ମୁଁ ‌ଭାରତର ଶ୍ରେଷ୍ଠ ଅଲ୍‌ରାଉଣ୍ଡର୍‌ ହୋଇପାରିଥାନ୍ତି: ଇର୍ଫାନ୍‌

ନୂଆଦିଲ୍ଲୀ: ବାମହାତୀ ଖେଳାଳି ଇର୍ଫାନ୍ ପଠାନ୍‌ ଦେଶର ସବର୍କାଳୀନ ଶ୍ରେଷ୍ଠ ଦିନିକିଆ ଅଲରାଉଣ୍ଡର୍‌‌ ହୋଇପାରିଥା’ନ୍ତେ। ଏହା କାହିଁକି ସମ୍ଭବ ହେଲା ନାହିଁ ‌ତା’ର କାରଣ ମଧ୍ୟ ଦର୍ଶାଇଛନ୍ତି ଏହି ବରୋଦା ବୋଲର। ବ୍ୟାଟିଂ ଉପରେ ଏକାଗ୍ରତା ବଢ଼ାଇବା, ଦଳରୁ ବାରମ୍ବାର ବାଦ୍ ପଡ଼ିବା ଏବଂ ଆହତ ସମସ୍ୟା ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ମାତ୍ର ୧୯ ବର୍ଷରେ ନିଜ ସୁଇଙ୍ଗ ଜରିଆରେ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଇଥିବା ଇର୍ଫାନ୍ ଏଥିପାଇଁ ପରୋକ୍ଷରେ ଚୟନକର୍ତାଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ‘ସଫଳତା ଦୃଷ୍ଟି‌ କୋଣରୁ ଦେଖିଲେ ମୁଁ ଅଧିକ ଅର୍ଜନ କରିବା କଥା। ବାସ୍ତବରେ ମୁଁ ବିଶ୍ବାସ କରୁଛି ଦିନିକିଆରେ ମୁଁ ଦେଶର ଶ୍ରେଷ୍ଠ ଅଲରାଉଣ୍ଡର୍‌ ହୋଇପାରିଥା’ନ୍ତି। ମୁଁ ଯେତିକି ମ୍ୟାଚ୍‌ ଖେଳିବା କଥା ଖେଳିପାରିନଥିଲି। ମାତ୍ର ୨୭ ବର୍ଷ ବୟସରେ ମୁଁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲି। ୩୫ ବର୍ଷ ପର୍ଯ୍ୟନ୍ତ ଖେଳିଥିଲେ ନିଶ୍ଚିତ ଉନ୍ନତ ଓ ଅଧିକ ସଫଳତା ପାଇଥା’ନ୍ତି। ମୁଁ ‌ଯେଉଁ ମ୍ୟାଚ୍‌ ବି‌ ଖେଳିଛି ବିଜେତା ଭାବେ ପ୍ରଦର୍ଶନ କରିଛି। ଦଳ ପାଇଁ ଏହା ଫରକ ପକାଇଛି। ଗୋଟିଏ ବି ୱିକେଟ୍ ନ‌ିଏ ତାହା ଦଳ ପାଇଁ ପ୍ରଭାବ ପକାଇଥିଲା। ବ୍ୟାଟିଂରେ ଯାହା ବି କରିଥାଏ ଏହା ଦୁଇ ଦଳ ମଧ୍ୟରେ ପ୍ରଭେଦ ଆଣିଥାଏ ବୋଲି ପଠାନ୍ ପ୍ରକାଶ କରିଛନ୍ତି।

ଇର୍ଫାନ୍‌ ଦେଶର ଦ୍ରୁତତମ ବୋଲର ଭାବେ ଦିନିକିଆରେ ୧୦୦ ୱିକେଟ୍ (୫୯ ମ୍ୟାଚ୍‌) ପୂର୍ଣ୍ଣ କରିଥିଲେ। ଏହ‌ି କୀର୍ତ୍ତିମାନ ୧୩ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିବା ପରେ ମହମ୍ମଦ ସାମି ଭାଙ୍ଗିଥିଲେ। କିନ୍ତୁ ଏହା ପରେ ପଠାନ୍‌ଙ୍କ ଭୂମିକା ବଦଳିଯାଇଥିଲା। ଆଉ ନୂଆ ବଲ୍‌ ନୁହେଁ ପ୍ରଥମ ପରିବର୍ତନ ବୋଲର ଭାବେ ଖେଳି ସେଭଳି ପ୍ରଭାବ ପକାଇପାରିନଥିଲେ। ନିଜର ପରବର୍ତୀ ୭୩ ୱିକେଟ୍ ପାଇଁ ସେ ୬୧ ଦିନିକିଆ ଖେଳିଥିଲେ। ଟେଷ୍ଟ୍ କ୍ରିକେଟ୍‌ରେ ଶତକ ହାସଲ କରିଥିଲେ। କିନ୍ତୁ କ୍ରମେ ଦଳଠାରୁ ଅପସରି ଯାଇଥିଲେ। ଦଳ କିମ୍ବା ସାଥୀ ଖେଳାଳିମାନେ ମୋତେ ସମର୍ଥନ କରିବାର ଥିଲା ବୋଲି ସେ ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ନୂଆ ବଲ୍‌ ବେଳେ ୱିକେଟ୍‌ ପାଇଁ ଯିବାକୁ ହୁଏ, କିନ୍ତୁ ବୋଲର୍‌ ପରିବର୍ତନ ପରେ ଆସିଲେ ରକ୍ଷଣାତ୍ମକ ଭୂମିକା ରହିଥାଏ। ତେଣୁ ତୁମ ସଂଖ୍ୟା (ୱିକେଟ୍‌) ନିଶ୍ଚିତ ଭିନ୍ନ ହେବ। ୨୦୧୨ ମସିହାରେ ଇର୍ଫାନ୍ ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଶ୍ରୀଲଙ୍କା ବିପକ୍ଷ ଏହି ଦିନିକିଆରେ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି (୫/୬୧) ମଧ୍ୟ ବିବେଚିତ ହୋଇଥିଲେ। ‘ସଂଖ୍ୟା ଉପରେ ଯଦି ନଜର ପକାଇବେ ଜାଣିପାରିବେ ୨୦୧୨ରେ ମୁଁ ପୁଣି ନୂଆ ବଲ୍‌ରେ ବୋଲିଂ କରିଥିଲି। ଭାରତୀୟ ଦଳକୁ‌ ଫେରିବା ପରେ ନିଜର ଶେଷ ମ୍ୟାଚ୍‌ରେ ୫ ୱିକେଟ୍ ନେଇଥିଲି। ମୁଁ କହୁନଥିଲି ଯେ ମୁଁ କେବଳ ନୂଆ ବଲ୍‌ରେ ବୋଲିଂ କରିବି, ପୁରୁଣା ବଲ୍‌ ପାଇଁ ବି ମୁଁ ପ୍ରସ୍ତୁତ ଥିଲି। ଦଳୀୟ ଖେଳ ହୋଇଥିବାରୁ ଭୂମିକା ନିଶ୍ଚିତ ବଦଳିଯିବ, କିନ୍ତୁ କ‌େତେଜଣେ ଦ୍ରୁତ ବୋଲର ୫ ୱିକେଟ୍‌ ନେବା ପରେ ଆଉ ମ୍ୟାଚ୍‌ ଖେଳିନାହାନ୍ତି’ ବୋଲି ଇର୍ଫାନ୍ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର