ହାଇଦ୍ରାବାଦ: ସନ୍‌ରାଇଜର୍ସ ହାଇଦ୍ରାବାଦ ଓପନର ଅଭି‌‌ଷେକ ଶର୍ମା ଅସାଧାରଣ ଓ ଅବିଶ୍ବସନୀୟ ବ୍ୟାଟିଂ କରି ରେକର୍ଡ ବୁକ୍‌ରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି। ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ମାତ୍ର ୪୦ ବଲ୍‌ରୁ ଶତକ ଏବଂ ୫୫ ବଲ୍‌ରୁ ୧୪୧ ରନ୍‌ର ଜବରଦସ୍ତ ପାଳି ଖେଳି ଟ୍ବେଣ୍ଟି-୨୦ର ଅନ୍ୟତମ ମହାରଥୀ ଭାବେ ନିଜକୁ ସ୍ଥାପିତ କରିଛନ୍ତି। ଏହା ମଧ୍ୟ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ଆଇପିଏଲ୍‌ ପାଳି ହୋଇଛି। ତାଙ୍କ ଛକା, ଚୌକା ଭରା ଧମାକାଦାର ପାଳି ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୨୪୬ ରନ୍‌ର ବିଜୟ ଲକ୍ଷ୍ୟକୁ ୯ ବଲ୍ ପୂର୍ବରୁ ହାସଲ କରି ପ୍ରତିପକ୍ଷ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ସ୍ତବ୍ଧ କରିଦେଇଛି। ବିଶାଳ ସ୍କୋର୍ ଛିଡ଼ା କରିଥିଲେ ମଧ୍ୟ ଅଭିଷେକ ରନ୍ ଝଡ଼ରେ ପଞ୍ଜାବର ବିଜୟ ସ୍ବପ୍ନ ଭାଙ୍ଗି ଚୂରମାର୍ ହୋଇଯାଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟ ଲଗାତାର ଚାରିଟି ମ୍ୟାଚ୍ ହାରିବା ପରେ ୮ ୱିକେଟ୍‌ର ଏକତରଫା ବିଜୟରେ ସଫଳତା ଧାରାକୁ ଫେରିଛି। ଏହା ମଧ୍ୟ ଆଇପିଏଲ୍ ଇତିହାସର ଦ୍ବିତୀୟ ସର୍ବୋଚ୍ଚ ସଫଳ ପଶ୍ଚାତ୍‌ଧାବନ ହୋଇଛି। ପଞ୍ଜାବ କିନ୍ତୁ ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ନିରାଶ ହୋଇଛି। ଅଭିଷେକ ପୂର୍ବରୁ ନେଇଥିବା ଲେଖା ଦେଖାଇ ସନ୍‌ରାଇଜର୍ସର ନାରଙ୍ଗୀ ସେନାକୁ ନିଜ ଶତକ ଉତ୍ସର୍ଗ କରିଥିଲେ। ପଞ୍ଜାବ ଅଧିନାୟକ ଶ୍ରେୟସ୍ ଆୟର ହାରିବା ପରେ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। 

Advertisment

‌ପୂର୍ବରୁ ମହମ୍ମଦ ସାମିଙ୍କ ଭଳି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବୋଲର୍‌ ଶେଷ ଓଭରରେ ୨୭ ରନ୍ ବ୍ୟୟ କରିବା ସହ ଆଇପିଏଲ୍‌ ଇତିହାସର ଦ୍ବିତୀୟ ମହଙ୍ଗା (୪-୦-୭୫-୦)ସ୍ପେଲ୍ ପକାଇବା ପଞ୍ଜାବ କିଙ୍ଗ୍ସ ପାଳିର ମୁଖ୍ୟାଂଶ ଥିଲା। ସାମି ବୋଲିଂ କରିଥିବା ୨୦ତମ ଓଭରର ‌‌ଶେଷ ୪ ବଲ୍‌ରୁ ଷ୍ଟୋଇନିସ୍ ଲଗାତାର ଛକା ମାରିବା ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ପିଚ୍‌ ବ୍ୟାଟର୍‌ଙ୍କ ଭୂସ୍ବର୍ଗ ପାଲଟିବାର ଆଉ ଏକ ନମୁନା ଥିଲା। ଏହି ଧାରା ଅବଶ୍ୟ ପଞ୍ଜାବ କିଙ୍ଗ୍ସର ଦୁଇ ଯୁବ ଓପନର୍ ପ୍ରିୟାଂଶ ଆର୍ଯ୍ୟ (୩୬ ରନ୍, ୧୩ ବଲ୍) ଓ ପ୍ରଭସିମରନ୍ ସିଂହ (୪୨ ରନ୍, ୨୩ ବଲ୍) ଆରମ୍ଭ କରିଥିଲେ। ଗତ ମ୍ୟାଚ୍‌ରେ ଧମା‌କାଦାର ଶତକ ହାସଲ କରିଥିବା ପ୍ରିୟାଂଶ ସମ୍ମୁଖୀନ ହୋଇଥିବା ପ୍ରତିପକ୍ଷ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଦ୍ବିତୀୟ ବଲ୍‌କୁ ଛକା ମାରି ନିଜ ଆଭିମୁ୍ଖ୍ୟ ସ୍ପଷ୍ଟ କରିଥିଲେ। ସେହିଭଳି ସାମିଙ୍କ ପ୍ରଥମ ଓଭରରେ ପ୍ରଭସିମରନ୍ ହ୍ୟାଟ୍ରିକ୍ ଚୌକା ମାରିଥିଲେ। ହର୍ଷଲ ପଟେଲ ଚତୁରତାର ସହ ନୀତୀଶ କୁମାର ‌ରେଡ୍ଡୀଙ୍କ ହାତରେ ପ୍ରିୟାଂଶଙ୍କୁ କ୍ୟାଚ୍ କରାଇ ନେବା ପୂର୍ବରୁ ଉଭୟ ପ୍ରଥମ ୱିକେଟ୍‌ରେ ମାତ୍ର ୪ ଓଭରରୁ ୬୬ ରନ୍ ଯୋଡ଼ି ନେଇଥିଲେ। ପ୍ରଭସିମରନ୍ ବି ଅର୍ଦ୍ଧଶତକର ୮ ରନ୍ ପୂର୍ବରୁ ନବାଗତ ଈଶାନ ମାଲିଙ୍ଗାଙ୍କ ଶିକାର ହୋଇଥିଲେ। ତେବେ ଅଧିନାୟକ ଶ୍ରେୟସ୍ ଆୟରଙ୍କ ଆକ୍ରମଣାତ୍ମକ ରୂପ ପାଇଁ ପଞ୍ଜାବ ମାତ୍ର ୭.୩ ଓଭରରେ ଶତକ ଛୁଇଁଥିଲା। ନେହଲ ୱାଧେରା ୨୭) ଓ ଷ୍ଟୋଇନିସ୍ (୩୪* ରନ୍, ୧୧ ବଲ୍) ମଧ୍ୟ ଦ୍ରୁତ ଖେଳିଥିଲେ। ଆୟର ଜବରଦସ୍ତ ବ୍ୟାଟିଂ କରି ୨୨ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିବା ସହ ଦ୍ରୁତ ଗତିରେ ଶତକ ଆଡ଼କୁ ଗତି କରୁଥିଲା ବେଳେ ହର୍ଷଲ ପୁଣି ତାଙ୍କ ପାଳିରେ ବ୍ରେକ୍ ଲଗାଇଥିଲେ। ଶେଷ ୱିକେଟ୍ ଭାବେ ସେ ଶତକର ୧୮ ରନ୍ ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ।

ସଂକ୍ଷିପ୍ତ ସ୍କୋର୍: କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୨୪୫/୬ (ଶ୍ରେୟସ୍ ଆୟର୍ ୮୨, ପ୍ରଭସିମରନ୍ ସିଂହ ୪୨, ପ୍ରିୟାଂଶ ଆର୍ଯ୍ୟ ୩୬, ମାର୍କସ ଷ୍ଟୋଇନିସ୍ ୩୪*, ହର୍ଷଲ ପଟେଲ ୪/୪୨, ଈଶାନ ମାଲିଙ୍ଗା ୨/୪୫)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୮.୩ ଓଭରରେ ୨୪୭/୨( ଅଭିଷେକ ଶର୍ମା ୧୪୧, ଟ୍ରାଭିସ୍ ହେଡ୍ ୬୬, ହେନରିକ କ୍ଲାସେଁ ୨୧*, ଅର୍ଶଦୀପ ସିଂହ ୧/୩୭)।