ସାରଜା: ଚଳିତ ଆଇପିଏଲ୍ର ଏକ ମହତ୍ବପୂର୍ଣ୍ଣ ରାତି ମ୍ୟାଚ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ସନ୍ରାଇଜର୍ସ ହାଇଦ୍ରାବାଦ ଶନିବାର ୫ ୱିକେଟ୍ରେ ପରାସ୍ତ କରିଛି। ଫଳରେ ଆର୍ସିବି ପ୍ଲେ ଅଫ୍ରେ ସ୍ଥାନ ସୁରକ୍ଷିତ କରିବାର ଏକ ଭଲ ସୁଯୋଗ ହାତଛଡ଼ା କରିଛି। ସେପଟେ ଆର୍ସିବି ଦେଇଥିବା ୧୨୧ ରନ୍ର ଛୋଟିଆ ବିଜୟ ଲକ୍ଷ୍ୟକୁ ୫.୫ ଓଭର ପୂର୍ବରୁ ହାସଲ କରି ସନ୍ରାଇଜର୍ସ କେବଳ ତା’ର ପ୍ଲେ ଅଫ୍ ଆଶା ଅତୁଟ ରଖିନି, ନେଟ୍ ରନ୍ ରେଟ୍କୁ ଯଥେଷ୍ଟ ଭଲ କରି ପଏଣ୍ଟ୍ ତାଲିକାର ଚତୁର୍ଥ ସ୍ଥାନକୁ ବି ଉନ୍ନୀତ ହୋଇଛି। ପ୍ଲେ ଅଫ୍ରେ ଥିବା ଚାରିଟି ସ୍ଥାନ ମଧ୍ୟରୁ ଚାରି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ସ୍ଥାନ ପକ୍କା କରି ନେଇଥିଲା ବେଳେ ଅନ୍ୟ ତିନିଟି ସ୍ଥାନ ଏବେ ପୂରା ଖୋଲା ରହିଛି। ବିଶେଷ କରି ଆର୍ସିବି ପରାଜୟ ପରେ ପ୍ଲେ ଅଫ୍ର ବଳକା ୩ ସ୍ଥାନ ଦୌଡ଼ରେ ଏବେ ୬ ଦଳ ରହିଛନ୍ତି। ସବୁ ଦଳ ସଂପ୍ରତି ୧୩ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଥିବାରୁ ଚତୁର୍ଦଶ ତଥା ଶେଷ ଲିଗ୍ ମ୍ୟାଚ୍ର ଉତ୍କଣ୍ଠା ବଢ଼ି ଯାଇଛି। ମୁମ୍ବାଇ (୧୮) ବାଦ୍ ଆର୍ସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ୧୪ ପଏଣ୍ଟ୍ ଲେଖାଏଁରେ ରହିଛନ୍ତି। ହାଇଦ୍ରାବାଦ, ପଞ୍ଜାବ, ରାଜସ୍ଥାନ ଓ କୋଲକାତା ୧୨ ପଏଣ୍ଟ୍ ଲେଖାଏଁରେ ଥିବାରୁ ନେଟ୍ ରନ୍ ରେଟ୍ର ମହତ୍ବ ମଧ୍ୟ ବଢ଼ିଯାଇଛି। ଏମାନଙ୍କ ପାଇଁ ଶେଷ ମ୍ୟାଚ୍ କର ବା ମର ହୋଇଛି। ଦିଲ୍ଲୀ ଓ ଆର୍ସିବି ଯଦି ନିଜ ନିଜ ଅନ୍ତିମ ମ୍ୟାଚ୍ ହାରନ୍ତି, ତାହାଲେ ସେମାନଙ୍କୁ ନେଟ୍ ରନ୍ ରେଟ୍ ଉପରେ ନିର୍ଭର ରହିବାକୁ ହେବ।
ଗତ କିଛି ମ୍ୟାଚ୍ ହେବ କର ବା ମର ସ୍ଥିତିରେ ଥିବା ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରତିପକ୍ଷ ତଥା ତାରକା ଖଚିତ ଆର୍ସିବିକୁ ୧୨୦ ରନ୍ରେ ଅଟକାଇ ଦେବା ପରେ ୧୦ ରନ୍ରେ ଅଧିନାୟକ ଡେଭିଡ୍ ୱାର୍ନର (୮)ଙ୍କୁ ହରାଇଥିଲା। ତେବେ ଋଦ୍ଧିମାନ ସାହ (୩୯ ରନ୍, ୩୨ ବଲ୍, ୪ ଚୌକା, ୧ ଛକା) ଓ ମନୀଷ ପାଣ୍ଡେ (୨୬ ରନ୍, ୧୯ ବଲ୍, ୩ ଚୌକା, ୧ ଛକା)ଙ୍କ ପ୍ରହାରରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ଅଲରାଉଣ୍ଡର ଜାସନ ହୋଲ୍ଡର (୨୬* ରନ୍, ୧୦ ବଲ୍, ୧ ଚୌକା, ୩ ଛକା)ଙ୍କ ଧମାକାଦାର ବ୍ୟାଟିଂ ପାଇଁ ୧୪.୧ ଓଭରରେ ବିଜୟୀ ହୋଇଥିଲା। ୟୁଜବେନ୍ଦ୍ର ଚହଲଙ୍କୁ ତାଙ୍କ ଶେଷ ଓଭରର ପ୍ରଥମ ବଲ୍ରେ ଛକା ମାରି ହୋଲ୍ଡର ବିଜୟ ମୁଣ୍ଡି ମାରିଥିଲେ। ସନ୍ଦୀପ ଶର୍ମା ନିଜ ଶାଣିତ ବୋଲିଂ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।