ନେଟ୍ ବୋଲର ଭାବେ ଆ‌ସିଥିଲି, କୌଣସି ବଡ଼ ଆଶା ନଥିଲା: ନଟରାଜନ

ସିଡ୍‌ନି: ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ଶାଣିତ ବୋଲିଂ କରିଥିବା ୟର୍କର ବିଶେଷଜ୍ଞ ଟି ନଟରାଜନ୍‌ ଏବେ ଭାରତୀୟ ବୋଲିଂର ନୂଆ ନାୟକ ଭାବେ ଉଭା ହୋଇଛନ୍ତି। ତାଙ୍କୁ ଭାରତୀୟ ବୋଲିଂର ଭବିଷ୍ୟତ ବୋଲି ମଧ୍ୟ କିଛି ପୂର୍ବତନ କ୍ରିକେଟର୍‌ ଅବିହିତ କଲେଣି। ଭାରତର ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟରେ ନିର୍ଣ୍ଣାୟକ ଭୂମିକା ନେଇଥିବା ନଟରାଜନ କିନ୍ତୁ ପ୍ରକୃତରେ ଜଣେ ନେଟ୍ ବୋଲର ଭାବେ ଅଷ୍ଟ୍ରେଲିଆ ଯିବାର ଥିଲା। ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ହେବା ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ଏବଂ ଭାଗ୍ୟ ବଳରେ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇଥିଲେ ସେ। ଅଷ୍ଟ୍ରେଲିଆ ପହଞ୍ଚିବା ପରେ ତାଙ୍କ ପାଇଁ ଆଉ ଏକ ଭଲ ଖବର ଅପେକ୍ଷା କରି ରହିଥିଲା। ଜଣେ ସଂରକ୍ଷିତ ବୋଲର ଭାବେ ଶେଷ ମୁହୂର୍ତରେ ଭାରତୀୟ ଦିନିକିଆ ଦଳରେ ସାମିଲ ହୋଇଥିଲେ ନଟରାଜନ୍‌। ଶେଷରେ ନାଟକୀୟ ଢଙ୍ଗରେ ତୃତୀୟ ଦିନିକିଆ ଖେଳି ଭାରତର ସାନ୍ତ୍ବନାମୂଳକ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥି‌ଲେ। ତେବେ ଚର୍ଚ୍ଚିତ ଅଷ୍ଟ୍ରେଲିଆ ଗସ୍ତରେ ସେ ବ୍ୟକ୍ତିଗତ ଭାବେ କୌଣସି ଆଶା ରଖି ନଥିଲେ। ଏକ ଟେଲିଭିଜନ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ନଟରାଜନ ଏହା କହିଥିଲା ବେଳେ ଗତ ଦୁଇ ମାସ ନାଟକୀୟ ଭାବେ ତାଙ୍କ ଜୀବନର ଗତି ପଥ ବଦଳାଇ ଦେଇଛି ବୋଲି ମତ ଦେଇଥିଲେ।

‘‘ମୁଁ କୌଣସି ବଡ଼ ଆଶା ରଖି ନଥିଲି। ଯେକୌଣସି ଉପାୟରେ ମୁଁ କେବଳ ମୋ କର୍ତ୍ତବ୍ୟ କରିବାକୁ ଚାହୁଥିଲି। ମୁଁ ଏଠାକୁ (ଅଷ୍ଟ୍ରେଲିଆ)କୁ ନେଟ୍ ବୋଲର ଭାବେ ଆସିଥିଲି। କିଛି ଖେଳାଳି ଆହତ ହେବା ପରେ ମୁଁ ଦଳରୁ ଖେଳିବାର ସୌଭାଗ୍ୟ ପାଇଥିଲି। ମୁଁ ଏହି ସୁଯୋଗର ସଂପୂର୍ଣ୍ଣ ସଦୁପଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲି। ଆଇପିଏଲ୍‌ରେ ଭଲ ଫର୍ମରେ ଥିବାରୁ ଏକଥା ମୋ ପାଇଁ ଯଥେଷ୍ଟ ସହାୟକ ହୋଇଥିଲା। ସାଥୀ ଖେଳାଳିମାନେ ମଧ୍ୟ ମୋତେ ଉତ୍ସାହିତ କରିବା ସହ ନିୟମିତ ସମର୍ଥନ ଦେଇଥି‌ଲେ। ଯାହା ଫଳରେ ଭଲ କରିବା ଲାଗି ଆତ୍ମବିଶ୍ବାସ ମିଳିଥିଲା’’ ବୋଲି କହିଥିଲେ ନଟରାଜନ।

ଚୌକା ଛକା ଖାଇଲା ପରେ ବି ସେ କିଭଳି ନିଜ ଉପରେ ନିୟନ୍ତ୍ରଣ ରଖି ପାରୁଥିଲେ ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଅତି ସରଳ ଭାବେ ରଖିଥିଲେ ଏହି ତାମିଲନାଡୁ ବୋଲର। ‘‘ବହୁଲୋକ ମୋତେ ଏକଥା ପଚାରିଛନ୍ତି, ମୁଁ ପିଲାବେଳରୁ ଏମିତି। ମୁଁ ଉଗ୍ର ହୋଇ ପାରିବିନି। ମୁଁ କେବଳ ହସିଦେଇ ଆଗକୁ ବଢ଼ିଯାଏ। ଏହା ମୋ ପାଇଁ ସେତେଟା ବଡ଼ କଥା ନୁହେଁ’’ ବୋଲି ମତ ରଖିଥିଲେ ନଟରାଜନ। ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ରଣନୀତିକୁ ବର୍ଣ୍ଣନା କରିବାକୁ ଯାଇ ସେ କେବଳ ନିଜ ଆଇପିଏଲ୍ ସଫଳତାକୁ ଦୋହରାଇବାକୁ ଚାହୁଥିଲେ ଏବଂ ଅଧିନାୟକ ଓ ୱିକେଟ୍ ରକ୍ଷକଙ୍କ ପରାମର୍ଶ ନେଇ ବୋଲିଂ କରିବାକୁ ପସନ୍ଦ କରୁଥି‌ଲେ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ୨ ୱିକେଟ୍ କରାୟତ କରିଥିବା ନଟରାଜନ ଏହି ଦଳ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୬ ୱିକେଟ୍ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର