ଧୋନି ଚରିତ୍ର ପାଇ ନିଜକୁ ଧନ୍ୟ ମନେ କରୁଥି‌ଲେ ସୁଶାନ୍ତ

ମୁମ୍ବାଇ: ‘ଧୋନି, ଦ ଅନଟୋଲ୍ଡ ଷ୍ଟୋରି’ ଚଳଚ୍ଚିତ୍ରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଚରିତ୍ରରେ ଅଭିନୟ କରିବା ଲାଗି ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାସ ମାସ ଧରି ଅଭ୍ୟାସ କରିଥିଲେ। ପୂର୍ବତନ ଭାରତୀୟ କ୍ରିକେଟର କିରଣ ମୋରେ ତାଙ୍କୁ ଧୋନିଙ୍କ ବ୍ୟାଟିଂ ଓ ୱିକେଟ୍ ରକ୍ଷଣ ଶୈଳୀ ଆଦି ଶିଖାଇଥିଲେ। ଧୋନିଙ୍କ ପ୍ରସିଦ୍ଧ ହେଲିକପ୍ଟର ସଟ୍ ଶିଖିବା ଲାଗି ସୁଶାନ୍ତ ତାଙ୍କ ପିଲା ବେଳର ପ୍ରଶିକ୍ଷକ କେଶବ ବାନାର୍ଜୀଙ୍କ ପାଖକୁ ବି ଚାଲି ଯାଇଥିଲେ। କଠିନ ପରିଶ୍ରମ କରି ଧୋନିଙ୍କ ଚାଲି ଚଳଣିଠାରୁ ଆରମ୍ଭ କରି ତାଙ୍କ କଥାବାର୍ତ୍ତା କରିବା ଷ୍ଟାଇଲ୍‌କୁ ଅବିକଳ ଭାବେ ପରଦା ଉପରେ ନକଲ କରି ଦେଇଥିଲେ ସୁଶାନ୍ତ। ଧୋନିଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସେ ମଧ୍ୟ ନିଜକୁ ଧନ୍ୟ ମନେ କରୁଥିଲେ। ସିନେପ୍ରେମୀ ମଧ୍ୟ ତାଙ୍କ ଅଭିନୟକୁ ଢେର ପସନ୍ଦ କରିବା ସହ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲା। ଧୋନିଙ୍କ ନିକଟତମ ବନ୍ଧୁ ତଥା ଏହି ଚଳଚ୍ଚିତ୍ରର ସହ-ପ୍ରାୟୋଜକ ଅରୁଣ ପାଣ୍ଡେ ବଳିଷ୍ଠ ଅଭିନୟ ପାଇଁ ପରିଚିତ ସୁଶାନ୍ତଙ୍କୁ ମନେ ପକାଇ କହିଛନ୍ତି ଯେ ଧୋନିଙ୍କ ଚରିତ୍ରକୁ ନ୍ୟାୟ ଦେଇ ପାରିବେ କି ନାହିଁ, ସେ ନେଇ ସୁଶାନ୍ତ ବହୁତ ଚିନ୍ତିତ ଥିଲେ। ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ କିନ୍ତୁ ସେ ବେଶ୍ ଉତ୍ସାହିତ ଥିଲେ। ଯଦି ଧୋନିଙ୍କ ଚରିତ୍ରକୁ ନିଖୁଣ ଭାବେ ଅଭିନୟ କରି ପାରିବି ନାହିଁ, ତାହାଲେ ତାଙ୍କ କୋଟି କୋଟି ପ୍ରଶଂସକ ମୋତେ ଆଦୌ କ୍ଷମା ଦେବେନି ବୋଲି ସୁଶାନ୍ତ ଅନେକ ସମୟରେ ମୋତେ କହୁଥିଲେ।

ଏହି ଚରିତ୍ର ଲାଗି ସୁଶାନ୍ତ ମାସ ମାସ ଅଭ୍ୟାସ କରିଥିଲେ। ହେଲିକପ୍ଟର ସଟ୍ ଅଭ୍ୟାସ କରୁଥିଲା ବେଳେ ଦିନେ ସୁଶାନ୍ତ ଆହତ ହୋଇଥିଲେ। କିଛି ଦିନ ସେ ଆଉ ଅଭ୍ୟାସ କରିବାକୁ ଆସିବେ ନାହିଁ ବୋଲି ଆମେ ଭାବିଥିଲୁ। ହେଲେ ଦିନେ ଦୁଇ ଦିନ ଭିତରେ ସୁଶାନ୍ତ ପୁଣି ଥରେ ପଡ଼ିଆକୁ ‌ଫେରିଥିଲେ। ଏହା ହିଁ ହେଉଛି ତାଙ୍କ ମହାନତାର ପରିଚୟ। ସୁଶାନ୍ତଙ୍କ ଏକାଗ୍ରତା ଏଭଳି ଥିଲା ଯେ ଧୋନିଙ୍କ ଚରିତ୍ରରେ ଅଭିନୟ କରୁ କରୁ ସେ ଜଣେ ଦକ୍ଷ କ୍ରିକେଟର୍‌ ପାଲଟି ଯାଇଥିଲେ। ଧୋନିଙ୍କୁ ସୁଶାନ୍ତ ତାଙ୍କ ଜୀବନକୁ ନେଇ ଅନେକ ପ୍ରଶ୍ନ ପଚାରୁଥିଲେ। ବିହାରର ହୋଇଥିବାରୁ ଧୋନିଙ୍କ ସହ ତାଙ୍କର ଭଲ ବନ୍ଧୁତା ହୋଇ ଯାଇଥିଲା। ଧୋନି କିଛି ଦିନ ଏୟାର ଇଣ୍ଡିଆ ପକ୍ଷରୁ କ୍ରିକେଟ୍ ଖେଳିଥିଲେ। ସେଥିପାଇଁ ସୁଶାନ୍ତଙ୍କୁ ଆମେ ଦିଲ୍ଲୀର ଏୟାର ଇଣ୍ଡିଆ କଲୋନିକୁ ନେଇଥିଲୁ। ଧୋନି ସେଠାକୁ ଯାଇ ନିଜ ପୁରୁଣା ଦିନକୁ ମନେ ପକାଇଥିଲେ। ସୁଶାନ୍ତ ମଧ୍ୟ ଏହାକୁ ବୁଝିବାକୁ ‌ଚେଷ୍ଟା କରିଥିଲେ। ଧୋନିଙ୍କୁ ଭୂମିକା ମିଳିଥିବାରୁ ସେ ସବୁବେଳେ ନିଜକୁ ଭାଗ୍ୟବାନ ମଣୁଥିଲେ। ସୁଶାନ୍ତ ଏମିତି ଭାବେ ଚାଲିଯିବେ ବୋଲି କେହି ବିଶ୍ବାସ କରି ନଥିଲେ। ସେ ଯିବା ପରେ ‘ଧୋନି, ଦ ଅନଟୋଲ୍ଡ ଷ୍ଟୋରି’ର ଉତ୍ତର ଭାଗ ବା ସିକ୍ବେଲ ନିର୍ମାଣ ହେବା ସମ୍ଭାବନା ମରି ଯାଇଛି। ସୂଚନାଯୋଗ୍ୟ ଯେ ୩୪ ବର୍ଷୀୟ ସୁଶାନ୍ତ ରବିବାର ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ। ଯାହା କ୍ରୀଡ଼ା ଓ ଚଳଚ୍ଚିତ୍ର ଜଗତକୁ ସଂପୂର୍ଣ୍ଣ ଦୋହଲାଇ ଦେଇଛି।

ସମ୍ବନ୍ଧିତ ଖବର