ଅର୍ଦ୍ଧଶତକ କଥା‌ ଜାଣି ନଥିଲି, କୋହଲି ଭାଇ କହିବା ପରେ ବ୍ୟାଟ୍ ଉଠାଇଥିଲି: କିଶନ୍‌

ଅହମଦାବାଦ: ନିଜ ପଦାର୍ପଣ ଟ୍ବେଣ୍ଟି-୨୦ରେ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଭାରତୀୟ କ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା ହୋଇଥିବା ଝାଡ଼ଖଣ୍ଡ ତାରକା ଈଶାନ୍‌ କିଶନ୍‌ଙ୍କୁ ପ୍ରଶଂସାର ସୁଆ ଛୁଟିଛି। ନିଜେ କିଶନ୍‌ ମଧ୍ୟ ବିରାଟ କୋହଲିଙ୍କ ଭଳି ମହାନ ଖେଳାଳିଙ୍କ ସହ ବ୍ୟାଟିଂ କରିବାର ଉତ୍ସାହ ଏବଂ ପଡ଼ିଆ ଭିତରେ ଘଟିଥିବା‌ କିଛି ରୋଚକ କଥା ଉପରୁ ପରଦା ଉଠାଇଛନ୍ତି। ଏପରିକି ବ୍ୟାଟିଂରେ ମସଗୁଲ ଥିବା ବେଳେ ଅର୍ଦ୍ଧଶତକ ପୂରଣ କଥା ସେ ଜାଣି ପାରି ନଥିଲେ ଏବଂ କୋହଲି କହିଲା ପରେ ଏକଥା ହୃଦୟଙ୍ଗମ କରି ବ୍ୟାଟ୍ ଉଠାଇ ଦର୍ଶକ ଓ ସାଥୀ ଖେଳାଳିଙ୍କ ଅଭିବାଦନ ଗ୍ରହଣ କରିଥିଲେ ବୋଲି ମତ ରଖିଛନ୍ତି।

ବିସିସିଆଇ ଟିଭି ପାଇଁ ୟୁଝବେନ୍ଦ୍ର ଚହଲ ନେଇଥିବା ସାକ୍ଷାତକାର ଅବସରରେ କିଶନ୍‌ କହିଥିଲେ ଯେ ଯେତେବେଳେ ଅର୍ଦ୍ଧଶତକ ପୂରଣ ହେଲା ଆପଣ ଦେଖିଥିବେ ମୁଁ କିଛି ସେକେଣ୍ଡ ପାଇଁ ବ୍ୟାଟ୍ ଉଠାଇ ନଥିଲି। ସତ କଥା ହେଲା ଏକଥା ମୁଁ ଜାଣି ପାରି ନଥିଲି। ଏଣୁ ବିରାଟ ଭାଇ ପଛରୁ କହିଥିଲେ ଚାରିଆଡ଼କୁ ବ୍ୟାଟ୍ ବୁଲାଇ ସମସ୍ତଙ୍କୁ ଦେଖାଅ, ଏହା ତୁମର ପ୍ରଥମ ମ୍ୟାଚ୍। ତାଙ୍କ କଥା ଶୁଣିବା ପରେ ଯାଇ ମୁଁ ବ୍ୟାଟ୍ ଉଠାଇ ଅର୍ଦ୍ଧଶତକ ପାଇଁ ଉତ୍ସବ ପାଳନ କରିଥିଲି। ସୂଚନାଯୋଗ୍ୟ ଯେ ଆରମ୍ଭରୁ ଇଂଲଣ୍ଡ ବୋଲରଙ୍କୁ ଘନ ଘନ ଆକ୍ରମଣ କରି ନୟାନ୍ତ କରି ଦେଇଥିବା କିଶନ୍‌ଙ୍କ ୩୨ ବଲ୍ ୫୬ ରନ୍ ବଳରେ ଭାରତ ରବିବାରର ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୧୩ ବଲ୍ ପୂର୍ବରୁ ମାତ୍ର ୩ ୱିକେଟ୍ ହରାଇ ଜିତି ନେଇଥିଲା।

ସମ୍ବନ୍ଧିତ ଖବର