କୋଲକାତା: ଏକାଦଶ ଆଇପିଏଲ୍ର ଶନିବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ବର୍ଷା ପ୍ରଭାବିତ ଦଶମ ମ୍ୟାଚ୍ରେ ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ସନ୍ରାଇଜର୍ସ ହାଇଦ୍ରାବାଦ ୫ ଓ୍ଵିକେଟ୍ରେ ପରାସ୍ତ କରିଛି। କୋଲକାତା ୧୩୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ହାଇଦ୍ରାବାଦ ଏହାକୁ ଗୋଟିଏ ଓଭର ପୂର୍ବରୁ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ହାଇଦ୍ରାବାଦର ବିଜୟରେ ଏହି ଦଳର ବୋଲର ଏବଂ ଅଧିନାୟକ କେନ୍ ଓ୍ଵିଲିୟମସନ୍ (୫୦ ରନ୍, ୪୪ ବଲ୍, ୪ ଚୌକା, ୧ ଛକା) ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ଵିକେଟ୍ ରକ୍ଷକ ଋଦ୍ଧିମାନ ସାହା ୨୪ ଓ ଅଲରାଉଣ୍ଡର ସକିବ-ଅଲ୍-ହାସନ ୨୭ ରନ୍ କରିଥିଲେ। ୩ ମ୍ୟାଚ୍ରୁ ହାଇଦ୍ରାବାଦ ଶନିବାର ଲଗାତାର ତୃତୀୟ ବିଜୟ ହାସଲ କରି ହ୍ୟାଟ୍ରିକ୍ କରିଥିଲା। ଅନ୍ୟ ପକ୍ଷରେ କୋଲକାତା ସେହି ୩ ମ୍ୟାଚ୍ରୁ ଦ୍ୱିତୀୟ ପରାଜୟ ବରଣ କରିଥିଲା। ଏକଦା କୋଲକାତା ତରଫରୁ ଖେଳୁଥିବା ୟୁସୁଫ ପଠାନ (୧୭* ରନ୍, ୭ ବଲ୍, ୨ ଚୌକା, ୧ ଛକା) ଛକା ମାରି ହାଇଦ୍ରାବାଦ ବିଜୟରେ ମୁଣ୍ଡି ମାରିଥିଲେ।
ଐତିହାସିକ ଇଡେନ୍ ଗାର୍ଡେନସରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ଅଧିନାୟକ କେନ୍ ଓ୍ଵିଲିୟମସନ୍ ଟସ୍ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ସନ୍ରାଇଜର୍ସ ବୋଲରମାନେ ମଧ୍ୟ ନିୟମିତ ଓ୍ଵିକେଟ୍ ନେଇ ତାଙ୍କ ନିଷ୍ପତ୍ତିର ପୂରା ସମ୍ମାନ ରଖିଥିଲେ। ପାଓ୍ଵାର ପ୍ଲେ’ର ୬ ଓଭରରେ କୋଲକାତା କେବଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରବିନ ଉଥାପ୍ପା (୩)ଙ୍କୁ ହରାଇ ୪୯ ରନ୍ କରିଥିଲା। ହେଲେ ସପ୍ତମ ଓଭର ପରେ ପରେ ପାଖା ପାଖି ଘଣ୍ଟାଏର ବର୍ଷା ବ୍ୟାଘାତ ସବୁକିିଛି ଓଲଟ ପାଲଟ କରି ଦେଇଥିଲା। ଏଥିପାଇଁ ସମ୍ଭବତଃ କୋଲକାତା ବ୍ୟାଟ୍ସମ୍ୟାନ୍ଙ୍କ ଲୟ ପୂରା ବିଗିଡ଼ି ଯାଇଥିଲା। ବିଶେଷ କରି ଭୁବନେଶ୍ୱର କୁମାର (୪-୦-୨୬-୩), ସକିବ ଅଲ ହାସନ (୪-୦-୨୧-୨) ଙ୍କ ସହ ଅଷ୍ଟ୍ରେଲୀୟ ବୋଲର ବିଲ୍ଲି ଷ୍ଟାନଲେକ (୪-୦-୨୧-୨)ଙ୍କୁ ସମ୍ମୁଖୀନ ହେବାକୁ ସେମାନେ ପୂରା ବିଫଳ ହୋଇଥିଲେ। ସେଥିପାଇଁ କୋଲକାତା ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ମାତ୍ର ୧୩୮ ରନ୍ କରି ପାରିଥିଲା। ଶନିବାର ସୁନୀଲ ନରିନଙ୍କ ସ୍ଥାନରେ ଉଥାପ୍ପା ପାଳି ଆରମ୍ଭ କରିବା ମଧ୍ୟ କୋଲ୍କାତାର ଭାଗ୍ୟକୁ ବଦଳାଇ ପାରି ନଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ (୪୯ ରନ୍, ୩୪ ବଲ୍, ୭ ଚୌକା, ୧ ଛକା) ଓ ଅଧିନାୟକ ଦୀନେଶ କାର୍ତିକ (୨୯ ରନ୍, ୨୭ ବଲ୍, ୨ ଚୌକା, ୧ ଛକା)ଙ୍କ ପାଇଁ କୋଲକାତା ଯାହା ତିନି ଅଙ୍କ ଛୁଇଁ ପାରିଥିଲା।
ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୩୮/୮ (କ୍ରିସ୍ ଲିନ୍ ୪୯, ଦୀନେଶ କାର୍ତିକ ୨୯, ନୀତିଶ ରାଣା ୧୮, ଭୁବନେଶ୍ୱର କୁମାର ୩/୨୬, ସକିବ ଅଲ୍ ହାସନ ୨/୨୧, ବିଲି ଷ୍ଟାନଲେକ ୨/୨୧)। ସନ୍ରାଇଜର୍ସ ହାଇଦ୍ରାବାଦ ୧୯ ଓଭରରେ ୧୩୯/୫ (କେନ୍ ଓ୍ଵିଲିୟମସନ୍ ୫୦, ସକିବ-ଅଲ୍-ହାସନ ୨୭, ଋଦ୍ଧିମାନ ସାହା ୨୪, ୟୁସୁଫ୍ ପଠାନ୍-୧୭*, ସୁନୀଲ ନରିନ ୨/୧୭, ପୀୟୂଷ ଚାଓ୍ଵଲା ୧/୨୦)।