ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପ୍ରତିଶୋଧ ନେଇଛି ସନରାଇଜର୍ସ ହାଇଦ୍ରାବାଦ। ୫ ଦିନ ତଳେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ୭ ରନ୍‌ରେ ବିଜୟୀ ହୋଇଥିଲା ବେଳେ ଶନିବାର ରାତିରେ ହାଇଦ୍ରାବାଦ୍‌ ୯ ରନ୍‌ରେ ମ୍ୟାଚ୍‌ ଜିତିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଅଭିଷେକ ଶର୍ମା ଓ ହେନରିକ କ୍ଲାସେଁଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ୧୯୭/୬ ସ୍କୋର କରିଥିଲା ବେଳେ ଦିଲ୍ଲୀ ନିର୍ଦ୍ଧାରିତ ଓଭର ସୁଦ୍ଧା ୧୮୮/୬ରେ ଅଟକି ଯାଇଥିଲା। ଘରୋଇ ଦଳ ପାଇଁ ଅଲରାଉଣ୍ଡ ପ୍ରଦର୍ଶନ ଦେଇଥିବା ମିଚେଲ୍‌ ମାର୍ଶ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

Advertisment

ପ୍ରଥମ ଥର ପାଇଁ ଦିଲ୍ଲୀ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଖାତା ଖୋଲିବା ଆଗରୁ ଆଉଟ୍‌ ହୋଇଥିଲେ। ପାଳିର ଦ୍ବିତୀୟ ବଲ୍‌ରେ ଭୁବନେଶ୍ବର କୁମାର ତାଙ୍କୁ ବୋଲ୍ଡ କରିଦେଇଥିଲେ। ଫିଲ୍‌ ସଲ୍ଟ ଓ ମିଚେଲ ମାର୍ଶ ଦ୍ବିତୀୟ ୱିକେଟ୍‌ରେ ୧୧୨ ରନ୍‌ର ଭାଗୀଦାରି କରି ଦଳକୁ ଆଗେଇ ନେଇଥିଲେ। କିନ୍ତୁ ଦ୍ବାଦଶ ଓଭରରେ ମୟଙ୍କ ମାର୍କଣ୍ଡେୟ ଯୋଡ଼ି ଭାଙ୍ଗିବା ସହ ସଲ୍ଟଙ୍କୁ କଟ୍‌ ଆଣ୍ଡ ବୋଲ୍ଡ କରିଥିଲେ। ଏହାପରଠୁ କେହି ବି ସ୍କୋର ବୋର୍ଡରେ ଆଖିଦୃଶିଆ ପ୍ରଦର୍ଶନ ଦେଇପାରିନଥିଲେ। ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ସର୍ଫରାଜ ଖାନ୍‌ ନିରାଶ କରିବା ପରେ ଅକ୍ଷର ପଟେଲ୍‌ ପୁଣି ଥରେ ଦଳର ସମ୍ମାନ ରଖିବାକୁ ସଂଘର୍ଷ କରିଥିଲେ। କିନ୍ତୁ ନଟରାଜନ, ଭୁବନେଶ୍ବର ଓ ମାର୍କଣ୍ଡେୟ ହାତ ଖୋଲିବାକୁ ଅଧିକ ସୁଯୋଗ ଦେଇନଥିଲେ। ଶେଷ ଓଭରରେ ୨୬ ରନ୍ ଦରକାର ହେଉଥିଲା ବେଳେ ଭୁବନେଶ୍ବର କୁମାର ୧୬ ରନ୍‌ ବ୍ୟୟ କରିବାରୁ ସନରାଇଜର୍ସ ତୃତୀୟ ବିଜୟ ପାଇଥିଲା।

ଅଭିଷେକଙ୍କ ପ୍ରଥମ ଅର୍ଦ୍ଧଶତକ
ପୂର୍ବରୁ ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିତି ବ୍ୟାଟିଂ ନେଇଥିଲା। ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଗୋଟିଏ ପଟରୁ ପାଳି ସମ୍ଭାଳିଥିଲା ବେଳେ ଅନ୍ୟ ପଟରୁ ଉଚିତ୍‌ ସହଯୋଗ ମିଳିପାରୁନଥିଲା। ପାୱାରପ୍ଲେ ମଧ୍ୟରେ ମୟଙ୍କ ଅଗ୍ରୱାଲ (୫), ରାହୁଲ ତ୍ରିପାଠୀ (୧୦) ଆଉଟ୍‌ ହେବା ପରେ ମିଚେଲ୍‌ ମାର୍ଶ ଦଶମ ଓଭରରେ ଏଦେନ୍‌ ମାର୍‌କ୍ରମ (୮) ଓ ହ୍ୟାରି ବ୍ରୁକ୍‌ (୦) ଙ୍କୁ ଶିକାର କରିଥିଲେ। ଏହାସତ୍ତ୍ବେ ଅଭିଷେକ ତାଙ୍କ ଆକ୍ରମଣ ଜାରି ରଖି ୨୫ ବଲ୍‌ରୁ ଚଳିତ ଆଇପିଏଲ୍‌ର ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଷଷ୍ଠ ସ୍ଥାନରେ ଆସିଥିବା ହେନରିକ କ୍ଲାସେଁଙ୍କ ସହ ମିଶି ଅଭିଷେକ ରନ୍‌ ଗତି ବଢାଇଥିଲେ। କିନ୍ତୁ ୬୭ ରନ୍‌ କରିଥିଲା ବେଳେ ଅଭିଷେକଙ୍କୁ ଅକ୍ଷର ପଟେଲ୍‌ ଆଉଟ୍‌ କରିଥିଲେ। ଅବଦୁଲ ସମଦଙ୍କ ସହ ୩୩ ବଲ୍‌ରୁ ୫୩ ରନ୍‌ର ଭାଗୀଦାରି ଗଢ଼ି କ୍ଲାସେଁ ଦଳକୁ ୧୫୦ ଟପାଇଥିଲେ। ଡେଥ୍‌ ଓଭରରେ ଅକିଲ୍‌ ‌ହୋସେନ୍‌ (୧୬) ଙ୍କ ସହ କ୍ଲାସେଁ ଆଉ ୩୫ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କ୍ଲାସେଁ (୫୩*) ଅର୍ଦ୍ଧଶତକ ଅର୍ଜନ କରିଥିଲେ। ମିଚେଲ ମାର୍ଶ ସବୁଠୁ ସଫଳ ବୋଲର ଭାବେ ୪-୧-୨୭-୪ ଚିତ୍ର ପାଇଥିଲେ।

publive-image