ଦୁବାଇ: ଜନ୍ମଦିନରେ ଡେଭିଡ୍ ୱାର୍ନରଙ୍କ ୩୪ ବଲ୍ ୬୬ ଏବଂ ପ୍ରତ୍ୟାବର୍ତନର ଦ୍ବିତୀୟ ପାଳିରେ ଋଦ୍ଧିମାନ ସାହାଙ୍କ ୪୫ ବଲ୍ ୮୭ ରନ୍ ବଳରେ ସନ୍ରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ୮୮ ରନ୍ର ବଡ଼ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ପ୍ରତିଟି ମ୍ୟାଚ୍ରେ ‘କର ବା ମର’ ସ୍ଥିତିରେ ପଡ଼ିଥିବା ହାଇଦ୍ରାବାଦ ଦ୍ବାଦଶ ମ୍ୟାଚ୍ରୁ ପଞ୍ଚମ ବିଜୟ ସହ ଷଷ୍ଠକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ପଏଣ୍ଟ ଟେବୁଲ୍ ଦ୍ବିତୀୟ ସ୍ଥାନରେ ଥିବା ଦିଲ୍ଲୀ ହ୍ୟାଟ୍ରିକ୍ ପରାଜୟ ସହ ତୃତୀୟକୁ ଖସିଯାଇଛି। ନିଜ ନେଟ୍ ରନ୍ ରେଟ୍କୁ ଖରାପ କରିବା ସହ ଅପ୍ରତ୍ୟାଶିତ ଚିନ୍ତାରେ ମଧ୍ୟ ପଡ଼ିଛି। ଋଦ୍ଧିମାନ ସାହା ମଙ୍ଗଳବାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଦିଲ୍ଲୀର ଆତ୍ମସମର୍ପଣ
ହାଇଦ୍ରାବାଦର ୨୧୯ ରନ୍ ଜବାବରେ ଦିଲ୍ଲୀ ଗୋଟିଏ ଓଭର ପୂର୍ବରୁ ୧୩୧ ରନ୍ କରି ସମସ୍ତ ୱିକେଟ୍ ହରାଇ ଆତ୍ମସମର୍ପଣ କରିଥିଲା। ପ୍ରଥମ ଦୁଇ ଓଭରରେ ଶିଖର ଧାୱନ (୦) ଏବଂ ମାର୍କସ ଷ୍ଟୋଇନିସ୍ (୫) ଆଉଟ୍ ହେବା ପରେ ଦିଲ୍ଲୀ ଦବି ଦବି ଚାଲିଥିଲା। ସଂଘର୍ଷରତ ଅଜିଙ୍କ୍ୟ ରାହାଣେ (୨୬, ୧୯ ବଲ)ଙ୍କ ସହିତ ସିମରନ୍ ହେଟମାୟର୍ (୧୬), ଋଷବ ପନ୍ତ (୩୬, ୩୫ ବଲ୍) ଏବଂ ତୁଷାର ଦେଶପାଣ୍ଡେ (୨୦*, ୯ ବଲ୍) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ।
ରସିଦ୍ ମିତ୍ତବ୍ୟୟୀ
ଚଳିତ ଆଇପିଏଲ୍ରେ ମଙ୍ଗଳବାର ନିଜ ବ୍ୟାଟିଂ ବେଳେ ସର୍ବୋଚ୍ଚ ପାୱାର ପ୍ଲେ’ ସ୍କୋର୍ (୭୭) ରନ୍ କରିଥିବା ହାଇଦ୍ରାବାଦ ବୋଲିଂ ବେଳକୁ ମଧ୍ୟ କମାଲ କରିଥିଲା। ଦୁଇ ଦ୍ରୁତ ବୋଲର ସନ୍ଦୀପ ଶର୍ମା ଏବଂ ଟି ନଟରାଜନଙ୍କୁ ଟପି ଯାଇଥିଲେ ଅଫଗାନିସ୍ତାନ ଅଫସ୍ପିନର୍ ରସିଦ୍ ଖାନ୍। ଚଳିତ ସଂସ୍କରଣର ସବୁଠାରୁ ମିତ୍ତବ୍ୟୟୀ ବୋଲିଂ ଚିତ୍ର ପାଇଥିଲେ ରସିଦ୍ (୪-୦-୭-୩)। ପୂର୍ବରୁ ଆର୍ସିବିର ମହମ୍ମଦ ସିରାଜ (୪-୨-୮-୩)ଙ୍କୁ ଅତିକ୍ରମ କରିଥିଲେ। କୋଲକାତା ବିପକ୍ଷ ମ୍ୟାଚ୍ରେ ହିଁ ରସିଦଙ୍କୁ ମହମ୍ମଦ ସିରାଜ୍ ଅତିକ୍ରମ କରିଥିଲେ। ତା’ ପୂର୍ବରୁ ରସିଦ୍ ପଞ୍ଜାବ ବିପକ୍ଷରେ ୪-୧-୧୨-୩ ବୋଲିଂ ଚିତ୍ର ପାଇ ଶୀର୍ଷରେ ଥିବାରୁ ଏବେ ପୁଣି ଶୀର୍ଷକୁ ଉଠିଛନ୍ତି। ‘ୱିକେଟ୍ ପାଏ ନ ପାଏ ମିତ୍ତବ୍ୟୟୀ ବୋଲିଂ କରିବା ଉପରେ ମୁଁ ଏକାଗ୍ରତା ରଖିଛି’ ବୋଲି ମଧ୍ୟ ମ୍ୟାଚ୍ ପରେ କହିଛନ୍ତି ରସିଦ୍।
