ଏତେ ବିଶ୍ବକପ୍‌ ଖେଳିବି ବୋଲି ସ୍ବପ୍ନରେ ବି ଭାବିନଥିଲି: ଗେଲ୍‌

ଲଣ୍ଡନ୍‌: ଆଇପିଏଲ୍‌ ପରେ ଏବେ ବିସ୍ଫୋରକ ୱେଷ୍ଟଇଣ୍ଡିଜ୍ ବ୍ୟାଟସମ୍ୟାନ୍‌ କ୍ରିସ୍ ଗେଲଙ୍କ ନଜର ଇଂଲଣ୍ଡ ବିଶ୍ବକପ୍‌ ଉପରେ। ୧୯୯୯ ମସିହାରେ ଦିନିକିଆ ପଦାର୍ପଣ କରିବାଠାରୁ ପ୍ରତିଟି ବିଶ୍ବକପ୍‌ ଖେଳି ଆସିଛନ୍ତି। ଇଂଲଣ୍ଡରେ ଏହି ବାମହାତୀ ତାରକା ନିଜର ପଞ୍ଚମ ବିଶ୍ବକପ୍‌ ଖେଳିବାକୁ ଯାଉଛନ୍ତି। ସତ କଥା କହିଲେ ମୁଁ ଏହା ପ୍ରଶଂସକଙ୍କ ପାଇଁ କରିଥାଏ, ମିଛ କହୁନାହିଁ। କିଛି ପ୍ରଶଂସକ ଆଉ ନ ଯିବାକୁ କହୁଥିଲେ, କିନ୍ତୁ କିଛି ମୋତେ ଆଗକୁ ଠେଲୁଥିଲେ। ମୁଁ ଜାଣିଛି କିଛି ବି ସ୍ଥାୟୀ ନୁହେଁ, ଆଶା କରୁଛି ସେମାନଙ୍କ ପାଇଁ ଆଉ କିଛି ମ୍ୟାଚ୍‌ ଖେଳିବି ଏବଂ ବିଶ୍ବକପ୍‌ ଜିତି ପାରିବି ବୋଲି ପ୍ରକାଶ କରିଛନ୍ତି ଗେଲ୍‌।

ନିଜ ଦିନିକିଆ ପଦାର୍ପଣର ୨୦ ବର୍ଷ ପରେ ବିଶ୍ବକପ୍‌ ଦଳରେ ରହିବା ନିଶ୍ଚିତ ଏକ ଉଲ୍ଲେଖନୀୟ କୃତିତ୍ବ। ବି‌ଶେଷ କରି ୨୦୧୫ ମସିହା ବିଶ୍ବକପ୍‌ ପରବର୍ତୀ ୩୦ ମାସ ଧରି ଦିନିକିଆ ଦଳରେ ନ ଥିଲେ ଏହି ‌ଖେଳାଳି। ୨୦୧୭ ମସିହାରେ ଫେରିଥିଲେ ଦିନିକିଆ ଦଳକୁ। ୨୦୧୮ ମସିହାରେ ୱେଷ୍ଟଇଣ୍ଡିଜ୍‌ ଯୋଗ୍ୟତା ପର୍ଯ୍ୟାୟ ଖେଳିବା ମୁଖ୍ୟ କଥା ଥିଲା ଏବଂ ଏହି ଯୋଗ୍ୟତା ସହିତ ଗେଲ୍ ମଧ୍ୟ ବ୍ୟକ୍ତିଗତ ଭାବେ ଦିନିକିଆରେ ଭଲ କରି ଆସିଥିଲେ। ‘ସମୟ ଏତେ ଶୀଘ୍ର ଚାଲିଯିବ ମୁଁ ଭାବି ନ ଥିଲି। ମୁଁ ବି ଏତେ ସଂଖ୍ୟକ (୫) ବିଶ୍ବକପ୍‌ ଖେଳିପାରିବି ବୋଲି ମଧ୍ୟ ସ୍ବପ୍ନରେ ବି ଭାବି ନ ଥିଲି। ବିଗତ କିଛି ବର୍ଷ କଠିନ ପରିଶ୍ରମ କରିବାରୁ ଏହାର ମୂଲ୍ୟ ମିଳିଛି। ମୁଁ ଅଧିକରୁ ଅଧିକ ପ୍ରଦର୍ଶନ ଦିଏ ଏହା ଲୋକମାନେ ଚାହାଁନ୍ତି ବୋଲି କହିଥିଲେ ୩୯ ବର୍ଷୀୟ ଗେଲ୍‌।

ସମ୍ବନ୍ଧିତ ଖବର