ବେକାର ହେଲା ରିଷଭ ପନ୍ଥଙ୍କ ଶତକ, ହାଇଦ୍ରାବାଦଠାରୁ ୯ ଓ୍ଵିକେଟରେ ହାରିଲା ଦିଲ୍ଲୀ

ନୂଆଦିଲ୍ଲୀ : ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମଠାରେ ଚାଲଥିବା ଆଇପିଏଲ ୨୦୧୮ର ୪୨ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ  ଦିଲ୍ଲୀ ଡେୟାରଡେଭିଲ୍ସକୁ ୯ ଓ୍ଵିକେଟରେ ପରାସ୍ତ କରିଛି ।  ଦିଲ୍ଲୀର ୧୮୭ ରନ ଜବାବରେ ହାଇଦ୍ରାବାଦ ଶିଖର ଧଓ୍ଵନ ଓ କେନ ଓ୍ଵିଲିୟମ୍ସଙ୍କ ଆକର୍ଷଣୀୟ ପାର୍ଟନରସିପ ଯ଼ୋଗୁଁ ସହଜରେ ବିଜୟ ହାସଲ କରିଥିଲା  ।  ଧଓ୍ଵନ ମାତ୍ର ୫୦ ବଲରେ ୯୨ ରନ ଓ  ଓ୍ଵିଲିୟମ୍ସ ୫୩ ବଲରେ ୮୩ ରନ କରିଥିଲେ ।
ଏହା ପୂର୍ବରୁ ଦିଲ୍ଲୀର ଅଧିନାୟକ ଶ୍ରେୟାସ ଆୟାର ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ  ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟ ସମ୍ମୁଖୀନ ହୋଇଥିବାବେଳେ ରିସଭ ପନ୍ଥ ଓ ହର୍ଷଲ ପଟେଲଙ୍କ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ ବଳରେ ଦଳକୁ ବିପର୍ୟ୍ୟରୁ ରକ୍ଷା କରିଥିଲେ । ରିସଭ ପନ୍ଥ ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୫୬ ବଲରେ ୪ ଛକା ଓ ୧୩ ଚୌକା ସହ ନିଜର ଶତକ ପୂରଣ କରିଥିଲେ । ଶତକ କରିବା ପରେ ମଧ୍ୟ ସେ ନିଜର ବିସ୍ଫୋରକ ବ୍ୟାଟିଂ ଅବ୍ୟାହତ ରଖିଥିଲେ । ଇନିଙ୍ଗସ ଶେଷ ବେଳକୁ ସେ ୭ ଛକା ଓ ୧୫ ଚୌକା ସହ ମୋଟ ୧୨୮ ରନ କରି ଅପରାଜିତ ରହିଥିଲେ । ତାଙ୍କର ଏହି ଶତକ ବଳରେ ଦିଲ୍ଲୀ ୫ ଓ୍ଵିକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲା । ହାଇଦ୍ରାବାଦ ତରଫରୁ ସାକିବୁଲ ହସନ ୨୭ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ ।
ଚଳିତ ବର୍ଷର ଆଇପିଏଲରେ ଦିଲ୍ଲୀର ପ୍ରଦର୍ଶନ ନୈରାଶ୍ୟଜନକ ରହିଆସିଛି । ଏହା ୧୧ ଟି ମ୍ୟାଚ ଖେଳି ୮ ପରାଜୟ ଓ ୩ଟି ବିଜୟ ମାତ୍ର ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ତଳେ ରହିଛି । ଆଜିର ପରାଜୟ ପରେ ଦିଲ୍ଲୀ ପାଇଁ ପ୍ଲେ ଅପକୁ ଯ଼ିବା କଷ୍ଟକର ହୋଇଯ଼ାଇଛି ।
ସମ୍ବନ୍ଧିତ ଖବର