ଫେରିଲା ୨୦୦ରୁ ଊର୍ଧ୍ବ ରନ୍
ଦୀର୍ଘ ଦୁଇ ସପ୍ତାହ ବ୍ୟବଧାନ ପରେ ଚଳିତ ଆଇପିଏଲ୍କୁ ୨୦୦ରୁ ଊର୍ଧ୍ବ ରନ୍ ସ୍କୋର୍ ଫେରିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୧୯ ରନ୍ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ଚଳିତ ସଂସ୍କରଣର ପ୍ରଥମ ୨୫ ମ୍ୟାଚ୍ ଭିତରେ ୧୧ ଥର ୨୦୦ କିମ୍ବା ତଦୁର୍ଧ ସ୍କୋର୍ ଦେଖିବାକୁ ମିଳିଥିଲା। ୨୨ ମ୍ୟାଚ୍ ପରେ ହାଇଦ୍ରାବାଦ ଏହାକୁ ଫେରିବାର ସୁଯୋଗ ଦେଇଛି। ପ୍ରଥମ ୱିକେଟ୍ ପାଇଁ ଡେଭିଡ୍ ୱାର୍ନର ଏବଂ ଋଦ୍ଧିମାନ ସାହାଙ୍କ ଶତକୀୟ ଭାଗୀଦାରି (୧୦୭) ବଳରେ ଏହି ବଡ଼ ସ୍କୋର୍ ଦେଖିବାକୁ ମିଳିଛି।
ସର୍ବୋଚ୍ଚ ପାୱାର ପ୍ଲେ ସ୍କୋର୍
କର ବା ମର ମ୍ୟାଚ୍ରେ ଡେଭିଡ୍ ୱାର୍ନର ଏବଂ ଋଦ୍ଧିମାନ ସାହା ମଙ୍ଗଳବାର ଦୁବାଇରେ ବିସ୍ଫୋରକ ବ୍ୟାଟିଂ କରି ହାଇଦ୍ରାବାଦ ପ୍ରଶଂସକଙ୍କୁ ବି ଖୁସି କରି ଦେଇଥିଲେ। ପାୱାର ପ୍ଲେ ୬ ଓଭର ଭିତରେ ଏହି ଯୋଡ଼ି ୭୭ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରଥମ ୱିକେଟ୍ ପାଇଁ ୧୦୭ ରନ୍ ଉଠାଇଥିଲେ। ଉଭୟଙ୍କ ଆକ୍ରମଣରୁ ଦିଲ୍ଲୀର ମୁଖ୍ୟ ବୋଲର କାଗିସୋ ରବାଦା (୪-୦-୫୪-୦) ଏବଂ ରବିଚନ୍ଦ୍ରନ ଅଶ୍ବିନ୍ (୪-୦-୩୫-୧) ବର୍ତିପାରିନଥିଲେ। ଆଇପିଏଲ୍ ଇତିହାସରେ ୭୭ ରନ୍ କିନ୍ତୁ ଶୀର୍ଷ ୧୦ ଭିତରକୁ ପ୍ରବେଶ କରିପାରିନଥିଲା। ଏବେ ବି କୋଲକାତା ନାଇଟ୍ ରାଇଡର୍ସ (୧୦୫/୦ ବନାମ ଆର୍ସିବି, ୨୦୧୭) ନାମରେ ରହିଛି।
ୱାର୍ନରଙ୍କ ଜନ୍ମଦିନ ସଂଯୋଗ
ମଙ୍ଗଳବାର ସନ୍ରାଇଜର୍ସ ହାଇଦ୍ରାବାଦର ଅଷ୍ଟ୍ରେଲୀୟ ଅଧିନାୟକ ଡେଭିଡ୍ ୱାର୍ନର ନିଜ ୩୪ତମ ଜନ୍ମଦିନ ପାଳନ କରିଥିଲେ। ଅପୂର୍ବ ସଂଯୋଗ ବଶତଃ ୩୪ ବଲ୍ ଖେଳି ସେ ଆଉଟ୍ ହୋଇଥିଲେ। କିନ୍ତୁ ସେତିକି ବଲ୍ ଭିତରେ ସେ ୬୬ ରନ୍ର ଢେର ଅବଦାନ ଦେଇଥିଲେ। ମାତ୍ର ୨୫ ବଲ୍ରୁ ଅର୍ଧଶତକ ପୂର୍ଣ୍ଣ କରିବା ପରେ ରବିଚନ୍ଦ୍ରନ ଅଶ୍ବିନଙ୍କ ଶିକାର ହୋଇଥିଲେ।
ଋଦ୍ଧିମାନଙ୍କ ରଡ଼ି
ପାଳି ଆରମ୍ଭରୁ ହିଁ ଋଦ୍ଧିମାନ ସାହା ଆକ୍ରମଣାତ୍ମକ ବ୍ୟାଟିଂର ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଥିଲେ। କାଗିସୋ ରବାଦାଙ୍କ ଲୟକୁ ବିଗାଡି ଦେଇଥିଲେ। ଫଳରେ ରବାଦା ନିଜ ପ୍ରଥମ ଓଭରରେ ୧୫ ରନ୍ ବ୍ୟୟ କରିବା ପରେ ଆଉ ଲୟକୁ ଫେରିପାରିନଥିଲେ। ପୂର୍ବ ମ୍ୟାଚ୍ରେ ଚଳିତ ବର୍ଷର ପ୍ରଥମ ସୁଯୋଗ ପାଇଥିବା ଋଦ୍ଧିମାନ ୩୦ ରନ୍ କରିଥିଲେ। କିନ୍ତୁ ମଙ୍ଗଳବାର ୱାର୍ନରଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ମାତ୍ର ୨୭ ବଲରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ। କ୍ଲାନ୍ତ ହୋଇପଡ଼ିବାରୁ ସେ ଅନରିକ୍ ନର୍ଖିୟାଙ୍କ ବୋଲିଂର ଶିକାର ହୋଇ ଶତକ ସୁଯୋଗ ହାତଛଡ଼ା କରିଥିଲେ।
ଶେଷ ୫ରୁ ୪୪
ପ୍ରଥମ ୬ ଓଭରରୁ ୭୭ ରନ୍ ଆଦାୟ କରିଥିବା ସନ୍ରାଇଜର୍ସ ହାଇଦ୍ରାବାଦ କିନ୍ତୁ ଶେଷ ବେଳକୁ ବିଶେଷ କିଛି କରିପାରିନଥିଲା। ଋଦ୍ଧିମାନ ସାହା (୮୭, ୪୫ ବଲ) ଏବଂ ଡେଭିଡ୍ ୱାର୍ନର (୬୬, ୩୪ ବଲ)ଙ୍କ ବିଦାୟ ପରେ ମନୀଷ ପାଣ୍ଡେ (୪୪*, ୩୧ ବଲ) ଏବଂ କେନ୍ ୱିଲିୟମସନ୍ (୧୧*, ୧୦ ବଲ) ଏହି ଧାରାକୁ ଆଗକୁ ନେଇପାରିନଥିଲେ। ଦିଲ୍ଲୀର ଭଲ ଡେଥ୍ ବୋଲିଂ ଏବଂ ହାଇଦ୍ରାବାଦର ଖରାପ ଡେଥ୍ ଓଭର ବ୍ୟାଟିଂ କାଏମ ରହିଥିଲା। ଦୃଢ଼ ମୂଳଦୁଆ ଏବଂ ୱିକେଟ୍ ସୁରକ୍ଷିତ ସତ୍ତ୍ବେ ହାଇଦ୍ରାବାଦ ଶେଷ ୫ ଓଭରରୁ ମାତ୍ର ୪୪ ରନ୍ ଯୋଡ଼ିପାରିଥିଲା।
ରବାଦା ମହଙ୍ଗା
ଦିଲ୍ଲୀର ମୁଖ୍ୟ ବୋଲିଂ ଅସ୍ତ୍ର ଭାବେ ଚଳିତ ଋତୁରେ ପ୍ରଭାବୀ ପ୍ରଦର୍ଶନ କରୁଥିବା କାଗିସୋ ରବାଦା ମଙ୍ଗଳବାର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ପ୍ରଥମ ଥର ପାଇଁ ୱିକେଟଶୂନ୍ୟ ରହିଥିଲେ ଏବଂ ନିଜ କୋଟା ୪ ଓଭରରେ ୫୪ ରନ୍ ବ୍ୟୟ କରିଥିଲେ। ଅବଶ୍ୟ ଡେଥ୍ ବୋଲିଂ ବେଳକୁ ଭଲ କରି ଗୋଟିଏ ଓଭରରେ (୨୦ତମ) ମାତ୍ର ୭ ରନ୍ ବ୍ୟୟ କରି ହାଇଦ୍ରାବାଦକୁ ଅଧିକ ବଡ଼ ସ୍କୋରରୁ ରୋକିଥିଲେ।
ଦିଲ୍ଲୀକୁ ହ୍ୟାଟ୍ରିକ୍ ପରାଜୟ ଦେଲା ହାଇଦ୍ରାବାଦ
/sambad/media/post_attachments/wp-content/uploads/2020/10/srh-3.jpg)
/sambad/media/agency_attachments/2024-07-24t043029592z-sambad-original.webp)