ଆବୁଧାବି: ତ୍ରୟୋଦଶ ସଂସ୍କରଣ ଆଇପିଏଲ୍‌ର ଏକାଦଶ ମ୍ୟାଚ୍‌ରେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ ୧୫ ରନ୍‌ରେ ଏ ପର୍ଯ୍ୟନ୍ତ ଅପରାଜିତ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି। ଆବୁଧାବିର ମନ୍ଥର ପିଚ୍‌ରେ ହାଇଦ୍ରାବାଦ ୧୬୨ ରନ୍‌ କରିବା ପରେ ଦିଲ୍ଲୀକୁ ୧୪୭/୭ରେ ସୀମିତ ରଖିଥିଲା। ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମ ପରାଜୟ ବରଣ କରିଛି। ତୃତୀୟ ମ୍ୟାଚ୍‌ରୁ ହାଇଦ୍ରାବାଦ ମଧ୍ୟ ପ୍ରଥମ ବିଜୟ ହାସଲ କରି ଆଶ୍ବସ୍ତ ହୋଇଛି। ମିତ୍ତବ୍ୟୟୀ ବୋଲିଂ କରିଥିବା ଆଫଗାନିସ୍ତାନ ଲେଗସ୍ପିନର୍‌ ରସିଦ୍‌ ଖାନ୍ (୪-୦-୧୪-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Advertisment

ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତିବା ପରେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଡେଭିଡ୍ ୱାର୍ନର ଏବଂ ଜନି ବେୟାରଷ୍ଟୋ ଯୋଡ଼ି ସତକର୍ତାର ସହ ଖେଳି ପାୱାର ପ୍ଲେ ୬ ଓଭରରୁ ବିନା କ୍ଷତିରେ ୩୮ ରନ୍ ଆଦାୟ କରିଥିଲେ। ଦଶମ ଓଭରରେ ୱାର୍ନର (୪୫, ୩୩ ବଲ, ୩ ଚୌକା, ୨ ଛକା)ଙ୍କୁ ଲେଗ୍ ସ୍ପିନର୍‌ ଅମିତ୍ ମିଶ୍ରା ୱିକେଟରକ୍ଷକ ଋଷବ ପନ୍ତଙ୍କ ହାତରେ କ୍ୟାଚ୍‌ କରାଇ ପ୍ରଥମ ଝଟକା ଦେଇଥିଲେ। ନିଜର ପରବର୍ତୀ ଓଭରରେ ଅମିତ ମିଶ୍ରା ମଧ୍ୟ ମନୀଷ ପାଣ୍ଡେ (୩)ଙ୍କୁ ଜମିବାକୁ ଦେଇନଥିଲେ। ଏହି ସମୟରେ ଜନି ବେୟାରଷ୍ଟୋ (୫୩, ୪୮ ବଲ, ୨ ଚୌକା, ୧ ଛକା) ଏବଂ ପ୍ରଥମ ମ୍ୟାଚ୍‌ ଖେଳୁଥିବା କେନ୍ ୱିଲିୟମସନ୍‌ (୪୧, ୨୬ ବଲ, ୫ ଚୌକା)ଙ୍କ ମଧ୍ୟରେ ଅର୍ଧଶତକ ଭାଗୀଦାରି ହୋଇଥିଲା। ଏଥି ସହିତ ଦୁଇଟି ଅର୍ଧଶତକ ଭାଗୀଦାରିରେ ବେୟାରଷ୍ଟୋ ଭାଗ ପକାଇଥିଲେ। ଉଭୟଙ୍କୁ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରବାଦା ଲଗାତାର ଓଭରରେ ଆଉଟ୍ କରିବାରୁ ଶେଷ ୩ ଓଭରରୁ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଆଶାଜନକ ରନ୍‌ ମିଳିନଥିଲା। ଶେଷ ୧୮ ବଲରୁ ଏହି ପୂର୍ବ ବିଜେତା ଦଳ ମାତ୍ର ୨୨ ରନ୍ ଯୋଡ଼ି ପାରିଥିଲା। ଜମ୍ମୁ କଶ୍ମୀର ଖେଳାଳି ଅବଦୁଲ ସମଦ (୧୨*, ୭ ବଲ, ୧‌ ଚୌକା, ୧ ଛକା) ଯଥା ସାଧ୍ୟ ଖେଳିଥିଲେ। ଶେଷ ଓଭରରେ ରବାଦା ମାତ୍ର ୫ ରନ୍ ବ୍ୟୟ କରି କେନ ୱିଲିୟମସନ୍‌ଙ୍କ ୱିକେଟ୍ ନେଇଥିଲେ।

ଜବାବରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପ୍ରଥମ ଓଭରରେ ଝଟ୍‌କା ଦେଇଥିଲେ ଭୁବନେଶ୍ବର କୁମାର। ପୃଥ୍ବୀ ସ’ଙ୍କୁ ଭୁବି ୱିକେଟ୍‌ ପଛପଟେ କ୍ୟାଚ୍‌ କରାଇ ନେଇଥିଲେ। ଶିଖର ଧାୱନ (୩୪, ୩୧ ବଲ) ଏବଂ ଶ୍ରେୟସ ଆୟର୍ (୧୭, ୨୧ ବଲ୍) ବଲ୍‌ ପିଛା ରନ୍ କରି ପାଳି ସଜାଡ଼ିଥିଲେ। ଉଭୟଙ୍କୁ କିନ୍ତୁ ଆଫଗାନିସ୍ତାନ ଲେଗ୍ ସ୍ପିନର୍‌ ରସିଦ୍ ଖାନ୍ ଆଉଟ୍ କରିଦେବାରୁ ଦିଲ୍ଲୀ ଦ୍ବାଦଶ ଓଭରରେ ୬୨/୩ରେ ସଂଘର୍ଷ କରିଥିଲା। ଏହି ସମୟରେ ଋଷବ ପନ୍ତ ଏବଂ ସିମରନ୍ ହେଟମାୟର୍‌ ଭଲ ଖେଳି ସମ୍ଭାବନା ବଢ଼ାଇଥିଲେ। ତେବେ ଭୁବନେଶ୍ବର କୁମାର ନିଜ ଦ୍ବିତୀୟ ସ୍ପେଲ ପ୍ରଥମ ଓଭରରେ ହେଟମାୟର (୨୧, ୧୨ ବଲ, ୨ ଛକା)ଙ୍କୁ ଆଉଟ୍ କରି ହାଇଦ୍ରାବାଦକୁ ପ୍ରତ୍ୟାବର୍ତନ କରାଇଥିଲେ। ଗୋଟିଏ ଓଭର ପରେ ସବୁଠୁ ମିତ୍ତବ୍ୟୟୀ‌ ବୋଲିଂ କରିଥିବା ରସିଦ୍‌ ଖାନ୍‌ଙ୍କୁ ବଡ଼ ସଟ୍ ଖେଳି ଋଷବ ପନ୍ତ (୩୨, ୨୭ ବଲ, ୨ ଚୌକା, ୨ ଛକା) ବି ନିଜ ୱିକେଟ୍ ହରାଇଥିଲେ। ଦିଲ୍ଲୀର ନିର୍ଭରଯୋଗ୍ୟ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ମାର୍କସ ଷ୍ଟୋଇନିସ୍‌ (୧୧, ୯ ବଲ)ଙ୍କୁ ନଟରାଜନ ଲେଗ୍ ବିଫୋର୍ ୱିକେଟ୍‌ କରିଦେବାରୁ ଦିଲ୍ଲୀର ଶେଷ ଆଶା ଏକପ୍ରକାର ମଉଳିଯାଇଥିଲା। ଶେଷ ଓଭରରୁ ୨୮ ରନ୍ ଆବଶ୍ୟକ ପଡ଼ିଥିଲା। ‌କୌଣସି ସ୍ବୀକୃତିପ୍ରାପ୍ତ ବ୍ୟାଟସମ୍ୟାନ୍‌ ନ ଥିବାରୁ ଖଲିଲ୍‌ ଅହମ୍ମଦ କରାଇ ନେଇନଥିଲେ।