ହାଇଦ୍ରାବାଦ ଫିଡେ ରେଟିଂ ଚେସ୍‌:ଆରୁଷି, ପଲକ୍‌, ଅଙ୍କିତା, ଡଲିସିୟସ୍‌ ପୁରସ୍କୃତ

ଭୁବନେଶ୍ୱର: ହାଇଦ୍ରାବାଦରେ ସୋମବାର ଉଦ୍‌ଯାପିତ ସର୍ବଭାରତୀୟ ଦ୍ୱିତୀୟ ଆଇଜିଏମ୍‌ଏସ୍‌ଏ ୧୫୦୦ରୁ କମ୍‌ ଫିଡେ ରେଟିଂ ଚେସ୍‌ ପ୍ରତିଯୋଗିତାରେ ୪ ଜଣ ଓଡ଼ିଆ ଖେଳାଳି ପୁରସ୍କୃତ ହୋଇଛନ୍ତି। ହାଇଦ୍ରାବାଦର ନାଗଲ୍‌ ରୋଡସ୍ଥିତ ଶ୍ରୀନିବାସ ଫଙ୍କ୍‌ସନ ହଲରେ ଅନୁଷ୍ଠିତ ଏହି ୯ ରାଉଣ୍ଡ୍‌ ବିଶିଷ୍ଟ ପ୍ରତିଯୋଗିତାର ୯ ବର୍ଷରୁ କମ୍‌ ବାଳିକା ବର୍ଗରେ ୩ ଓଡ଼ିଆ ପିଲା ଆରୁଷି ଶ୍ରୀଚନ୍ଦନ, ପଲକ୍‌ ମହାପାତ୍ର ଏବଂ ଅଙ୍କିତା ସାହୁ ପ୍ରଥମ ୩ ସ୍ଥାନ ପୋଛି ନେବା ସବୁଠାରୁ ଉଲ୍ଲେଖନୀୟ ବିଷୟ। ସେହିଭଳି ୧୧ ବର୍ଷରୁ କମ୍‌ ବାଳିକା ବର୍ଗରେ ଡଲିସିୟାସ୍‌ ଦାଶ ତୃତୀୟ ସ୍ଥାନରେ ରହି ମଧ୍ୟ ପୁରସ୍କୃତ ହୋଇଛନ୍ତି। ଡିଏଭି ଚନ୍ଦ୍ରଶେଖରପୁର ଚତୁର୍ଥ ଶ୍ରେଣୀ ଛାତ୍ରୀ ଆରୁଷି ୫.୫ ପଏଣ୍ଟ୍‌ ପାଇ ଶୀର୍ଷରେ ରହିଥିଲେ। ଏଥି ସହ ସେ ୪୪ ରେଟିଂ ପଏଣ୍ଟ ବଢ଼ାଇବା ସହିତ ୬୦୦୦ ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ବିଜେତା ହୋଇଥିଲେ। ପୂର୍ବରୁ ଆରୁଷି ଜାତୀୟ ବିଦ୍ୟାଳୟ ଚେସ୍‌ରେ ନିଜ ବର୍ଗରେ ମଧ୍ୟ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ପଲକ୍‌ ସମାନ ୫.୫ ପଏଣ୍ଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହି ୪,୦୦୦ ଟଙ୍କା ପୁରସ୍କାର ରାଶି ଜିତିଥିଲେ। ୫ ପଏଣ୍ଟ୍‌ ସହିତ ଅଙ୍କିତା ସାହୁ ତୃତୀୟରେ ରହିଥିଲେ। ଡଲିସିୟାସ୍‌ ୧୧ ବର୍ଷରୁ କମ୍‌ ବାଳକାରେ ତୃତୀୟ ସ୍ଥାନରେ ରହି ଟ୍ରଫି କରାୟତ କରିଥିବା ବେଳେ ୧୧୬ ପଏଣ୍ଟ୍‌ ମଧ୍ୟ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ସଫଳ ଖେଳାଳିମାନଙ୍କୁ ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ପକ୍ଷରୁ ଗୁରୁ ସତ୍ୟରଂଜନ ପଟ୍ଟନାୟକ ଏବଂ ଶୁଭାଶିଷ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର