ଅଲିମ୍ପିକ୍ସ ପ୍ରସ୍ତୁତିରେ ମନୋନିବେଶ କରିପାରିବି: ପୂର୍ଣ୍ଣିମା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ନିଯୁକ୍ତି ପରେ ଆଶ୍ବସ୍ଥ ହୋଇଛନ୍ତି ପୂର୍ଣ୍ଣିମା ହେମ୍ବ୍ରମ। ‘‘ଆଘାତପ୍ରାପ୍ତ ହେଲେ ରେଳବାଇରେ ବିଶେଷ ସମର୍ଥନ ମିଳେନି। କୌଣସି କାରଣରୁ ଗୋଟିଏ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନପାରିଲେ ନାନା ପ୍ରକାର ପ୍ରମାଣପତ୍ର ଓ ସ୍ପଷ୍ଟୀକରଣ ଦେବାକୁ ପଡ଼େ। ଓଡ଼ିଶା ସରକାରଙ୍କ ଅଧୀନରେ କାମ କରିବା ପରେ ମୋତେ ଏଭଳି ଅସୁବିଧା ହେବନି ବୋଲି ଭାବୁଛି। କାରଣ ମୋ ପୂର୍ବରୁ ‌ଯେଉଁ ଖେଳାଳିମାନେ ଓଏମସିରେ ଯୋଗଦେଇଛନ୍ତି, ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ମିଳୁଛି। ତା’ ଛଡ଼ା ରେଳବାଇ ଅପେକ୍ଷା ଏଠି ଅଧିକ ଦରମା ମିଳିବ। ଆଜିକାଲି ଜୋତା, ପୋଷାକ ଓ ଅନ୍ୟ ଖେଳ ଉପକରଣ ବହୁତ ମହଙ୍ଗା ହୋଇ ଗଲାଣି। ଏଥିଲାଗି ମୋଟା ଅଙ୍କ ଦରକାର। ମୋ ବାପାଙ୍କ ଦେହ ବି ଗତ ଚାରି ପାଞ୍ଚ ବର୍ଷ ହେବ ବହୁତ ଖରାପ ରହୁଛି। ମେଡିକାଲରେ ବହୁତ ଟଙ୍କା ଖର୍ଚ ‌ହେଉଛି, ଏସବୁ ଚାପ ଏବେ ଦୂର ହୋଇଯିବ ବୋଲି ଭାବୁଛି’’ ବୋଲି ପୂର୍ଣ୍ଣିମା ‘ସମ୍ବାଦ’କୁ କହିଛନ୍ତି। ସେହିଭଳି କରୋନା କାଳରେ ମଧ୍ୟ ସେ ଅଭ୍ୟାସ ଜାରି ରଖିଥିବା ସୂଚନା ଦେଇଛନ୍ତି। ‘‘କରୋନା ପାଇଁ ପାଖାପାଖି ଦୁଇ ମାସ ଅଭ୍ୟାସ କରି ହେଲାନି।

ଏବେ କିନ୍ତୁ କଳିଙ୍ଗ ଷ୍ଟାଡିୟମରେ ଶିବ ମିଶ୍ର ଏବଂ ସଞ୍ଜୟ ଗଡ଼ନାୟକ ସାର୍‌ଙ୍କ ତତ୍ତ୍ବାବଧାନରେ ଅଭ୍ୟାସ କରୁଛି। ଟୋକିଓ ଅଲିମ୍ପିକ୍ସକୁ ଆଖି ଆଗରେ ରଖି ହିଁ ଆମେ ଅଭ୍ୟାସ କରୁଛୁ। ଓଡ଼ିଶା ସରକାର କର୍ମସଂସ୍ଥାନ ଯୋଗାଇଦେବା ପରେ ଅଭ୍ୟାସ ଉପରେ ଅଧିକ ମନୋନିବେଶ କରି ପାରିବି ବୋଲି ଭାବୁଛି। ଏହି କ୍ଷେତ୍ରରେ ମୋ ସ୍ବାମୀ ଓ ପରିବାର ବର୍ଗ ବେଶ୍ ସମର୍ଥନ ଦେଉଛନ୍ତି’’ ବୋଲି ପୂର୍ଣ୍ଣିମା କହିଛନ୍ତି। ପୂର୍ଣ୍ଣିମାଙ୍କ ସ୍ବାମୀ ଅର୍ଜୁନ ଟୁଡୁ ମଧ୍ୟ ଜଣେ କ୍ରୀଡ଼ାବିତ୍। ଭାରତୀୟ ୧୯ ବର୍ଷରୁ କମ ଫୁଟବଲ୍ ଦଳରୁ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲା ବେଳେ ୨୦୧୬ରେ ଦିଲ୍ଲୀ ଡାଇନାମସ୍ (ଏବେକାର ଓଡ଼ିଶା ଏଫ୍‌ସି) ତରଫରୁ ଆଇଏସଏଲ୍ ଖେଳିଥିଲେ। ପୂର୍ଣ୍ଣିମା ଗତ ବର୍ଷ ଡିସେମ୍ବର ମାସରେ ସେନାବାହିନୀରେ କାର୍ଯ୍ୟରତ ଅର୍ଜୁନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସମ୍ବନ୍ଧିତ ଖବର