ଆଇପିଏଲ୍ ୨୦୨୦:  ସନରାଇଜର୍ସ ହାଇଦ୍ରାବାଦ ଠାରୁ ୭ ରନରେ  ପରାଜିତ ହେଲା ଚେନ୍ନାଇ ସୁପର କିଙ୍ଗସ୍

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୪ତମ ମ୍ୟାଚରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିଯାଇଛି। ୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୫୭ ରନ୍ କରି ପରାଜୟ ବରଣ କରିଛି ଚେନ୍ନାଇ।

ଚେନ୍ନାଇ ସୁପରକିଙ୍ଗସ୍‌ ୧୬୫ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଖେଳୁଥିବା  ଚେନ୍ନାଇକୁ ପ୍ରଥମରୁ ଧକ୍କା ଲାଗିଥିଲା।  ତୃତୀୟ ଓଭରରେ ଓପନ୍‌ର ସେନ୍‌ ଓ୍ଵାଟ୍‌ସନ୍‌ ୧ ରନ୍‌ କରି ଆଉଟ୍ ହୋଇଯାଇଥିଲେ।  ଓ୍ଵାଟସନ୍‌ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିବା ବେଳକୁ ଦଳର ସ୍କୋର୍‌ ମାତ୍ର ୪ ରନ୍‌ ଥିଲା। ସେହିପରି  ଫାଫ ଡୁ ପ୍ଲେସିସ୍‌  ୧୯ଟି ବଲ୍‌ ଖେଳି ୨୨ ରନ୍‌ ସଂଗ୍ରହ କରିବା ସହିତ ହାଇଦ୍ରାବାଦ୍‌ର ୨ୟ ଶିକାର ହୋଇଥିଲେ। ଚେନ୍ନାଇ ଟିମ୍‌ ୨୬ ରନ୍‌ରେ ଫାଫ୍‌ ଡୁ ପ୍ଲେସିସ୍‌ଙ୍କୁ ହରାଇଥିବା ବେଳେ ୩୬ ରନ୍‌ରେ ତୃତୀୟ ଓ୍ଵିକେଟ୍‌ ଭାବେ ଅମ୍ବାତି ରାୟଡୁ ମାତ୍ର  ୩ ରନ୍‌ କରି  ଆଉଟ୍‌ ହୋଇଥିଲେ।  ମଧ୍ୟକ୍ରମର ବ୍ୟାଟ୍‌ସମ୍ୟାନ୍‌ କେଦାର ଯାଦବ ମଧ୍ୟ ପଡ଼ିଆରେ ବେଶି ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। କେଦାର ଯାଦବ ୧୦ଟି ବଲ୍‌ର ସମ୍ମୁଖୀନ ହୋଇ  ୩ ରନ୍‌ ସଂଗ୍ରହ କରି ଅବ୍‌ଦୁଲ ସାମଦଙ୍କ ବଲରେ ଡେଭିଡ ଓ୍ଵାର୍ନରଙ୍କୁ କ୍ୟାଚ୍‌ ଦେଇଥିଲେ। କେଦାର ଯାଦବ ଆଉଟ୍‌ ହେବା ବେଳକୁ ୮.୨ ଓଭରରେ ଚେନ୍ନାଇର ସ୍କୋର୍‌ ୪୨ ରନ୍‌ ଥିଲା। ଏହାପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବ୍ୟାଟିଂ ଲାଗି ଆସିଥିଲେ। ଧୋନୀ ରବିନ୍ଦ୍ର ଜାଡ଼େଜାଙ୍କୁ ସାଥି କରି ଇନିଂସ ସଜାଡ଼ିବା ପ୍ରୟାସ ଆରମ୍ଭ କରିଥିଲେ। ଜାଡେଜା ଲଢ଼ୁଆ ଖେଳ ପ୍ରଦର୍ଶନ କରି ୫୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ମ୍ୟାଚ ସରିବାକୁ ୨.୨ ଓଭର ବାକି ଥିବା ସମୟରେ ସାମ୍ କରନ୍ ପଡ଼ିଆକୁ ଓହ୍ଲାଇ ଥିଲେ। ଏହାପରେ ଧୋନୀ କରନଙ୍କୁ ସାଥି କରି ଆଗକୁ ବଢ଼ିବାକୁ ଚାହିଁଥିଲେ ମାତ୍ର  ଦଳର ସ୍କୋର ୧୫୭ ରନ୍ ହୋଇଥିବା ବେଳେ ଓଭର ସମାପ୍ତ ହୋଇଯାଇଥିଲା । ଧୋନୀ ୩୬ ବଲରୁ ୪୭ ସଂଗ୍ରହ କରି ଅପରାଜିତ ରହିଥିଲେ।

ସନ୍‌ରାଇଜର୍ସ ହାଇଦ୍ରାବାଦ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ପ୍ରଥମ ଓଭରରେ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ମାତ୍ର ୧ ରନ ହୋଇଥିବା ବେଳେ ଜନି ବେୟାରଷ୍ଟୋ ଆଉଟ ହୋଇଥିଲେ । କିନ୍ତୁ ଅଧିନାୟକ ଡେଭିଡ ୱାର୍ନର ଓ ମନୀଷ ପାଣ୍ଡେ ସତର୍କତାର ସହ ଖେଳି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। କିନ୍ତୁ ଦଳୀୟ ସ୍କୋର ୪୭ ହୋଇଥିବାବେଳେ ପାଣ୍ଡେ ୨୯ ରନ କରି ଆଉଟ ହୋଇଥିଲେ। ଏହାର କିଛି ସମୟପରେ, ଦଳୀୟ ସ୍କୋର ୬୯ ହୋଇଥିବା ବେଳେ ଦଳ ଲଗାତାର ୱାର୍ନର ଓ କେନ ୱିଲିୟମସନଙ୍କ ୱିକେଟ ହରାଇଥିଲା। ମାତ୍ର ଏହି ଦୁଇଟି ୱିକେଟ ପଡ଼ିବା ପରେ ଆସିଥିବା ପ୍ରିୟମ୍‌ ଗର୍ଗ ଓ ଅଭିଷେକ ଶର୍ମା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଗର୍ଗ ମାତ୍ର ୨୩ ବଲ ଖେଳି ନିଜର ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ରନ ପୂରଣ କରିଥିଲେ। ଫଳରେ ହାଇଦ୍ରାବାଦ ୨୦ ଓଭରରେ ୧୬୪ ରନ କରିପାରିଥିଲା।

ସମ୍ବନ୍ଧିତ ଖବର