୍ରକାଶ କରିଛନ୍ତି।

ପର୍ଚମେଣ୍ଟ୍‌ଙ୍କୁ ସହଯୋଗ କରିଥିବା ‌ସ୍ବେଚ୍ଛାସେବୀଙ୍କ ନାଁ ହେଉଛି ତ୍ରିଜାନା। ପଦକ ଜିତିବା ପରେ ପର୍ଚମେଣ୍ଟ୍‌ ୩୧ ବର୍ଷୀୟା ତ୍ରିଜାନାଙ୍କୁ ଭେଟି ତାଙ୍କ ସହ‌ ସେଲ୍‌ଫି ନେଇଥିଲେ ଏବଂ ନେଇଥିବା ଅର୍ଥ ଫେରାଇବା ସହ ଟି ସାର୍ଟ ଉପହାର ଦେଇଥିଲେ। ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜେତା ପର୍ଚମେଣ୍ଟ ଟୋକିଓରେ ଚଳିତ ଋତୁର ନିଜର ଶ୍ରେଷ୍ଠ ୧୩.୦୪ ‌ସେକେଣ୍ଡ ସହ ବିଶ୍ବ ବିଜେତା ‌ଗ୍ରାଣ୍ଟ ହୋଲୋ‌ୱେଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ‌ହୋଲୋୱେ (୧୩.୦୯) ରୌପ୍ୟ ଏବଂ ଜାମାଇକାର ରୋନାଲ୍ଡ ଲେଭି (୧୩.୧୦) କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର