ଶତକରୁ ବଞ୍ଚିତ ହେବା ପରେ ଆଜିଙ୍କ୍ୟ ରାହାଣେ କହିଲେ- ମୁଁ ସ୍ୱାର୍ଥପର ନୁହେଁ

ଆଣ୍ଟିଗୁଆ: ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛନ୍ତି। ମାତ୍ର ସେ ଶତକ ହାସଲ କରିପାରି ନାହାନ୍ତି। ଆଉ ମାତ୍ର ୧୯ ରନ୍‌ ଯୋଡ଼ିଥିଲେ ରାହାଣେ ଶତକ ହାସଲ କରିଥାନ୍ତେ। ଶତକରୁ ବଞ୍ଚିତ ହେବା ପରେ ରାହାଣେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ମୁଁ ସ୍ୱାର୍ଥପର ନୁହେଁ। କାରଣ ମୁଁ ଭାରତୀୟ ଟିମ୍‌ ପାଇଁ ଖେଳୁଛି।

ଆଣ୍ଟିଗୁଆର ନର୍ଥ ସାଉଣ୍ଡସ୍ଥିତ ସାର ଭିଭିଆନ୍‌ ରିଚାର୍ଡ ଷ୍ଟାଡିୟମରେ ଗୁରୁବାର ଭାରତ ରାହାଣେଙ୍କ ଇନିଂସ ଯୋଗୁଁ ସମ୍ମାନଜନକ ସ୍କୋର କରିଥିଲା। ରାହାଣେ ୧୬୩ଟି ବଲ ଖେଳି ୮୧ ରନ୍‌ କରିଥିଲେ। ଏଥିରେ ୧୦ଟି ଚୌକା ସାମିଲ ଥିଲା। ସେ ଆଉଟ୍‌ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆର ସ୍କୋରକୁ ମଜବୁତ୍‌ ସ୍ଥାନକୁ ପହଞ୍ଚାଇ ପାରିଥିଲେ। ରାହାଣେ ଆଉଟ ହେବା ପୂର୍ବରୁ ଭାରତ ମାତ୍ର ୫ ରନ୍‌ରେ ମୟଙ୍କ ଅଗ୍ରଓ୍ଵାଲ, ୭ ରନ୍‌ରେ ଚେତେଶ୍ୱର ପୂଜାରା, ୨୫ ରନ୍‌ରେ ଅଧିନାୟକ ବିରାଟ କୋହଲି, ୯୩ ରନ୍‌ରେ ଲୋକେଶ ରାହୁଲ, ୧୭୫ ରନ୍‌ରେ ହନୁମା ବିହାରୀଙ୍କୁ ହରାଇ ସାରିଥିଲା। ପ୍ରଥମ ଦିନର ମ୍ୟାଚ୍‌ ଶେଷ ହେବା ବେଳକୁ ଟିମ୍‌ ଇଣ୍ଡିଆ ୬ଟି ଓ୍ଵିକେଟ ହରାଇ ୨୦୩ ରନ୍‌ କରିଥିଲା। ସୂଚନାଯୋଗ୍ୟ ରାହାଣେ ନିଜର ଅନ୍ତିମ ଶତକ ଶ୍ରୀଲଙ୍କା ବିପକ୍ଷରେ ୨୦୧୭ରେ ମାରିଥିଲେ।

ସମ୍ବନ୍ଧିତ ଖବର