କୋଲ୍କାତା: ଚଳିତ ଆଇପିଏଲ୍ର ୧୫ତମ ମ୍ୟାଚ୍ରେ ଗତବର୍ଷର ବିଜେତା କୋଲକାତା ନାଇଟ୍ ରାଇଡର୍ସ ୮୦ ରନ୍ର ବଡ଼ ବ୍ୟବଧାନରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଇଡେନ୍ ଗାଡେର୍ନ୍ସରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ଜବରଦସ୍ତ ବ୍ୟାଟିଂ ସହ ୨୦୦ ରନ୍ ସ୍କୋର୍ କରିଥିଲା। ଜବାବରେ ପ୍ୟାଟ୍ କମିନ୍ସଙ୍କ ଦଳ ବୈଭବ ଅରୋରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ମୁକାବିଲା କରି ନପାରି ୧୨୦ ରନ୍ରେ ଆତ୍ମସମର୍ପଣ କରିଥିଲା। ହେନରିକ୍ କ୍ଲାସେଁ, କାମିନ୍ଦୁ ମେଣ୍ଡିସ୍, ନୀତୀଶ ରେଡ୍ଡୀଙ୍କ ଛଡ଼ା ଆଉ କେହି ଲଢ଼ି ପାରିନଥିଲେ। ଫଳରେ କୋଲକାତା ୪ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ସହ ପଏଣ୍ଟ୍ ଟେବୁଲ୍ର ଉପର ଅର୍ଦ୍ଧେକକୁ ଉଠିଛି। ଅନ୍ୟପକ୍ଷରେ ଈଶାନ କିଶନଙ୍କ ଶତକ ବଳରେ ପ୍ରଥମ ମ୍ୟାଚ୍ ଜିତିଥିବା ହାଇଦ୍ରାବାଦ ତାଙ୍କ ବିଫଳତା ସହ ତାଳ ଦେଇ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ କୋଲ୍କାତା ନାଇଟ୍ ରାଇଡର୍ସ ଅଢ଼େଇ ଓଭର ବେଳକୁ ୧୬/୨ରେ ସଂଘର୍ଷ କରିଥିଲା। ପ୍ରାରମ୍ଭିକ ଯୋଡ଼ି କ୍ବିଣ୍ଟନ୍ ଡି’କକ୍ (୧) ଓ ସୁନୀଲ ନାରାୟଣ (୭)ଙ୍କୁ ଯଥାକ୍ରମେ ପ୍ୟାଟ୍ କମିନ୍ସ ଓ ମହମ୍ମଦ ସାମି ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଏହାର ପରବର୍ତ୍ତୀ ୪ ବ୍ୟାଟର୍ ଅଧିନାୟକ ଅଜିଙ୍କ୍ୟ ରାହାଣେ (୨୭ ବଲ୍ରୁ ୩୮ ରନ୍), ଅଙ୍ଗକ୍ରିସ୍ ରଘୁବଂଶୀ (୩୨ ବଲ୍ରୁ ୫୦ ରନ୍), ଭେଙ୍କଟେଶ ଆୟର (୨୯ ବଲ୍ରୁ ୬୦ ରନ୍) ଓ ରିଙ୍କୁ ସିଂହ (୧୭ ବଲ୍ରୁ ୩୨* ରନ୍) ଦଳକୁ ୨୦୦ ରନ୍ରେ ପହଞ୍ଚାଇ ଦେଇଥିଲେ। ଶେଷ ୫ ଓଭରରେ ଦଳ ୭୮ ରନ୍ ଯୋଡ଼ି ହାଇଦ୍ରାବାଦ ସମ୍ମୁଖରେ ଆହ୍ବାନ ସୃଷ୍ଟି କରିଥିଲା। ସାମି, କମିନ୍ସ, ଜୀସାନ, ହର୍ଷଲ, କାମିନ୍ଦୁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୦୦/୬ (ଭେଙ୍କଟେଶ ଆୟର-୬୦, ଅଙ୍ଗକ୍ରିସ୍ ରଘୁବଂଶୀ-୫୦, ଅଜିଙ୍କ୍ୟ ରାହାଣେ-୩୮, ରିଙ୍କୁ ସିଂହ-୩୨*)। ସନ୍ରାଇଜର୍ସ ହାଇଦ୍ରାବାଦ ୧୬.୪ ଓଭରରେ ୧୨୦/୧୦ (ହେନରିକ୍ କ୍ଲାସେଁ-୩୩, କାମିନ୍ଦୁ ମେଣ୍ଡିଜ୍-୨୭, ନୀତୀଶ ରେଡ୍ଡୀ-୧୯, ବରୁଣ ଚକ୍ରବର୍ତ୍ତୀ-୩/୨୨, ବୈଭବ ଅରୋରା-୩/୨୯, ଆନ୍ଦ୍ରେ ରସେଲ-୨/୨୧, ହର୍ଷିତ ରାଣା-୧/୧୫, ସୁନିଲ ନାରାୟଣ-୧/୩୦)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/04/DuRO9RmGQJzDPZcfHHFB.jpg)