ରାଜସ୍ଥାନକୁ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ଆଇପିଏଲ୍‌-୧୧ରେ ପୂର୍ବତନ ବିଜେତା ରାଜସ୍ଥାନ ରୟାଲ୍‌ସର ନିରାଶାଜନକ ପ୍ରତ୍ୟାବର୍ତନ ହୋଇଛି। ଅନ୍ୟତମ ପୂର୍ବ ବିଜେତା ସନ୍‌ ରାଇଜର୍ସ ହାଇଦ୍ରାବାଦ ନିକଟରୁ ଅଜିଙ୍କ୍ୟ ରାହାଣେଙ୍କ ଦଳ ଶୋଚନୀୟ ଭାବେ ୯ ଓ୍ଵିକେଟ୍‌ରେ ପରାଜୟ ବରଣ କରିଛି।
ଉପ୍ପଲର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ରାଜସ୍ଥାନ ରୟାଲସ ୧୨୫/୯ରେ ସୀମିତ ରହିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୩), ବେନ୍‌ ଷ୍ଟୋକ୍‌ସ (୫) ଏବଂ ଜୋସ୍‌ ବଟଲର୍‌ (୬)ଙ୍କ ବିଫଳତା ଦଳକୁ ଝଟ୍‌କା ପରେ ଝଟ୍‌କା ଦେଇଥିଲା। ସଂଜୁ ସାମସନ୍‌ (୪୯, ୪୨ ବଲ୍‌, ୫ ଚୌକା)ଙ୍କ ପାଳି ଦଳର ସମ୍ମାନ ରଖିଥିଲା। ସିଦ୍ଧାର୍ଥ କଉଲ୍‌ (୪-୦-୧୭-୨) ଏବଂ ସକିବ୍‌ ଅଲ୍‌ ହାସନ୍‌ (୪-୦-୨୩-୨)ଙ୍କ ଆଗରେ ରାୟାଲ୍‌ସ ହାର୍‌ ମାନିଥିଲା। ରସିଦ ଖାନ ମଧ୍ୟ ମଧ୍ୟକ୍ରମରେ ନିୟନ୍ତ୍ରିତ ବୋଲିଂ କରିଥିଲେ। ରାଜସ୍ଥାନ ରୟାଲ୍‌ସର ପାଳିରେ ଗୋଟିଏ ହେଲେ ଛକା ଦେଖିବାକୁ ନ ମିଳିବା ଏକ ନିଆରା ମୁହୂର୍ତ ଆଣିଥିଲା। ଆଇପିଏଲ୍‌ର ଏକ ସମ୍ପୂର୍ଣ୍ଣ ପାଳିରେ ଆଦୌ ଛକା ନ ରହିବାର ଏହା ଥିଲା ଏକାଦଶ ଉଦାହରଣ। କିନ୍ତୁ ରାଜସ୍ଥାନ ସର୍ବାଧିକ ଚତୁର୍ଥ ଥର ଏଭଳି କରି ଆଲୋଡ଼ା କୀର୍ତିମାନ କରିଥିଲା।
ଜବାବରେ ଡେଭିଡ୍‌ ଓ୍ଵାର୍ନରଙ୍କ ଅନୁପସ୍ଥିତିରେ ରିଦ୍ଧିମାନ ସାହା (୫) ପାଇଥିବା ସୁଯୋଗକୁ ହାତଛଡ଼ା କରିଥିଲେ। ସେ ସଅଳ ଆଉଟ୍‌ ହୋଇଥିଲେ ମଧ୍ୟ ଶିଖର ଧାଓ୍ଵନ (୭୭*, ୫୭ ବଲ୍‌, ୧୩ ଚୌକା, ୧ ଛକା) ଏବଂ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ (୩୬*, ୩୫ ବଲ୍‌, ୩ ଚୌକା, ୧ ଛକା)ଙ୍କ ଶତକୀୟ ଭାଗୀଦାରି (୧୨୧*, ୧୪.୨ ଓଭର) ବଳରେ ହାଇଦ୍ରାବାଦ ୨୫ ବଲ୍‌ ପୂର୍ବରୁ ସହଜ ବିଜୟ ହାସଲ କରି ନେଇଥିଲା। ଆଇପିଏଲ୍‌ରେ ହାଇଦ୍ରାବାଦ ପାଇଁ ଏହା ଚତୁର୍ଥ ଦ୍ରୁତତମ (ବଲ୍‌ ବଳକାରେ) ବିଜୟ ଥିଲା।
ଦଳର ଆଧିପତ୍ୟ କାରଣରୁ ବ୍ୟାଟିଂ କି ବୋଲିଂ ସୁଯୋଗ ପାଇ ନ ଥିବା ୟୁସୁଫ୍‌ ପଠାନ୍‌ ସୋମବାର ନିଜର ୧୫୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିଲେ। କେକେଆର୍‌ରୁ ଆସି ସନ୍‌ରାଇଜର୍ସରେ ସାମିଲ ପଠାନ୍‌ ଏ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ଥିବା ବିରାଟ କୋହଲି ଓ ରବିନ ଉଥପ୍ପାଙ୍କ ସମକକ୍ଷ ହୋଇଥିଲେ। ସୁରେଶ ରାଇନା (୧୬୨), ରୋହିତ ଶର୍ମା-ମହେନ୍ଦ୍ର ସିଂହ ଧୋନି (୧୬୦), ଦୀନେଶ କାର୍ତିକ (୧୫୩) ଆଗରେ ରହିଛନ୍ତି।
-ସଂକ୍ଷିପ୍ତ ସ୍କୋର୍‌-
ରାଜସ୍ଥାନ ରୟାଲ୍‌ସ: ୨୦ ଓଭରରେ ୧୨୫/୯ (ସଂଜୁ ସାମସନ୍‌-୪୯, ଶ୍ରେସ ଗୋପାଳ-୧୮, ରାହୁଲ ତ୍ରିପାଠୀ-୧୭, ସିଦ୍ଧାର୍ଥ କଉଲ୍‌-୨/୧୭, ସକିବ୍‌ ଅଲ୍‌ ହାସନ୍‌-୨/୨୩, ରସିଦ୍‌ ଖାନ୍‌-୧/୨୩, ବିଲି ଷ୍ଟାନଲେକ୍‌-୧/୨୯, ଭୁବନେଶ୍ୱର କୁମାର-୧/୩୦)। ସନ୍‌ ରାଇଜର୍ସ ହାଇଦ୍ରାବାଦ: ୧୫.୫ ଓଭରରେ ୧୨୭/୧ (ଶିଖର ଧାଓ୍ଵନ-୭୭*, କେନ୍‌ ଓ୍ଵିଲିୟମ୍‌ସନ୍‌-୩୬*, ଜୟଦେବ ଉନାଦକତ-୧/୨୮)।

ସମ୍ବନ୍ଧିତ ଖବର