ମୁଁ ଧୋନି କିମ୍ବା ଗେଲଙ୍କ ଭଳି ଖେଳାଳି ନୁହେଁ: ରୋହିତ ଶର୍ମା

ମୋହାଲିରେ ୨ୟ ଦିନିକିଆ ପରେ ରୋହିତଙ୍କ ପ୍ରତିକ୍ରିୟା

ନୂଆଦିଲ୍ଳୀ: ପଞ୍ଜାବର ମୋହାଲି ଠାରେ ୨ୟ ଦିନିକିଆରେ ଶ୍ରୀଲଙ୍କାକୁ ୧୪୧ ରନ୍‌ରେ ପରାସ୍ତ କରିବା ପରେ ଭାରତ ପୁଣି ଥରେ ନିଜକୁ ଶକ୍ତିଶାଳୀର ପରିଚୟ ଦେଇ ପାରିଛି। ଏହି ମ୍ୟାଚରେ ଅଧିନାୟକ ଦାୟିତ୍ୱରେ ଥିବା ରୋହିତ ଶର୍ମା(୨୦୮)ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଶ୍ରୀଲଙ୍କାର ଶୃଙ୍ଖଳା ବିଜୟ ଆଶା ପୂରଣ ହୋଇ ପାରି ନାହିଁ। ରୋହିତ ମାତ୍ର ୧୫୧ଟି ବଲରେ ଦ୍ୱିଶତକ ହାସଲ କରି ପୁଣି ଥରେ ଇତିହାସ ରଚିବା ସହିତ ପତ୍ନୀ ରିତିକାଙ୍କୁ ବିବାହର ୨ୟ ବାର୍ଷିକୀ ଉପହାର ଦେଇଛନ୍ତି।

ମ୍ୟାଚ ଶେଷ ପରେ ରୋହିତ ଶର୍ମାଙ୍କ ସହିତ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ବିସିସିଆଇ ଟିଭି ପାଇଁ ସାକ୍ଷାତକାର ହୋଇଥିଲା। ଧର୍ମଶାଳାରେ ପରାଜୟ ସ୍ୱୀକାର କରିଥିବା ଅଧିନାୟକ ରୋହିତ ମୋହାଲିର ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେଠାରେ ମୋର ଭୁଲ ଥିଲା। ଏଠାରେ କିନ୍ତୁ ମୁଁ ଭୁଲ କରି ନ ଥିଲି। ଦୀର୍ଘ ସମୟ ଧରି ଖେଳିବାକୁ ମୁଁ ପୂର୍ବରୁ ପ୍ରସ୍ତୁତ ଥିଲି। କ୍ରିଜରେ ମଜବୁତ ସ୍ଥିତିରେ ରହିବା ପରେ ରୋହିତ ୧୧୫ଟି ବଲ ଖେଳି ପ୍ରଥମେ ଶତକ ହାସଲ କରିଥିଲେ।

ପୂର୍ବର ଦ୍ୱିଶତକ (ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ଓ ଶ୍ରୀଲଙ୍କା ବିପକ୍ଷରେ ୨୬୪) ଉପରେ ରୋହିତ କହିଛନ୍ତି, ଏହା ମଧ୍ୟ ସାହସିକ କାମ ଥିଲା। ଏହି ମ୍ୟଚ ଗୁଡ଼ିକ ମଧ୍ୟ ଏକ ଘଡ଼ି ସନ୍ଧି ସମୟରେ ଆସିଥିଲା। ରୋହିତ କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ହାସଲ କରିବା ଏକ ଶୃଙ୍ଖଳା ବିଜୟ ପାଇଁ ଆବଶ୍ୟକତା ଥିଲା। ସେହିପରି ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନ୍‌ ତିନି ମାସ ପକ୍ଷାଘାତ ହେବା ପରେ ଦଳକୁ ଫେରିଥିବାରୁ ଭଲ ସ୍କୋର କରିବାକୁ ଅତ୍ୟାବଶ୍ୟକ ଥିଲା।

ସାଥୀ ଓପନର ଶିଖର ଧାଓ୍ଵନଙ୍କ ବାବଦରେ ରୋହିତ କହିଛନ୍ତି, ଭାରତ ୨୧.୧ ଓଭରରେ ୧୧୫ ରନ୍‌ ସଂଗ୍ରହ କରିଥିଲା। ଉଭୟ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଲେ ଦଳ ଭଲ ସ୍କୋର କରି ପାରିବ। ସେହିଭଳି ବଲକୁ ଖେଳିବା ପୂର୍ବରୁ କେମିତି ଖେଳାଯିବା ଦରକାର ଅଛି, ତାହା ପ୍ରଥମେ ବାଛିବାର ଆବଶ୍ୟକତା ଅଛି ବୋଲି ଶର୍ମା କହିଛନ୍ତି। ଆମେ ଜାଣିଛେ ଯେତେବେଳେ ଆମେ ପ୍ରାରମ୍ଭିକ ଓଭରଗୁଡ଼ିକ ଭଲ ଖେଳିଥାଉ, ବ୍ୟାଟିଂ ସହଜ ହୋଇଥାଏ। ମ୍ୟାଚରେ ଭାଗିଦାରୀ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ବୋଲି ରୋହିତ କହିଛନ୍ତି।

ରୋହିତ କହିଛନ୍ତି, ରୁଟିନକୁ ନେଇ ମୁଁ ଆଉ ଶିଖର ଚାଲିଥାଉ। ଆମେ କେବେ ବି ୬ଟି ବଲ ଜଣେ ବ୍ୟାଟ୍ସମ୍ୟାନକୁ ଦେବାକୁ ସୁଯୋଗ ଦେଇ ନଥାଉ। ଆମେ ସବୁବେଳେ ପାର୍ଶ୍ୱ ପରିବର୍ତନ କରିବାକୁ ଚାହିଁ ଥାଉ। ଅନ୍ୟପକ୍ଷରେ ଶିଖର ବାମ ହାତୀ ବ୍ୟାଟ୍ସମ୍ୟାନ ଓ ମୁଁ ଡାହାଣ ହାତୀ ବ୍ୟାଟ୍ସମ୍ୟାନ ହୋଇଥିବାରୁ ଖେଳର ପରିସ୍ଥିତି ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ। ରୋହିତ ତାଙ୍କର ପ୍ରଶିକ୍ଷଙ୍କ ଉଦ୍ୟମକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି। ମୁଁ ଜାଣିଛି, ମୁଁ ମହେନ୍ଦ୍ର ସିଂ ଧୋନି କିମ୍ବା କ୍ରିସ ଗେଲ ଭଳି ଖେଳାଳି ନୁହେଁ, ତାଙ୍କ ଭଳି ମୋ ପାଖରେ କ୍ଷମତା ନାହିଁ ବୋଲି ରୋହିତ କହିଛନ୍ତି।

ସମ୍ବନ୍ଧିତ ଖବର