ନୂଆଦିଲ୍ଲୀ: ନିଜ ଦକ୍ଷତାର ପ୍ରମାଣ ଦେବାକୁ ଯାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟର ବିରାଟ କୋହଲି ଦମ୍ଦାର ଶତକ ମାରି ନିଜ ଦଳର ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ କୋହଲି ୬୩ ବଲ୍ରୁ ୧୦୦ ରନ୍ ସଂଗ୍ରହ କରିଥିଲେ। ଏଥିସହିତ ଫାଫ୍ ଡୁପ୍ଲେସିସ୍ଙ୍କ ସହିତ ୧୭୨ ରନ୍ର ମହତ୍ବପୂର୍ଣ୍ଣ ଭାଗୀଦାରି ଗଢ଼ିଥିଲେ। ଯାହାଫଳରେ ଦଳ ୪ ବଲ୍ ପୂର୍ବରୁ ମ୍ୟାଚ୍ ଜିତିଥିଲା। ତେଣୁ ସମାଲୋଚକଙ୍କ ଚିତ୍କାର ସତ୍ତ୍ବେ କୋହଲି ନିଜ ଖେଳ ଉପରେ ଅଧିକ ଧ୍ୟାନ ଦେଇଛନ୍ତି ଏବଂ ଗୁରୁବାର ସମସ୍ତଙ୍କୁ ଚୁପ୍ ମଧ୍ୟ କରିପାରିଥିଲେ।
କିନ୍ତୁ ନିଜର କମ୍ ଷ୍ଟ୍ରାଇକ୍ ରେଟ୍କୁ ନେଇ ସବୁବେଳେ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ ହେଉଥିବା କୋହଲି ଏହାକୁ ଭ୍ରୁକ୍ଷେପ କରିନାହାନ୍ତି। ନିଜର ଏଭଳି ପ୍ରଦର୍ଶନ ଉପରେ କୋହଲି କହିଛନ୍ତି ଯେ, ସେ ଅତୀତର ସଂଖ୍ୟାକୁ ଗୁରୁତ୍ବଦିଅନ୍ତି ନାହିଁ। ନିଜକୁ ଅନେକ ଚାପ ଭିତରେ ରଖିସାରିଛି। ତେଣୁ ପ୍ରଭାବୀ ପ୍ରଦର୍ଶନ ପରେ କେବେ ବି ନିଜକୁ ତାହାର ଶ୍ରେୟ ଦେଇନାହାନ୍ତି। ବାହାରେ ବସି କିଏ କ’ଣ କହୁଛନ୍ତି, ତାହା ଉପରେ ତାଙ୍କର ଖାତିର ନାହିଁ। କାରଣ ତାହା ହେଉଛି ସେମାନଙ୍କର ମତାମତ ବୋଲି କୋହଲି ମ୍ୟାଚ୍ ପରବର୍ତ୍ତୀ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ କହିଥିଲେ। ତାଙ୍କ ମତରେ, ଯେତେବେଳେ ସେଭଳି ପରିସ୍ଥିତି ଭିତରେ ନିଜକୁ ଦେଖିଥା’ନ୍ତି, ସେତେବେଳେ କେମିତି ମ୍ୟାଚ୍କୁ ଜିତିହେବ ତାହା ଜଣାଥାଏ। ଏଭଳି କାରନାମା ଦୀର୍ଘ ସମୟ ଧରି କରିଆସିଛି। ତେଣୁ ପରିସ୍ଥିତି ଅନୁସାରେ ଖେଳିବାକୁ ସେ ପସନ୍ଦ କରନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ। ସେହିପରି ଫ୍ୟାନ୍ସି ସଟ୍ ଖେଳିବା ଉପରେ ସେ ଗୁରୁତ୍ବ ଦିଅନ୍ତି ନାହିଁ। କାରଣ ଫ୍ୟାନ୍ସି ସଟ୍ ଖେଳି ୱିକେଟ୍ ହରାଇବାକୁ ସେ ଚାହାଁନ୍ତିନାହିଁ। ଆଇପିଏଲ୍ ପରେ ଟେଷ୍ଟ ମ୍ୟାଚ୍ ଆସୁଥିବାରୁ ନିଜ କୌଶଳକୁ ଠିକ୍ ଭାବେ ବ୍ୟବହାର କରିବା ସହ ଦଳକୁ ଜିତାଇବାକୁ ସେ ସବୁବେଳେ ଚାହିଁଥା’ନ୍ତି ବୋଲି କହିଛନ୍ତି।