ଅହମଦାବାଦ: ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍ର ପ୍ଲେ ଅଫ୍ରେ ପ୍ରବେଶ କରିଛି। ନବମ ବିଜୟ ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ମଧ୍ୟ ଶୀର୍ଷ ସ୍ଥାନକୁ ଦୃଢ଼ କରି ୧/୨ ସ୍ଥାନରେ ରହି ପ୍ଲେ ଅଫ୍ ଖେଳିବାକୁ ନିଶ୍ଚିତ କରିଛି। ଅନ୍ୟପକ୍ଷରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଷ୍ଟମ ପରାଜୟ ସହ ଗୋଟିଏ ମ୍ୟାଚ୍ ପୂର୍ବରୁ ପ୍ଲେ ଅଫ୍ ଦୌଡ଼ରୁ ଆନୁଷ୍ଠାନିକ ଭାବେ ବାଦ୍ ପଡ଼ିଛି। ସୋମବାର ଶୁବମନ ଗିଲଙ୍କ ପ୍ରଥମ ଆଇପିଏଲ୍ ଶତକ ବଳରେ ଗୁଜରାଟ ୧୮୮ ରନ୍ କରିଥିଲା। ଜବାବରେ ମହମ୍ମଦ ସାମି ଓ ମୋହିତ ଶର୍ମା ୪-୪ ୱିକେଟ୍ ଦଖଲ କରିନେବାରୁ ହାଇଦ୍ରାବାଦ ୧୫୪/୯ରେ ସୀମିତ ରହିଥିଲା। ୫୯/୭ରେ ସଂଘର୍ଷ କରିଥିବା ହାଇଦ୍ରାବାଦ ପାଇଁ ହେନରିକ୍ କ୍ଲାସେଁଙ୍କ ଅର୍ଦ୍ଧଶତକ କେବଳ ସମ୍ମାନ ରଖିଥିଲା। ପୂର୍ବରୁ ଭୁବନେଶ୍ବର କୁମାର ନେଇଥିବା ୫ ୱିକେଟ୍ ସଫଳତା ମଧ୍ୟ ବେକାର ଯାଇଥିଲା। ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଭେଟିବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ। ଶୁବମନ ଗିଲ୍ ଆକର୍ଷଣୀୟ ଶତକ ହାସଲ କରିଥିବାରୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଶୁବମନଙ୍କ ପ୍ରଥମ ଆଇପିଏଲ୍ ଶତକ
ଶୁବମନ ଗିଲ୍ଙ୍କ ପ୍ରଥମ ଆଇପିଏଲ୍ ଶତକ ସହ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶେଷ ଘରୋଇ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ୯ ୱିକେଟ୍ ବିନିମୟରେ ୧୮୮ ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ଘରୋଇ ଦଳ ପାଇଁ କେବଳ ଶୁବମନଙ୍କ ସହ ସାଇ ସୁଦର୍ଶନ ଦୁଇ ଅଙ୍କ ସ୍କୋର କରିଥିଲେ। ଏମାନଙ୍କ ବାଦ୍ କେବଳ ଅତିରିକ୍ତ (୧୩)ରୁ ଦୁଇ ଅଙ୍କ ଆସିଥିଲା। ୫ ଜଣ ଖାତା ବି ଖୋଲିପାରିନଥିଲେ। ପ୍ରଥମ ଓଭରରେ ରିଦ୍ଧିମାନ ସାହା ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ପରେ ଶୁବମନ ଓ ସୁଦର୍ଶନ ଦ୍ବିତୀୟ ୱିକେଟ୍ରେ ୧୪୭ ରନ୍ ସଂଗ୍ରହ କରିଥିଲେ। ଅର୍ଦ୍ଧଶତକଠୁ ୩ ରନ୍ ଦୂରରେ ଥାଇ ସୁଦର୍ଶନ ଆଉଟ୍ ହୋଇଥିଲେ ବି ଶୁବମନ ରନ୍ ଗତିରେ ହ୍ରାସ କରିନଥିଲେ। ଅନ୍ୟପଟରୁ କୌଣସି ସହାୟତା ମିଳୁନଥିଲେ ବି ଶୁବମନ୍ ୫୬ ବଲ୍ରୁ ଶତକ (୧୦୧ ରନ୍, ୫୮ ବଲ୍, ୧୩ ଚୌକା, ୧ ଛକା) ଅର୍ଜନ କରିବା ପରେ ଶେଷ ଓଭରରେ ଆଉଟ୍ ହୋଇଥିଲେ। ଭୁବନେଶ୍ବର କୁମାରଙ୍କ ଏହି ଓଭରରେ ୪ ୱିକେଟ୍ର ପତନ ହୋଇଥିଲା। ପ୍ରଥମ ବଲ୍ରେ ଶୁବମନ ଆଉଟ୍ ହେବା ପରେ ଦ୍ବିତୀୟ ବଲ୍ରେ ରସିଦ୍ ଖାନ୍ ଆଉଟ୍ ହୋଇଥିଲେ। ତୃତୀୟ ବଲ୍ରେ ନୂର ଅହମ୍ମଦ ରନ୍ ଆଉଟ୍ ଏବଂ ପଞ୍ଚମ ବଲ୍ରେ ମହମ୍ମଦ ସାମିଙ୍କୁ ଆଉଟ୍ କରି ଭୁବନେଶ୍ବର କୁମାର ୫ ୱିକେଟ୍ ସଫଳତା ପାଇଥିଲେ। ଶ୍ରୀଲଙ୍କା ଅଧିନାୟକ ଦାସୁନ ସଣକା ଏହି ମ୍ୟାଚ୍ରେ ପଦାର୍ପଣ କରିଥିଲେ।