ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୍ ୨୦୨୩ର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୯ ରନରେ ସନ ରାଇଜର୍ସ ହାଇଦ୍ରାବାଦ ପରାସ୍ତ କରିଛି। ହାଇଦ୍ରାବାଦର ୧୯୮ ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲସ ୬ ୱିକେଟରେ ୧୮୮ ରନ କରିବାକୁ ସକ୍ଷମ ହୋଇଛି।

Advertisment

ଦ୍ବିତୀୟ ପାଳିରେ ‌ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଅଧିନାୟକ ଡେଭିଡ ୱାର୍ଣ୍ଣର ଓ ୱିକେଟ ରକ୍ଷକ ଫିଲିପ ସାଲ୍ଟ ଓପନିଂ କରିଥିଲେ। ତେବେ ପ୍ରଥମ ବଲରେ କୌଣସି ରନ କରିନପାରି ଡେଭିଡ ୱାର୍ଣ୍ଣର ଭୁବନେଶ୍ବର କୁମାରଙ୍କ ବଲରେ ଆଉଟ ହୋଇଯାଇଥିଲେ। ପରେ ମିଚେଲ ମାର୍ସ ଓ ସାଲ୍ଟ ବ୍ୟାଟିଂ ସମ୍ଭାଳିଥିଲେ। ଉଭୟେ ୧୧୨ ରନ ଯୋଡିଥିଲେ। ସାଲ୍ଟ ବ୍ୟକ୍ତିଗତ ଭାବେ ୫୯ ରନ କରି ଆଉଟ ହୋଇଥି‌ବାବେଳେ ମାର୍ସ ୬୩ ରନ କରି ଆଉଟ ହୋଇଥିଲେ। ମନିସ ପାଣ୍ଡେ ୧ ରନ, ପ୍ରିୟାମ ଗାର୍ଗ ୧୨ ରନ, ସର୍ଫରାଜ ଖାନ ୯ ରନ କରି ଆଉଟ ହୋଇଥିଲେ। ଅକ୍ଷର ପଟେଲ ଓ ରିପାଲ ପଟେଲ ଶେଷ ପର୍ଯ୍ୟନ୍ତ ରହିଥିଲେ ବି ଦଳକୁ ଜିତାଇ ପାରିନଥିଲେ। ଅକ୍ଷର ୨୯ ରନ କରିଥିବାବେଳେ ରିପାଲ ୧୧ ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ମୟଙ୍କ ମାର୍କଣ୍ଡେ ୨ଟି ୱିକେଟ ନେଇଥିବାବେଳେ ଭୁବନେଶ୍ବର, ଆକେଲ ହୋସେନ, ଅଭିଶେକ ଶର୍ମା ଓ ନଟରାଜନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୭ରନ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୬୭ରନ କରିଥିବାବେଳେ ହେନରିକ କ୍ଲାସେନ ୫୩ରନ କରିଥିଲେ । ଅବଦୁଲ ସମଦ ୨୮ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ମିଚେଲ୍ ମାର୍ସ ୪ଟି ଓ୍ବିକେଟ ନେଇଥିବାବେଳେ ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଉଭୟ ଦଳ ୭ଟି ଲେଖାଏଁ ମ୍ୟାଚ ଖେଳି ମାତ୍ର ୨ଟିରେ ବିଜୟ ହାସଲ କରିଛନ୍ତି ।

ଶନିବାରର ପ୍ରଥମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ଗୁଜରାଟ ଟାଇଟନ୍ସ ।