ହାଇଦ୍ରାବାଦର ହ୍ୟାଟ୍ରିକ୍ ପରାଜୟ

ଚେନ୍ନାଇ, ୧୭ା୪: ଚଳିତ ଆଇପିଏଲ୍‌ର ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍‌ରେ ହରାଇ ଦେଇଛି। ଏଥି ସହ ହାଇଦ୍ରାବାଦ ହ୍ୟାଟ୍ରିକ୍ ପରାଜୟ ବରଣ କରିଥିବାବେଳେ ମୁମ୍ବାଇ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ କ୍ବିଣ୍ଟନ୍ ଡି’କକ୍, ରୋହିତ ଶର୍ମା ଏବଂ କିରଣ ପୋଲାର୍ଡଙ୍କ ୩୦+ ପାଳି ବଳରେ ୫ ୱିକେଟ୍ ବିନିମୟରେ ୧୫୦ ରନ୍‌ କରିଥିଲା। ଜବାବରେ ରାହୁଲ ଚହର (୩/୧୯) ଓ ଟ୍ରେଣ୍ଟ୍ ବୋଲ୍ଟ (୩/୨୮)ଙ୍କୁ ସମ୍ମୁଖୀନ ହୋଇନପାରି ହାଇଦ୍ରାବାଦ ୧୩୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା।

ରୋହିତ ବଦଳାଇଲେ ଟସ୍‌ ଧାରା
ଶନିବାର ରୋହିତ ଶର୍ମା ଟସ୍‌ ଜିତିବା ସହ ଟ୍ବେଣ୍ଟି-୨୦ ଧାରାରେ ପରିବର୍ତ୍ତନ କରିଥିଲେ। ଅଧିକାଂଶ ଅଧିନାୟକ ଟସ୍‌ ଜିତିବା ମାତ୍ରେ କ୍ଷେତ୍ରରକ୍ଷଣ କରୁଥିବା ବେଳେ ରୋହିତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ଅବଶ୍ୟ ନିଜେ ସାମୟିକ ସଠିକ୍‌ ସାବ୍ୟସ୍ତ କରିଥିଲେ। କ୍ବିଣ୍ଟନ୍‌ ଡି’କକ୍‌ ଏବଂ ରୋହିତ ପ୍ରଥମ ୱିକେଟ୍ ପାଇଁ ୬.୩ ଓଭରରେ ୫୫ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। କିନ୍ତୁ ମଧ୍ୟମଗତି ବୋଲର ବିଜୟ ଶଙ୍କରଙ୍କୁ ବୋଲିଂ ଆକ୍ରମଣରେ ଲଗାଇବା ମାତ୍ରେ ହାଇଦ୍ରାବାଦକୁ ସେ ଲଗାତାର ଓଭରରେ ୱିକେଟ୍‌ ‌ଦେଇଥିଲେ। ରୋହିତ ଶର୍ମା (୩୨, ୨୫ ବଲ୍) ଏବଂ ସୂର୍ଯ୍ୟ କୁମାର ଯାଦବ (୧୦, ୬ ବଲ୍)ଙ୍କୁ ସେ ପ୍ୟାଭିଲିଅନ୍ ପଠାଇବା ସହ ରନ୍‌ ଗତିରେ ଅଙ୍କୁଶ ଲଗାଇଥିଲେ। ଈଶାନ କିଶନଙ୍କୁ ମୁଜିବ୍‌ ଉର୍ ରହମାନ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କୁ ଖଲିଲ୍ ଅହମ୍ମଦ ମଧ୍ୟ ଆଗକୁ ବଢ଼ିବାକୁ ଦେଇନଥିଲେ।

