ହାଇଦ୍ରାବାଦ କ୍ରି‌କେଟ୍‌ ସଂଘରେ ଟଣାଓଟରା: ଅମ୍ବୁଡସମ୍ୟାନ୍‌ ନିଯୁକ୍ତିକୁ ଅବୈଧ କହିଲେ ଆଝାର୍‌

ହାଇଦ୍ରାବାଦ : ହାଇଦ୍ରାବାଦ କ୍ରିକେଟ୍ ସଂଘ (ଏଚ୍‌ସିଏ)ରେ ଟଣାଓଟରା ଲାଗି ରହିଛି। ନିଜ ଅଭିଯାନକୁ ଜାରି ରଖି ସମ୍ପାଦକ ଆର୍‌ ବିଜୟାନନ୍ଦ ଗୁରୁବାର ସକାଳେ ଏମ୍‌ ନାରାୟଣଙ୍କୁ ଅମ୍ବୁଡସମ୍ୟାନ୍‌ ଅବସରପ୍ରାପ୍ତ ବିଚାରପତି ନିସାର୍ ଅହମ୍ମଦ କୁକୁର୍‌ଙ୍କ ଓଏସ୍‌ଡି (ଅଫିସର୍‌ ଅନ୍‌ ସ୍ପେଶାଲ୍ ଡ୍ୟୁଟି) ଓ ଅବସରପ୍ରାପ୍ତ ବିଚାରପତି ଟି ମୀନା କୁମାରଙ୍କୁ ନୈତିକ ଅଧିକାରୀ ନିଯୁକ୍ତ କରିଥିଲେ। ଉଭୟ ନିଯୁକ୍ତିକୁ କିନ୍ତୁ ସଂଘର ସଭାପତି ତଥା ପୂର୍ବତନ ଭାରତୀୟ ଦଳ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ବେଆଇନ ତଥା ‌ଅବୈଧ ଆଖ୍ୟା ଦେଇଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ସୁପ୍ରିମକୋର୍ଟଙ୍କ ଅନୁମୋଦିତ ଲୋଧା ସୁପାରିସ୍‌ ପ୍ରକ୍ରିୟାର ବିରୋଧାଚରଣ କରୁଛି ବୋଲି ଆଝାରୁଦ୍ଦିନ୍‌ ପ୍ରକାଶ କରିଛନ୍ତି। ଏଚ୍‌ସିଏ ସଦସ୍ୟମାନଙ୍କୁ ଦିଆଯାଇଥିବା ଏକ ମେଲ୍‌ରେ ଉଲ୍ଲେଖ କରାଯାଇଛି ‘ନାରାୟଣ କାର୍ଯ୍ୟାଳୟ ସମୟରେ ଉପଲବ୍‌ଧ ହେ‌ବେ ଏବଂ ସମସ୍ତ ଅଭିଯୋଗ ସେ ଗ୍ରହଣ କରିବେ। ଏହା ପରେ ଏସବୁକୁ ଅମ୍ବୁଡସମ୍ୟାନ୍‌ ଓ ନୈତିକ ଅଧିକାରୀଙ୍କ ନିକଟକୁ ପଠାଯିବ’। ଏଚ୍‌ସିଏର ଦୁଇ ଗୋଷ୍ଠୀ ପକ୍ଷରୁ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ଉପରୋକ୍ତ ଦୁଇ ପଦ ଲାଗି ନିଯୁକ୍ତି ଲାଗି ଦାବି ଉଠିବା ପରେ ଏଭଳି ଟଣାଓଟରା ସ୍ଥିତି ଉପୁଜିଥିଲା। ଏଚ୍‌ସିଏ କର୍ମକର୍ତା ଦାୟିତ୍ବ ଗ୍ରହଣ କରିନଥିବାରୁ ଏଭଳି ନିଯୁକ୍ତିର ଆବଶ୍ୟକତା କ’ଣ ବୋଲି ମଧ୍ୟ ଜଣେ କ୍ଲବ୍ ସମ୍ପାଦକ ପ୍ରଶ୍ନ କରିଛନ୍ତି।

ଏହି ନିଯୁକ୍ତି କିନ୍ତୁ ‌କିଭଳି ବେଆଇନ ତାହାର ତିନିଟି କାରଣ ଦର୍ଶାଇଛନ୍ତି ଆଝାରୁଦ୍ଦିନ୍‌। ନିୟମାବଳୀ ଧାରା ୧୯ (୨) ଓ ୨୪ (୧୩) ଅନୁସାରେ ସଂଘର ଦୈନଦିନ କାର୍ଯ୍ୟକଳାପ ଜଣେ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହ‌ୀ) କରିବା କଥା। ସମ୍ପାଦକ ଏହି କ୍ଷମତାକୁ ନିଜ ପାଖକୁ ନେଇପାରିବେନାହିଁ। ଦ୍ବିତୀୟତଃ ଏପ୍ରିଲ୍‌ ୧୧ ତାରିଖ ଏଜିଏମ୍‌ରେ ବିଚାରପତି ଦୀପକ ବର୍ମାଙ୍କୁ ଅମ୍ବୁଡସମ୍ୟାନ୍‌ ନିଯୁକ୍ତ କରାଯାଇଥିଲା। ତାଙ୍କ ବାଦ୍‌ ଅନ୍ୟ କାହାରି ନାମ ମଧ୍ୟ ବେଆଇନ୍‌। ତୃତୀୟତଃ ସମ୍ପାଦକଙ୍କ ସହିତ ଆପେକ୍ସ କାଉନସିଲ୍‌ର ୫ ସଦସ୍ୟଙ୍କ ନାମରେ ଅମ୍ବୁଡସମ୍ୟାନଙ୍କ ତଦନ୍ତ ଚାଲୁଥିବାରୁ ସେମାନଙ୍କ ଦ୍ବାରା ନିଯୁକ୍ତି ମଧ୍ୟ ବୈଧ ହୋଇପାରିବ ନାହିଁ। ‘ମୁଁ ଗତ ୧୮ ମାସ ହେବ ଏଚ୍‌ସିଏର ଅବୈଧ କାର୍ଯ୍ୟକଳାପକୁ ରୋକିବାକୁ ସଂଗ୍ରାମ ଜାରି ରଖିଛି। ସଂଘ ପ୍ରଶାସନକୁ ସ୍ବଚ୍ଛ କରିବା ମୋ ଦାୟିତ୍ବ’ ବୋଲି ଆଝାରୁଦ୍ଦିନ ପ୍ରକାଶ କରିଛନ୍ତି। ସମ୍ପାଦକଙ୍କ ବେଆଇନ କାର୍ଯ୍ୟକୁ ସମର୍ଥନ ନ ଦେବାକୁ ସେ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର