ବାଙ୍ଗାଲୋରକୁ ବିଦା କଲା ହାଇଦ୍ରାବାଦ, ଦିଲ୍ଲୀ-ହାଇଦ୍ରାବାଦ କ୍ବାଲିଫାୟାର୍‌ ରବିବାର

ଆବୁଧାବି : ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଦଳର ଆଇପିଏଲ୍‌ ଟ୍ରଫି ଦୁସ୍ବପ୍ନ ଜାରି ରହିଲା। ଶୁକ୍ରବାର ଏଲିମିନେଟର୍‌ ମୁକାବିଲାରେ ହାଇଦ୍ରାବାଦ ହାତରୁ ୬ ୱିକେଟ୍‌ରେ ହାରି ବିଦାୟ ନେବାକୁ ବାଧ୍ୟ ହେଲା। ଦୀର୍ଘ ୪ ବର୍ଷ ବ୍ୟବଧାନ ପରେ ପ୍ଳେ ଅଫ୍‌ ଆସିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ବାଟରେ ପ୍ରତି ଥର ହାଇଦ୍ରାବାଦ ହିଁ ବାଟ ଓଗାଳିଲା। ୨୦୧୬ ଫାଇନାଲରେ ହାଇଦ୍ରାବାଦ ନିକଟରୁ ହାରି ବିରାଟ କୋହଲିଙ୍କ ଦଳ ଉପବିଜେତା ହେବା ପରଠାରୁ ଆଉ ଶେଷ ୪ ଭିତରକୁ ଆସି ପାରିନଥିଲା। ଏଥର ଲଗାତାର ୪ ପରାଜୟ ସତ୍ତ୍ବେ ଚତୁର୍ଥ ସ୍ଥାନରେ ରହି ଏଲିମିନେଟର୍‌ ଖେଳିଥିଲା। ପରାଜୟ ଧାରା ଭାଙ୍ଗି ନପାରିବାରୁ ଏହି ବିଜୟ ମାଲ୍ୟାଙ୍କ‌ ଦଳ ଟ୍ରଫି ବିହୀନ କଳଙ୍କରୁ ମୁକ୍ତ ହୋଇପାରିନାହିଁ। ଅନ୍ୟପକ୍ଷରେ ବିଜୟ ଧାରାକୁ ଜାରି ରଖି ହାଇଦ୍ରାବାଦ କ୍ବାଲିଫାୟାର୍‌-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ମଙ୍ଗଳବାର ମୁମ୍ବାଇ ସହ ଫାଇନାଲ୍‌ ଖେଳିବା ପାଇଁ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ ହାଇଦ୍ରାବାଦ।

ଶୁକ୍ରବାର ଆର୍‌ସିବି ୧୩୧ ରନ୍ କରିବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିଜୟ ସହଜ ହେବ ବୋଲି ବିଶ୍ବାସ କରାଯାଉଥିଲା। ବାଙ୍ଗାଲୋର୍ ବୋଲର କିନ୍ତୁ ସହଜରେ ବାଟ ଛାଡ଼ିନଥିଲେ। ମହମ୍ମଦ ସିରାଜ ପ୍ରାରମ୍ଭିକ ଯୋଡ଼ି ଡେଭିଡ୍‌ ୱାର୍ନର ଓ ଶ୍ରୀବତ୍ସ ଗୋସ୍ବାମୀଙ୍କୁ ସେ ୱିକେଟ ପଛପଟେ କ୍ୟାଚ୍‌ କରାଇ ନେଇଥିଲେ। ଜମି ଆସୁଥିବା ମନୀଷ ପାଣ୍ଡେ (୨୪, ୨୧ ବଲ)ଙ୍କୁ ଆଦାମ ଜାମ୍ପା ଏବଂ ପ୍ରିୟମ ଗର୍ଗଙ୍କୁ ୟୁଜବେନ୍ଦ୍ର ଚହଲ୍‌ ଆଉଟ୍ କରିବାରୁ ହାଇଦ୍ରାବାଦ ୬୭ ରନ୍‌ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ କିନ୍ତୁ ଦୁଇ ଅଭିଜ୍ଞ ଅନ୍ତର୍ଜାତୀୟ ଅଧିନାୟକ କେନ୍ ୱିଲିୟମସନ୍ (୫୦*, ୪୪ ବଲ) ଏବଂ ଜାସନ୍ ହୋଲ୍ଡର୍‌ (୨୪*, ୨୦ ବଲ) ଦାୟିତ୍ବପୂର୍ଣ୍ଣ ଭାଗୀଦାରି (୬୫*) ପ୍ରତିଷ୍ଠା କରି ବାଙ୍ଗାଲୋର୍‌କୁ ବାଟ ଛାଡ଼ିନଥିଲେ। ନଭଦୀପ ସୈନିଙ୍କୁ ଲଗାତାର ୨ ଚୌକା ମାରି ହୋଲ୍ଡର ୨ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରିଥିଲେ। କେନ୍‌ ୱିଲି୍ୟମସନ୍‌ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପଏଣ୍ଟ ଟେବୁଲ୍‌ ସ୍ଥିତି ଅନୁସାରେ ମୁମ୍ବାଇ ପ୍ରଥମେ ଫାଇନାଲ୍‌କୁ ଉଠିଥିବା ବ‌େଳେ ଏବେ ଚତୁର୍ଥରେ ଥିବା ବାଙ୍ଗାଲୋର୍ ପ୍ଲେ ଅଫ୍‌ରୁ ଆଗ ବିଦା ହୋଇଛି। ରବିବାର ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଳ ଦିଲ୍ଲୀ-ହାଇଦ୍ରାବାଦ ମଧ୍ୟରୁ ଦ୍ବିତୀୟ ଫାଇନାଲିଷ୍ଟ ନିର୍ଧାରିତ ହେବ।

ବିରାଟ ଝଟ୍‌କା
ପ୍ରଥମ ଥର ପାଇଁ ପାଳି ଆରମ୍ଭ କରିଥିବା ବିରାଟ କୋହଲି ଶୁକ୍ରବାର ବ୍ୟକ୍ତିଗତ ଭାବେ ମାତ୍ର ୬ ରନ୍‌ କରି ଜାସନ୍ ହୋଲ୍ଡରଙ୍କ ବୋଲିଂରେ ୱିକେଟରକ୍ଷକ ଶ୍ରୀବତ୍ସ ଗୋସ୍ବାମୀଙ୍କ ହାତରେ ଧରାପଡ଼ିଥିଲେ। କେବଳ କୋହଲି ନୁହଁନ୍ତି ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଦେବଦତ୍ତ ପଡିକଲଙ୍କୁ ମଧ୍ୟ ହୋଲ୍ଡର ମାତ୍ର ୧ ରନ୍‌ରେ ବିଦାୟ ରାସ୍ତା ଦେଖାଇଥିଲେ। ଆରୋନ୍‌ ଫିଞ୍ଚ୍‌ (୩୨, ୩୦ ବଲ) ଏବଂ ଏବି ଡି’ଭିଲିୟର୍ସ (୫୬, ୪୩ ବଲ) ପାଳି ଗଢ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆର୍‌ସିବି ଚଳିତ ଋତୁରେ ନିଜର ସର୍ବନିମ୍ନ ପାୱାର ପ୍ଲେ ସ୍କୋର୍ (୩୨/୨) ପାଇଥିଲା। ଫିଞ୍ଚ୍‌ କିନ୍ତୁ ସ୍ପିନର୍‌ ସାହାବାଜ ନଦୀମଙ୍କ ଶିକାର ହୋଇଯିବା ପରେ ଏବି ଡି’ଭିଲିୟର୍ସ ଶେଷ ପର୍ଯ୍ୟନ୍ତ ଚୁପ୍‌ ରହିଥିଲେ। ମୋଇନ୍ ଅଲୀ (୦), ଶିଭମ ଦୁବେ (୮), ୱାସିଂଟନ୍ ସୁନ୍ଦର (୫) ବିଫଳ ହେବାରୁ ସାଥୀ ହରା ହୋଇଥିଲେ ଡି’ଭିଲିୟର୍ସ। ନିଜ ପାରମ୍ପରିକ ବ୍ୟାଟିଂ କରିନପାରି ଡି’ଭିଲିୟର୍ସ ୩୯ ବଲରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ୧୮ତମ ଓଭରରେ ସେ ନଟରାଜନଙ୍କ ୟର୍କରର ଶିକାର ହୋଇଯିବାରୁ ଆର୍‌ସିବି ଆଶା ମଉଳିଯାଇଥିଲା। ଶେଷ ୩ ଓଭରରେ ଦଳ ମାତ୍ର ୨୦ ରନ୍‌ ଯୋଡ଼ିପାରିଥିଲା। ସନ୍ଦୀପ ଶର୍ମା ଏବଂ ରସିଦ୍ ଖାନ୍ ୱିକେଟଶୂନ୍ୟ ରହିଥିଲେ ମଧ୍ୟ ମିତବ୍ୟୟୀ ବୋଲିଂ କରି ମିଳିତ ଭାବେ ୮ ଓଭରରେ ୪୩ ରନ୍‌ ଦେଇଥିଲେ। ଜାସନ୍ ହୋଲ୍ଡର (୩/୨୫) କିନ୍ତୁ ସଫଳ ବୋଲର ଥିଲେ। ଆର୍‌ସିବିର ସମ୍ପୂର୍ଣ୍ଣ ପାଳିରେ ମାତ୍ର‌ ଗୋଟିଏ ଛକା (ରସିଦ୍‌ ଖାନ୍‌ଙ୍କୁ ଆରୋନ୍‌ ଫିଞ୍ଚ୍‌) ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର