ଧୋନି ବିନା ଚେନ୍ନାଇ ଫିକା: ହାଇଦ୍ରାବାଦ ୬ ୱିକେଟ୍‌ରେ ଜିତିଲା

ହାଇଦ୍ରାବାଦ: ଧୋନିଙ୍କ ଗୋଟି ଚାଳନା ହିଁ ଚେନ୍ନାଇର ଅସଲ ଶକ୍ତି। ପୁଣି ଥରେ ଏହା ପ୍ରମାଣିତ ହୋଇଛି। ପୂର୍ବରୁ ଅନାୟସରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଚାଲିଥିବା ଚେନ୍ନାଇ ଧୋନିଙ୍କ ଅନୁପସ୍ଥିତି ପାଇଁ ବୁଧବାର ସନ୍‌ରାଇଜର୍ସ ହାଇଦ୍ରାବାଦଠାରୁ ୬ ୱିକେଟ୍‌ରେ ହାରି ଯାଇଛି। ଚଳିତ ଆଇପିଏଲ୍‌ର ୩୩ତମ ମ୍ୟାଚ୍‌ର ଠିକ୍ ପୂର୍ବରୁ ଚେନ୍ନାଇକୁ ବଡ଼ ଝଟ୍‌କା ଲାଗିଥିଲା। ପିଠି ଯନ୍ତ୍ରଣା ପାଇଁ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମ୍ୟାଚ୍‌ରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଚେନ୍ନାଇ ଚମକ ପୂରା ଫିକା ପଡ଼ି ଯାଇଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ଆଜି ତୁଳନାତ୍ମକ ଭାବେ ମନ୍ଥର ବ୍ୟାଟିଂ କରି ହାଇଦ୍ରାବାଦ ସମ୍ମୁଖରେ ୧୩୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ହାଇଦ୍ରାବାଦ ୧୬.୫ ଓଭରରେ ମାତ୍ର ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଦ୍ବିତୀୟ ପରାଜୟ ବରଣ କରିଥିବା ଚେନ୍ନାଇ କିନ୍ତୁ ପୂର୍ବବତ୍ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ସ୍ଥିର ରହିଛି। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ଆତ୍ମବିଶ୍ବାସଭରା ବିଜୟ ପାଇ ଷଷ୍ଠରୁ ପଞ୍ଚମକୁ ଉନ୍ନୀତ ହୋଇଛି। ଲଗାତାର ଚାରିଟି ବିଜୟ ପରେ ଚେନ୍ନାଇ ପ୍ରଥମ ପରାଜୟ ବରଣ କରିଥିଲା। ହାଇଦ୍ରାବାଦ ପୂର୍ବରୁ କେବଳ ମୁମ୍ବାଇ ଇଣ୍ଡିଆନ୍ସ ହିଁ ଏହି ଦଳକୁ ହରାଇ ପାରିଥିଲା। ଚତୁର୍ଥ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ପାଇଁ ଅଧିନାୟକ କେନ୍ ୱିଲିୟମସନ୍ (୩) ଓ ଭାରତୀୟ ବିଶ୍ବକପ୍ ଦଳର ସଦସ୍ୟ ବିଜୟ ଶଙ୍କର (୭) ବିଫଳ ହୋଇଥିଲେ। ତେବେ ଦୁଇ ପ୍ରାରମ୍ଭିକ ଯୋଡ଼ି ଜନି ବେୟାରଷ୍ଟୋ (୬୧* ରନ୍, ୪୪ ବଲ୍, ୩ ଚୌକା, ୩ ଛକା) ଓ ଡେଭିଡ୍ ୱାର୍ନର (୫୦ ରନ୍, ୨୫ ବଲ୍, ୧୦ ଚୌକା)ଙ୍କ ଧମାକାଦାର ବ୍ୟାଟିଂ ବଳରେ ହାଇଦ୍ରାବାଦ ୧୯ ବଲ୍ ଆଗରୁ ୬ ୱିକେଟ୍‌ର ସହଜ ବିଜୟ ହାସଲ କରିଥିଲା। ୱାର୍ନର ୨୪ ବଲ୍‌ରୁ ଅଧର୍ଶତକ ଅର୍ଜନ କରି ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଥି‌ଲେ। କର୍ଣ୍ଣ ଶର୍ମାଙ୍କୁ ଲଙ୍ଗ ଅନ୍ ଉପରେ ଛକା ମାରି ବେୟାରଷ୍ଟୋ ହାଇଦ୍ରାବାଦ ବିଜୟରେ ମୁଣ୍ଡି ମାରିଥିଲେ। ୱାର୍ନର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ପୂର୍ବରୁ ଚାମଚଳା ଅଧିନାୟକ ‌ସୁରେଶ ରାଇନା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଚେନ୍ନାଇ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇ ନଥିଲା। ପ୍ରାରମ୍ଭିକ ଯୋଡ଼ି ସେନ୍ ୱାଟସନ୍ (୩୧ ରନ୍, ୨୯ ବଲ୍, ୪ ଚୌକା) ଓ ଫାଫ୍‌ ଡୁ’ ପ୍ଲେସିସ୍ (୪୫ ରନ୍, ୩୧ ବଲ୍, ୩ ଚୌକା, ୩ ଛକା) ଅବଶ୍ୟ ଭଲ ଖେଳିଥିଲେ। ପରବର୍ତୀ ବ୍ୟାଟ୍ସମ୍ୟାନ କିନ୍ତୁ ପୂରା ବିଫଳ ହୋଇଥିଲେ। ବିଶେଷ କରି ରବୀନ୍ଦ୍ର ଜାଦେଜା (୧୦* ରନ୍, ୨୦ ବଲ୍) ଓ ଅମ୍ବାତି ରାୟୁଡୁ (୨୫* ରନ୍, ୨୧ ବଲ୍, ୨ ଚୌକା) ଶେଷ ଆଡ଼କୁ ୪୧ ବଲ୍ ଖେଳି ମାତ୍ର ୩୫ ରନ୍ କରିବା ଚେନ୍ନାଇର ବଡ଼ ସ୍କୋର ଅଭିଯାନରେ ପ୍ରମୁଖ ବାଧକ ସାଜିଥିଲା। ଉଭୟ ଅପରାଜିତ ରହିଥିଲେ ମଧ୍ୟ ହାଇଦ୍ରାବାଦ ବୋଲରଙ୍କ ମାଚପୁପ ବୋଲିଂ ପାଇଁ ହାତଖୋଲା ସଟ୍ ଖେଳିବାକୁ ପୂରା ଅସମର୍ଥ ହୋଇଥିଲେ। ୭୯ ରନ୍‌ର ମୂଳଦୁଆ ପରେ ୱାଟସନ୍, ଡୁ’ ପ୍ଲେସିସ୍ ତିନିଟି ବଲ୍ ଭିତରେ ପଡ଼ିଆ ଛାଡ଼ିଥିଲେ। ରାଇନା‌ (୧୩) ଓ କେଦାର ଯାଦବ (୧) ଗୋଟିଏ ଓଭରରେ ରସିଦ ଖାନଙ୍କ ଶିକାର ହୋଇଥିଲେ। ଧୋନିଙ୍କ ସ୍ଥାନ ନେଇଥିବା ସାମ୍ ବିଲିଙ୍ଗ୍ସ (୦) ବି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଧୋନିଙ୍କ ଅନୁପସ୍ଥିତିରୁ ସନରାଇଜର୍ସ ବୋଲର ଭରପୁର ଫଇଦା ଉଠାଇଥିଲେ। ଯାହା ଫଳରେ ଚେନ୍ନାଇ ଦେଢ଼ଶହ ରନ୍‌ ବି ଛୁଇଁ ପାରି ନଥିଲା। ଶାହାବାଜ ନଦୀମଙ୍କ ଛଡ଼ା ହାଇଦ୍ରାବାଦର ଅନ୍ୟ ସମସ୍ତ ବୋଲର ମିତବ୍ୟୟୀ ବୋଲିଂ କରିଥିଲେ। ରସିଦ ଖାନ୍ ସଫଳତମ ବୋଲର ଭାବେ ୧୭ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିଥିଲେ। ଭୁବନେଶ୍ବର କୁମାରଙ୍କ ‌ଶେଷ ଓଭରରେ ଜାଦେଜା ୱାଇଡ୍ ବଲ୍‌ ନେଇ ଦୁଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ଆଇପିଏଲ୍ ଅନୁଶାସନ ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୩୨/୫ (ଫାଫ୍ ଡୁ’ ପ୍ଲେସିସ୍ ୪୫, ସେନ୍ ୱାଟସନ୍ ୩୧, ଅମ୍ବାତି ରାୟୁଡୁ ୨୫*, ରସିଦ ଖାନ୍ ୨/୧୭, ବିଜୟ ଶଙ୍କର ୧/୧୧, ଖଲିଲ ଅହମ୍ମଦ ୧/୨୨)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୬.୫ ଓଭରରେ ୧୩୭/୪ (ଜନି ବେୟାରଷ୍ଟୋ ୬୧*, ଡେଭିଡ୍ ୱାର୍ନର ୫୦, ଇମ୍ରାନ ତାହିର ୨/୨୦, କର୍ଣ୍ଣ ଶର୍ମା ୧/୩୩)।

ନ’ବର୍ଷ ପରେ ନୂଆ ଚେନ୍ନାଇ ନେତା
ପିଠି ଯନ୍ତ୍ରଣା ପାଇଁ ଚେନ୍ନାଇ ସୁପରକିଙ୍ଗ୍ସ ବୁଧବାର ନିୟମିତ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା। ୨୦୧୦ ମସିହା ପରେ ଧୋନି ଚେନ୍ନାଇର ନେତୃତ୍ବ ନ ନେବା ଏହା ପ୍ରଥମ ଘଟଣା ହୋଇଥିଲା। ଧୋନି କିନ୍ତୁ ଚତୁର୍ଥ ଥର ପାଇଁ ଚେନ୍ନାଇର କୌଣସି ମ୍ୟାଚ୍ ଖେଳି ନଥି‌ଲେ। ଏହି ଚାରିଟି ମ୍ୟାଚ୍‌ ସେହି ୨୦୧୦ରେ ଖେଳାଯାଇଥିଲା। ଧୋନି ଆଜି ମ୍ୟାଚ୍ ପୂର୍ବ ଫୁଟବଲ୍ ଅଭ୍ୟାସରେ ସାମିଲ ରହିଥିଲେ। ହେଲେ ହଠାତ୍ ପିଠିରେ ପବନ ଅଟକି ଯିବାରୁ ବିଶ୍ରାମ ନେବାକୁ ବାଧ୍ୟ ହୋଇଥିଲେ। ତାଙ୍କ ସ୍ଥାନରେ ସୁରେଶ ରାଇନା ଚେନ୍ନାଇର ନେତୃତ୍ବ ନେଇଥିଲେ। ଧୋନିଙ୍କ ପାଖରେ କିନ୍ତୁ ସନରାଇଜର୍ସ ବିପକ୍ଷରେ ଏକ ବିରଳ କୀତ୍ତିମାନ କରିବାର ସୁଯୋଗ ଥିଲା। ଆଉ ୪୫ ରନ୍ କରିପାରିଥିଲେ ୪,୦୦୦ ରନ୍ ପୂରଣ କରିବାରେ ସେ ଆଇପିଏଲ୍ ଇତିହାସରେ ପ୍ରଥମ ଅଧିନାୟକ ହୋଇଥାଆନ୍ତେ। ବୁଧବାର ମ୍ୟାଚ୍ ଖେଳି ନପାରିବା ପରେ ଧୋନିଙ୍କର ଏହି ନିଆରା ମାଇଲଖୁଣ୍ଟ ଛୁଇଁବା ପରବର୍ତୀ ମ୍ୟାଚ୍‌କୁ ଲମ୍ବିଛି।

ସମ୍ବନ୍ଧିତ ଖବର