ଅଲିମ୍ପିକ୍ସ ଯୋଗ୍ୟତା ନେଇ ଆତ୍ମବିଶ୍ବାସ ଅଛି: ଦୂତି

ଭୁବନେଶ୍ବର: ନିଜ ଘଟଣା ବହୁଳ ଖେଳ ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରୁଥିବା ଦୌଡ଼ରାଣୀ ଦୂତି ଚାନ୍ଦ ଏବେ ଅଲିମ୍ପିକ୍ସ ଟିକେଟ ଉପରେ ସବୁ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଆସନ୍ତା ୧୨ ମାସ ଭିତରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଭାରତର ଦ୍ରୁତତମ ଧାବିକା ଦୂତିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ହେଉଛି ୧୧.୨୪ ସେକେଣ୍ଡ (୧୦୦ ମିଟର)। ହେଲେ ଚଳିତ ଋତୁରେ ତାଙ୍କ ଶ୍ରେଷ୍ଠ ଟାଇମିଂ ରହିଛି ୧୧.୨୬ ସେକେଣ୍ଡ। ବିଶ୍ବମାନ୍ୟତା ଅନୁସାରେ ସଂପ୍ରତି ସେ ୭୮ତମ ସ୍ଥାନରେ ରହିଛନ୍ତି। ହେଲେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟାଇମିଂ (୧୧.୧୫ ସେକେଣ୍ଡ) ଆସନ୍ତା‌ କିଛି ମାସ ମଧ୍ୟରେ ହାସଲ କରିନେବେ ବୋଲି ଦୂତି ଦୃଢ଼ ଆଶା ପୋଷଣ କରିଛନ୍ତି।

ଏଥିନେଇ ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ କଠିନ ପରିଶ୍ରମର ଫଳ ନିଶ୍ଚିତ ମିଳେ ବୋଲି ମୁଁ ବିଶ୍ବାସ କରେ। ମୋ ଦେଶ ପାଇଁ ଅଧିକ ଯଶ ଏବଂ ଖ୍ୟାତି ଆଣିବା ଲାଗି ମନଧ୍ୟାନ ଦେଇ ପରିଶ୍ରମ କରୁଛି। ଏବେ ମୋ ପ୍ରଶିକ୍ଷଣ ସାରଣୀ ବେଶ୍ କଷ୍ଟକର। ସେଥିପାଇଁ ଆଗ ଅପେକ୍ଷା ମୋ ଟାଇମିଂରେ ଯଥେଷ୍ଟ ଉନ୍ନତି ଆସିଛି। ମୁଁ ଭାବୁଛି ଚଳିତ ବର୍ଷ ହିଁ ମୁଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିନେବି। ଦୂତି ଚଳିତ ବର୍ଷ ପ୍ରଥମ ଭାରତୀୟ ଭାବେ ଇଟାଲି‌ର ନାପୋଲିରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେଥିରେ ତାଙ୍କ ଟାଇମିଂ ଥିଲା ୧୧.୩୨ ସେକେଣ୍ଡ। ଏହା ପରେ ଦୂତିଙ୍କ ଆତ୍ମବିଶ୍ବାସ ଢେର ବଢ଼ିଛି। ସୂଚନାଯୋଗ୍ୟ ଯେ ଦୂତି ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ହେଲେ ଫାଇନାଲ୍ ଯାଇ ପାରି ନଥିଲେ। ଅଲିମ୍ପିକ୍ସର ୧୦୦ ମିଟରରେ ଦୌଡ଼ିବାରେ କିନ୍ତୁ ୧୯୮୦ ମସିହା ପରେ ପ୍ରଥମ ଭାରତୀୟ ହୋଇଥିଲେ। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚାରେ ରହୁଥିବା ଦୂତି ନିକଟରେ ବହୁ ରାଷ୍ଟ୍ରୀୟ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କଂପାନି ପୁମା ସହ ଦୁଇ ବର୍ଷିୟା ଚୁକ୍ତି କରିଛନ୍ତି। ଏଭଳି ସଫଳତା ପାଇବାରେ ସେ ପ୍ରଥମ ଓଡ଼ିଆ ହୋଇଛନ୍ତି।

ସମ୍ବନ୍ଧିତ ଖବର