ହାଇଦ୍ରାବାଦର ହ୍ୟାଟ୍ରିକ୍ ବିଜୟ, କୋଲକାତାକୁ ହରାଇଲେ ରାହୁଲ-ମର୍କରାମ

ମୁମ୍ବାଇ: ଆଇପିଏଲ୍‌-୧୫ର ୨୫ତମ ମ୍ୟାଚ୍‌ରେ ଶୁକ୍ରବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରିଦେଇଛି। ହାଇଦ୍ରାବାଦ ନିଜ ପଞ୍ଚମ ମ୍ୟାଚ୍‌ ଖେଳି ତୃତୀୟ ବିଜୟ ଏବଂ କୋଲକାତା ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଛି। କୋଲକାତା ପକ୍ଷରୁ ଧାର୍ଯ୍ୟ ୧୭୬ ରନ୍‌ ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୩ ବଲ୍‌ ପୂର୍ବରୁ ୩ ୱିକେଟ୍‌ ହରାଇ ସଂଗ୍ରହ କରିନେଇଥିଲା। ପ୍ରଥମ ଦୁଇ ମ୍ୟାଚ୍ ହାରିଥିବା ହାଇଦ୍ରାବାଦ ପରବର୍ତୀ ୩ ମ୍ୟାଚ୍‌ ଜିତି ହ୍ୟାଟ୍ରିକ୍ କରିଛି। କେନ୍‌ ୱିଲିୟମସନ୍‌ଙ୍କ ଦଳର ବିଜୟରେ ରାହୁଲ ତ୍ରିପାଠୀ ଓ ଏଦୈନ ମର୍କରାମଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ନିର୍ଣ୍ଣାୟକ ହୋଇଥିଲା। କମିନ୍ସଙ୍କୁ ଲଗାତାର ଭାବେ ୪, ୬, ୬ ମାରି ମର୍କରାମ (୬୮*, ୩୬ ବଲ୍‌) ଷ୍ଟାଇଲ୍‌ରେ ମ୍ୟାଚ୍‌ ଶେଷ କରିଥିଲେ। ତେବେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା କୋଲକାତା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିବା ରାହୁଲ ତ୍ରିପାଠୀ (୭୧ ରନ୍‌, ୩୭ ବଲ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶନିବାର ଡବଲ୍‌ ହେଡର୍‌ରେ ମୁମ୍ବାଇ-ଲକ୍ଷ୍ନୌ ଓ ଦିଲ୍ଲୀ-ବାଙ୍ଗାଲୋର୍ ମୁକାବିଲା ହେବ।

ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲେ ମଧ୍ୟ ୪.୩ ଓଭର ବେଳକୁ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ଶ୍ରେୟସ ଆୟର ସାମୟିକ ପାଳି ଗଢ଼ିଥିଲେ ମଧ୍ୟ ଉମ୍ରାନ ମଲ୍ଲିକଙ୍କ ପ୍ରଥମ ଶିକାର ହୋଇ ଫେରିଯାଇଥିଲେ। ମଧ୍ୟକ୍ରମରେ ନୀତୀଶ ରାଣା (୫୪ ରନ୍, ୩୬ ବଲ୍‌) ଏବଂ ଶେଷ ଭାଗରେ ଆନ୍ଦ୍ରେ ରସେଲ (୪୯*, ୨୫ ବଲ୍‌) ବିସ୍ଫୋରକ ବ୍ୟାଟିଂ କରି ଦଳକୁ ୧୭୫ ରନ୍‌ରେ ପହଞ୍ଚାଇ ଦେଇଥିଲେ। ଜଗଦୀଶାନ ସୁଚିତ ବୋଲିଂ କରିଥିବା ଶେଷ ଓଭରର ଶେଷ ୩ ବଲରୁ ରସେଲ ୬,୬,୪ ମାରିଥିଲେ। ୟର୍କର ସ୍ପେଶାଲିଷ୍ଟ୍‌ ଟି ନଟରାଜନ (୩/୩୭) ଏବଂ ଦ୍ରୁତତମ କଶ୍କୀର ବୋଲର ଉମ୍ରାନ ମଲ୍ଲିକ (୨/୨୭) ମିଳିତ ଭାବେ ୫ ୱିକେଟ୍ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର