ମୁଁ ଭାରତର ୪ ନମ୍ବର ହୋଇପାରିବି: ରାଇନା

ଚେନ୍ନାଇ: ନିଜର ପସନ୍ଦ ହରାଇଥିବ‌ା ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ସୁ‌ରେଶ ରାଇନା ଏବେ ବି ଭାରତୀୟ ଦଳରେ ସ୍ଥାନ ପାଇବାର ସ୍ବପ୍ନ ହରାଇନାହାନ୍ତି। ଏପରିକି ସୀମିତ ଓଭର ପାଇଁ ଦଳରେ ସବୁଠୁ ଚର୍ଚ୍ଚିତ ୪ ନମ୍ବର ସ୍ଥାନରେ ସେ ବ୍ୟାଟିଂ କରିପାରିବେ ବୋଲି ବିଶ୍ବାସ ପ୍ରକଟ କରିଛନ୍ତି। ଶେଷଥର ପାଇଁ ୨୦୧୮ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ରାଇନା ୨୦୨୦ ଓ ୨୦୨୧ରେ କ୍ରମାଗତ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଦଳକୁ ଫେରିବାର ଲକ୍ଷ୍ୟ ରଖିଛନ୍ତି। ମୁଁ ଭାରତର ୪ ନମ୍ବର ସ୍ଥାନ ପୂରଣ କରିପାରିବି ବୋଲି ସେ ଦମ୍ଭର ସହ କହିଛନ୍ତି। ଏହି ସ୍ଥାନରେ ମୁଁ ପୂର୍ବରୁ ବ୍ୟାଟିଂ କରିଛି। ଏବେ ବି କରିପାରିବି ବୋଲି ରାଇନା ଆହ୍ବାନ ଦେଇଛନ୍ତି। ୫୬୧୫ ଦିନିକିଆ ଏବଂ ୧୬୦୪ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ରନ୍‌ ନିଜ ଖାତାରେ ରଖିଥିବା ରାଇନା ଏବର ୪ ନମ୍ବର ସ୍ଥାନରେ ଚର୍ଚ୍ଚିତ ଋଷଭ ପନ୍ତଙ୍କୁ ନେଇ ଉପୁଜୁଥିବା ଦ୍ବନ୍ଦ୍ବ ଦୂର କରିପାରିବେ ବୋଲି କହିଛନ୍ତି। ଏହି ଅବସରରେ ମହେନ୍ଦ୍ର ସିଂହ ଧୋନିଙ୍କୁ ରାଇନା ପ୍ରଶଂସା କରିଛନ୍ତି। ଧୋନି ଏବେ ବି ପୂରା ଫିଟ୍‌ ଅଛନ୍ତି ଏବଂ ତାଙ୍କ ଭଳି ଦକ୍ଷ ୱିକେଟ୍‌ରକ୍ଷକ ତଥା ମହାନ୍‌ ଫିନିସର୍‌ ଭାରତକୁ ଆଉ ମିଳିବନି। ତେଣୁ ଧୋନି ହିଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତର ଅମୂଲ୍ୟ ସଂପଦ ହେବେ ବୋଲି ରାଇନା କହିଛନ୍ତି।

ସମ୍ବନ୍ଧିତ ଖବର