ପ୍ରଥମ ମ୍ୟାଚ୍‌ ସୁଯୋଗ ପାଇଥିବା ମୁଜିବ୍‌ ଉର୍ ରହମାନ ମଧ୍ୟ କ୍ବିଣ୍ଟନ୍‌ ଡି’କକ୍‌ (୪୦, ୩୯ ବଲ୍)ଙ୍କ ୱିକେଟ୍ ଦଖଲ କରିଥିଲେ। ପାୱାର ପ୍ଲେ ୬ ଓଭରରେ ବିନା କ୍ଷତିରେ ୫୩ ରନ୍‌ କରିଥିବା ମୁମ୍ବାଇ ସୁଯୋଗ ହାତଛଡ଼ା କରି ୧୪.୨ ଓଭରରେ ୧୦୦ ରନ୍ ପୂର୍ଣ୍ଣ କରିଥିଲା। ହଠାତ୍ ରନ୍‌ ମରୁଡିର ସମ୍ମୁଖୀନ ହୋଇଥିବା ମୁମ୍ବାଇକୁ ଶେଷ ଭାଗରେ କିରଣ ପୋଲାର୍ଡ ସାହା ହୋଇଥିଲେ। ପ୍ରତିଟି ରନ୍‌ ପାଇଁ ସଂଘର୍ଷ କରୁଥିବା ପୋଲାର୍ଡ ଶେଷ ଓଭର ବୋଲିଂ କରିଥିବା ଭୁବନେଶ୍ବର କୁମାରଙ୍କ ଶେଷ ଦୁଇ ବଲ୍‌କୁ ଛକା ମାରି ଦଳକୁ ୧୫୦ ରନ୍‌ର ସମ୍ମାନଜନକ ସ୍କୋର୍‌ ଦେଇଥିଲେ। ବୋଲରଙ୍କ ମଧ୍ୟରେ ମୁଜିବ୍‌ ଉର୍ ରହମାନ (୨/୨୯), ବିଜୟ ଶଙ୍କର (୨/୧୯) ଏବଂ ଖଲିଲ୍ ଅହମ୍ମଦ (୧/୨୪) ପ୍ରଭାବୀ ରହିଥିଲେ। ଭୁବ‌ନେଶ୍ବର କୁମାର କିନ୍ତୁ ତାଙ୍କ ୪ ଓଭରରେ ୪୫ ରନ୍‌ ବ୍ୟୟ କରିଥିଲେ। ପୋଲାର୍ଡ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଏକକାଳୀନ ୪ ପରିବର୍ତନ କରି ଏହି ମ୍ୟାଚ୍‌କୁ ଓହ୍ଲାଇଥିବାରୁ ସମାଲୋଚନାର ଶିକାର ହୋଇଥିଲା। ଋଦ୍ଧିମାନ ସାହା, ଜାସନ୍ ‌ହୋଲ୍ଡ୍‌ର, ଟି ନଟରାଜନ ଏବଂ ସାହାବାଜ ନଦିମଙ୍କ ବଦଳରେ ୪ ଅନଭିଜ୍ଞ ତଥା ଯୁବ ଖେଳାଳି ବିରାଟ ସିଂହ, ଅଭିଷେକ ଶର୍ମା, ମୁଜିବ୍ ଉର୍ ରହମାନ ଏବଂ ଖଲିଲ୍ ଅହମ୍ମଦଙ୍କୁ ସାମିଲ କରିଥିଲା।

ହାଇଦ୍ରାବାଦ ଅଲ୍‌ଆଉଟ୍‌
ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଜନି ବେୟାରଷ୍ଟୋ (୪୩, ୨୨ ବଲ୍) ଏବଂ‌ ଡେଭିଡ୍‌ ୱାର୍ଣ୍ଣର (୩୬, ୩୪ ବଲ୍‌) ବଢ଼ିଆ ଆରମ୍ଭ କରିଥିଲେ। ପାୱାର ପ୍ଲେ ୬ ଓଭରରେ ୫୭ ରନ୍‌ ଉଠାଇଥିଲେ। କିନ୍ତୁ ବେୟାରଷ୍ଟୋଙ୍କ ହିଟ୍‌ ୱିକେଟ୍ ଏବଂ ୱାର୍ନରଙ୍କ ରନ୍‌ ଆଉଟ୍ ପରେ ହାଇଦ୍ରାବାଦ ଦବି ଯାଇଥିଲା। ବ୍ୟାଟିଂ ଗଭୀରତା ରଖିନଥିବାରୁ ଦଳ ସଙ୍କଟରେ ପଡ଼ିଥିଲା। ବିଜୟ ଶଙ୍କର (୨୮, ୨୫ ବଲ୍, ୨ ଛକା) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ବୁମରାଙ୍କ ଶିକାର ହୋଇଯିବାରୁ ହାଇଦ୍ରାବାଦ ପରାଜୟ ନିଶ୍ଚିତ ହୋଇଥିଲା। ୨ ବଲ୍‌ ପୂର୍ବରୁ ଦଳ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ରାହୁଲ ଚହର (୪-୦-୧୯-୩) ଏବଂ ଟ୍ରେଣ୍ଟ୍ ବୋଲ୍ଟ (୩.୪-୨୮-୩) ନିର୍ଣ୍ଣାୟକ ବୋଲର ଥିଲେ।

ପୋଲାର୍ଡଙ୍କ ରକେଟ୍‌ ଛକା
ଶନିବାର ଚଳିତ ଆଇପିଏଲ୍‌ର ସବୁଠାରୁ ଲମ୍ବା ଛକା ଦେଖିବାକୁ ମିଳିଥିଲା। ଏହି ଛକାଟି ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କିରଣ ପୋଲାର୍ଡ ମାରିଥିଲେ। ଯାହା ରକେଟ୍ ଗତିରେ ଯାଇ ୧୦୫ ମିଟର ଦୂରରେ ପଡ଼ିଥିଲା। ପୋଲାର୍ଡ ତାଙ୍କର ଏହି ପରାକ୍ରମୀ ଛକା ସନ୍‌ରାଇଜର୍ସର ଆଫଗାନ ସ୍ପିନର ମୁଜିବ ଉର ରହମାନଙ୍କୁ ମାରିଥିଲେ। ଏହି ଘଟଣା ମୁମ୍ବାଇ ପାଳିର ଷୋଡ଼ଶ ଓଭରର ପ୍ରଥମ ବଲ୍‌ରେ ଘଟିଥିଲା। ମୁଜିବ ଏକ ସଟ୍ ବଲ୍ ପକାଇବାକୁ ଚେଷ୍ଟା କରୁଥିଲା ବେଳେ ଏହା ପୋଲାର୍ଡଙ୍କ ବ୍ୟାଟିଂ ସ୍ଲଟ୍‌ରେ ପଡ଼ିଯାଇଥିଲା। ଫଳରେ ସେ ନିଜ ବ୍ୟାଟ୍‌କୁ ଗଦା ଭଳିଆ ଘୂରାଇ ମିଡ୍‌ ୱିକେଟ୍ ଉପରେ ଏହି ବିଶାଳ ଛକାଟିକୁ ମାରିଥିଲେ। ୨୨ ବଲ୍‌ରୁ ୩୫* ରନ୍ କରିଥିବା ପୋଲାର୍ଡ ମଧ୍ୟ ଷଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଆଇପିଏଲ୍‌ରେ ୨୦୦ ଛକା ମାରିବାର ମାଇଲଖୁଣ୍ଟ ଛୁଇଁଥିଲେ। ତାଙ୍କ ପୂର୍ବରୁ କ୍ରିସ୍ ଗେଲ୍ (୩୫୧), ଏବି ଡି’ଭିଲିୟର୍ସ (୨୩୭), ରୋହିତ ଶର୍ମା (୨୧୭), ମହେନ୍ଦ୍ର ସିଂହ ଧୋନି (୨୧୬) ଓ ବିରାଟ କୋହଲି (୨୦୧) ଆଇପିଏଲ୍‌ରେ ୨୦୦ ଛକା ମାରିବାର କୀର୍ତ୍ତିମାନ କରି ସାରିଛନ୍ତି।

ରୋହିତଙ୍କ କୀର୍ତ୍ତିମାନ
ଶନିବାର ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଆରମ୍ଭ ଦେଇଥିବା ଅଧିନାୟକ ରୋହିତ ଶର୍ମା ଏକ ବ୍ୟକ୍ତିଗତ ଭାରତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଆଇପିଏଲ୍‌ରେ ସର୍ବାଧିକ ଛକା ମାରିବାରେ ସେ ଭାରତୀୟଙ୍କ ମଧ୍ୟରେ ଶୀର୍ଷକୁ ଉଠିଥିଲେ। ଶନିବାରର ଦୁଇଟି ଛକା ସହ ସେ ତାଙ୍କ ମୋଟ୍‌ ଆଇପିଏଲ୍‌ ଛକା ସଂଖ୍ୟାକୁ ୨୧୭ରେ ପହଞ୍ଚାଇଥିଲେ। ପୂର୍ବରୁ ମ‌ହେନ୍ଦ୍ର ସିଂହ ଧୋନି (୨୧୬ ଛକା)ଙ୍କ ନାମରେ ଥିବା ଭାରତୀୟ କୀର୍ତ୍ତିକୁ ପଛରେ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର